ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

କୁଚିଣ୍ଡା:  ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ କୁଚିଣ୍ଡା ସହରସ୍ଥିତ ବାସଭବନ, ସୁବର୍ଣ୍ଣପାଲିସ୍ଥିତ ପୈତୃକ ଘର ଓ କାର୍ଯ୍ୟାଳୟରେ ସୋମବାର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ଉ ହୋଇଥିବା ଜଣାଯାଇଛି।
ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ କୁଚିଣ୍ଡା ସହରସ୍ଥ ୱାର୍ଡ ନଂ. ୨ ମାଉଲିବନ୍ଧଠାରେ ଥିବା ଦ୍ୱିତଳ କୋଠାରେ ଦୁର୍ନୀତି ନିବାରଣ ବିଭାଗ ଚଢ଼ଉ କରିଥିଲା। ଜମନକିରା ବ୍ଲକ ସୁବର୍ଣ୍ଣପାଲିରେ ଥିବା ପୈତୃକ ଘର ଏବଂ ତାଙ୍କ ଝାଙ୍କରପାଲି ପଞ୍ଚାୟତ କାର୍ଯ୍ୟାଳୟରେ ଚଢ଼ଉ ହୋଇଥିଲା। କୁଚିଣ୍ଡା ସହରରେ ଥିବା କୋଠା ଘର ଏବଂ ସୁବର୍ଣ୍ଣପାଲିରେ ଥିବା ଘରର ଆକଳନ ସହ ତାଙ୍କ ଭାଇ କରିଥିବା ଦୋକାନ ଏବଂ ଘର ମଧ୍ୟ ଯାଞ୍ଚ କରାଯାଇଥିଲା। ଘରୁ ନଗଦ ୬ ହଜାର ଟଙ୍କା ମିଳିଥିବାବେଳେ ଏକ ବାଇକ୍ ଏବଂ ୧ ଲକ୍ଷ ୧୫ ହଜାର ଟଙ୍କାର ବ୍ୟାଙ୍କ ଜମା, ୧୦ ଲକ୍ଷ ୪୩ ହଜାର ଟଙ୍କା ବୀମା ପଲିସି ପାଇଥିବା ସୂଚନା ମିଳିଛି। ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆକଳନରେ ସର୍ବମୋଟ ୧ କୋଟି ୧୨ ଲକ୍ଷ ଟଙ୍କାର ସମ୍ପତ୍ତି ପାଇଥିବା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ କୁହାଯାଇଛି। ତାଙ୍କ ପୈତୃକ ସମ୍ପତ୍ତି ୪୦ ଏକର ଜମି ରହିଥିବାବେଳେ ପୁରୁଣା ଘର ରହିଛି। ସମ୍ବଲପୁର ଓ କୁଚିଣ୍ଡାରେ ରହିଥିବା ଦୁଇଟି ପ୍ଲଟ ମଧ୍ୟ ଭିଜିଲାନ୍ସ ଠାବ କରିଛି। ଶ୍ରୀ ଖୁଣ୍ଟିଆ ସୁନା ଅଳଙ୍କାର ଦେଇ ବ୍ୟାଙ୍କରୁ ଋଣ ଆଣିଥିବା ଓ ଗୃହ ଋଣ କରିଥିବା ପ୍ରକାଶ। ଆଜି ଭିଜିଲାନ୍ସ ଦଳର ଚଢ଼ଉ ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା। ସେହିପରି ଝାଙ୍କରପାଲିସ୍ଥିତ କାର୍ଯ୍ୟାଳୟରେ ବିଶେଷ କିଛି ମିଳିନଥିବା ଜଣାଯାଇଛି। ଭିଜିଲାନ୍ସ ଦଳ କିଛି କାଗଜାତ ଜବତ ମଧ୍ୟ କରିଛନ୍ତି।

Comments are closed.