ସରକାରଙ୍କ ତୃଟିପୂର୍ଣ୍ଣ ଟୋକନ ବ୍ୟବସ୍ଥାକୁ ବିରୋଧକରି କୁଚିଣ୍ଡା ଉପଖଣ୍ଡରେ ଚାଷୀଙ୍କ ଆନ୍ଦୋଳନ

କୁଚିଣ୍ଡା: କୁଚିଣ୍ଡା ଉପଖଣ୍ଡରେ ଚାଷୀଙ୍କ ଉତ୍ପାଦିତ ଧାନ ବିକ୍ରି ସକାଶେ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଟୋକନ ବ୍ୟବସ୍ଥାରେ ଗୁରୁତର ସମସ୍ୟା ରହିଥିବା ଯୋଗୁଁ ଏହାର ପ୍ରତିକାର ଓ ଚାଷୀଙ୍କୁ ସୁହାଇଲା ପରି ପଦକ୍ଷେପ ନେବାକୁ ଦାବି କରି ଆଜି ଧାନକ୍ରୟ ଦିବସର ପ୍ରଥମ ଦିନରେ ଚାଷୀ ମାନେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରି ସରକାରଙ୍କୁ କଡା ଚେତାବନୀ ଦେଇଥିବା ଦେଖାଯାଇଛି। ଫଳରେ ଆଜି ଧାନ କ୍ରୟରେ ଅଚଳାବସ୍ଥା ଦେଖାଦେଇଛି।

କୁଚିଣ୍ଡା ଆରଏମସି ପକ୍ଷରୁ ଆଜି ଠାରୁ ଧାନ କ୍ରୟ ପାଇଁ ମଣ୍ଡି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। କୁଚିଣ୍ଡା ବ୍ଳକର କୁଟୁରାଚୁଆଁ, ଜମନକିରା ବ୍ଳକର ଭୋଜପୁର ଏବଂ ବାମରା ବ୍ଳକ କେଶେଇବାହାଲ ଠାରେ ମଣ୍ଡି ଖୋଲା ଯାଇଥିଲା। ମାତ୍ର ଆଜି ପ୍ରଥମ ଦିନରେ କୁଚିଣ୍ଡା ବ୍ଳକର କୁଟୁରାଚୁଆଁ ରେ ମଣ୍ଡିରେ ଚାଷୀ ଧାନ ଆଣିବା ପରିବର୍ତ୍ତେ ସମବେତ ହୋଇ କଳା ବ୍ୟାଚ୍ଚ ପରିଧାନ କରିବା ସହ ଆନ୍ଦୋଳନ କରିଥିଲେ। ଉକ୍ତ ମଣ୍ଡିକୁ କୌଣସି ମିଲ ର ପ୍ରତିନିଧି ଆସି ନ ଥିବାରୁ ଏକ ପ୍ରକାର ଅଚଳାବସ୍ଥା ହୋଇପଡ଼ିଥିଲା। ସମ୍ପ୍ରତି ସରକାର କରିଥିବା ଟୋକ ନବ୍ୟବସ୍ଥାରେ ଗତବର୍ଷ ପରି ଚାଷୀ ମାନେ ଘୋର ଅସୁବିଧା ପାଇବା ଆଶଙ୍କା କରିଛନ୍ତି। ଚଳିତବର୍ଷ ଧାନ ଉତ୍ତମ ଅମଳ ହୋଇଥିବା ଓ ଉପବାଦିତ ଧାନ ବିକ୍ରୀ ଉପଯୋଗୀ ହୋଇଥିଲେ ମଧ୍ୟ ଟୋକନ ନହେବାରୁ ଘୋର ସମସ୍ୟା ଦେଖାଦେଇଥିବା ଅଭିଯୋଗ ହୋଇଛି। ବହୁ କ୍ଷୁଦ୍ର, ମଧ୍ୟମ ବର୍ଗର ଚାଷୀ ମାନେ ଧାନ ଅମଳ ସତ୍ତେ୍ୱ ବିକ୍ରୀ କରିନପାରି ଅର୍ଥାଭାବରେ ରହୁଛନ୍ତି। କେତେକ ଅଭାବ ପୂରଣ ପାଇଁ ଅଣ୍ଡରରେଟରେ ବିକ୍ରୀ କରୁଥିବା ଅଭିଯୋଗ ହୋଇଛି। ଏହା ସତ୍ତ୍ବେ ଟୋକନ ବ୍ୟବସ୍ଥାରେ ସ୍ୱଚ୍ଛତା ନଆଣିବା ଓ ଅଣଜଳସେିଚତ ଅଞ୍ଚଳରେ ବିକ୍ରି ଉପଯୋଗୀ ପରିମାଣକୁ ଧାର୍ଯ୍ୟ କରି ଟୋକନ ଦେଇ ନ ଥିବା ଯୋଗୁଁ ଚାଷୀଙ୍କ ଧାନ ବିକ୍ରି ରେ ସମସ୍ୟା ଦେଖାଦେବ ବୋଲି ଆଜି ଚାଷୀ ସଂଗଠନ ଅଭିଯୋଗ କରିଛି। ବହୁ ଚାଷୀଙ୍କ ମୋବାଇଲରେ ଆସନ୍ତା ଡିସେମ୍ବର ଶେଷ ଭାଗରେ ବିକ୍ରୀ ପାଇଁ ଟୋକନ ର ମେସେଜ ଆସିଥିବା ବେଳେ ସେମାନେ କେତେ ଦିନ ଧାନ ଥାଇ ଅଭାବରେ ରହିବେ ବୋଲି ଅଭିଯୋଗ କରିଛନ୍ତି। ମାସାଧିକ କାଳ ଧାନକୁ କେଉଁଠାରେ ପକେଇ ରଖିବେ ବୋଲି ଅଭିଯୋଗ ଆଣି ସରକାର ତୁରନ୍ତ ଏହାର ସମାଧାନ କରିବାକୁ ଅନୁରୋଧ କରିଥିଲେ। ଏହା ସତ୍ତେ୍ୱ ସରକାର ବା ପ୍ରଶାସନ କୌଣସି ବିକଳ୍ପ ପଦକ୍ଷେପ ନନେବାରୁ ଆଜି ଧାନ କ୍ରୟର ପ୍ରଥମ ଦିନରେ ଚାଷୀ ମାନେ ଚରମ ପଦକ୍ଷେପ ନେଇ ଆନ୍ଦୋଳନ କରିଥିବା ଦେଖାଯାଇଛି। ୟାର୍ଡକୁ କେହି ଧାନ ଆଣିନଥିବା ବେଳେ ମଣ୍ଡିରେ କଳା ବ୍ୟାଚ୍ଚ ପରିଧାନ କରି ବସି ରହିଥିବା ଦେଖାଯାଇଥିଲା। ସରକାର ଏହାର ତୁରନ୍ତ ପ୍ରତିକାର ନକଲେ ଚାଷୀ ମାନେ ରାଜରାସ୍ତାରେ ଧାନ ଗଦେଇ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଚେତାବନୀ ଦେଇଥିବା ଜଣାଯାଇଛି। ଏଥିରେ ବ୍ଲକ ଚାଷୀ ସଂଗଠନର ସଭାପତି ରିଙ୍କୁ ମହାପାତ୍ର, ସମ୍ପାଦକ ଜୟନ୍ତ ପ୍ରଧାନ, ସଞ୍ଜୀବ ପଟେଲ, କିରଣ ମହାପାତ୍ର, ମନୋରଞ୍ଜନ ପଟେଲ, ବିପିନ ନାଏକ, ଅରୁଣ ନାଏକ, ଗିରିନ୍ଦ୍ର ନାଏକ, ଦୁଖବନ୍ଧୁ ସାହୁ, ସୁରେନ୍ଦ୍ର ପଟେଲ ପ୍ରମୁଖ ଆନ୍ଦୋଳନରେ ଯୋଗଦେଇଥିବା ଦେଖାଦେଇଥିଲା।

Comments are closed.