ଝୁଲେନପୋଲ ଦୁର୍ଘଟଣାରେ ମୃତ ଚାଳକକୁ କ୍ଷତିପୂରଣ ଦାବି କରି ଚାଳକ ସଂଘର ରାସ୍ତା ରୋକ

କୁଚିଣ୍ଡା: କୁଚିଣ୍ଡା ଉପଖଣ୍ଡୀୟ ମହୁକୁମାସ୍ଥ ମୂଖ୍ୟପଥରେ ଥିବା ବ୍ରିଟିସ ଅମଳର ଝୁଲେନ ପୋଲରେ ଟ୍ରକ ଦୁର୍ଘଟଣା ଘଟି ପୋଲ ଭାଙ୍ଗି ଯିବା ପରେ ଜନସାଧାରଣ ନାହିଁ ନଥିବା ଅସୁବିଧା ପାଉଥିବା ଅଭିଯୋଗ ହୋଇଛି। ଏହି ଦୁର୍ଦଶା ପାଇଁ ପ୍ରଶାସନ ଦାୟୀ ହୋଇଥିବା ଆଜି ଚାଳକ ସଂଘ ଅଭିଯୋଗ କରିଛି। ଏପରିକି ସରକାର, ପ୍ରଶାସନର ଦାୟିତ୍ୱ ହୀନତା ଯୋଗୁଁ ଦୁର୍ଘଟଣା ଘଟି ଯୁବ ଟ୍ରକ ଚାଳକର ମୃତ୍ୟୁ ଘଟିଛି। ଏଥି ସକାଶେ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରି ଆଜି ଓଡିଶା ଡ୍ରାଇଭର ସଂଘ ବାଇପାସ ରାସ୍ତର ମୂଖ୍ୟ ଛକରେ ଅବରୋଧ କରି ରଖିବାରୁ ଲୋକେ ନାହିଁନଥିବା ଅସୁବିଧା ପାଇଥିବା ଦେଖାଯାଇଥିଲା।

କୁଚିଣ୍ଡା ଉପକଣ୍ଠରେ ଥିବା ଝୁଲେନ ପୋଲରେ ଗତ ୯ତାରିଖରେ କ୍ଷିପ୍ରବେଗରେ ଏକ ମାଲବାହୀ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହେବାରୁ ପୋଲ ଭାଙ୍ଗିଯିବା ସହ ଗାଡିରେ ଚାଳକ ପ୍ରାୟ ୧୧ଘଣ୍ଟା ଚାପି ହୋଇ ରହିଥିଲା। ପରଦିନ ୧୦ତାରିଖ ମଧ୍ୟାହ୍ନରେ ପ୍ରଶାସନ ପକ୍ଷରୁ କଟର ସାହାଯ୍ୟରେ ସତର୍କତା ସହ ଗାଡିକୁ କାଟି ଚାଳକକୁ ଉଦ୍ଧାର କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା ଜଟିଳ ଥିବାରୁ କଟକକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗୋଟିଏ ଗୋଡ କଟାଯାଇ ଚିକିତ୍ସା କରାଯାଉଥିଲା। ଗତକାଲି କଟକ ବଡ ମେଡିକାଲରେ ମୃତ୍ୟୁ ଘଟିଥିବା ପ୍ରକାଶ। ଏହାକୁ କେନ୍ଦ୍ର କରି ଓଡିଶା ଚାଳକ ସଂଘ ତୀବ୍ର ଉଦବେଗ ପ୍ରକାଶ କରିଛି।

ପୁରୁଣା ବ୍ରିଟିଶ ଅମଳର ପୋଲ ଏବଂ ପ୍ରଶାସନର ଦାୟିତ୍ୱ ହିନତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରି ବୁଧବାର କୁଚିଣ୍ଡା ସମେତ ଝାରସୁଗୁଡା, ସୁନ୍ଦରଗଡ, ବାମରା, ଜମନକିରା, ଦେବଗଡ ଆଦି ଅଞ୍ଚଳର ଚାଳକ ମାନେ ଜାତୀୟ ରାଜପଥର ବାଇପାସ ରାସ୍ତାର ମୂଖ୍ୟ ଛକରେ ଆନ୍ଦୋଳନ କରିଥିଲେ। ରାସ୍ତା ଉପରେ ତାଙ୍କ ବଲେରୋ ଗାଡି ଗୁଡିକ ରଖିବା ସହ ସମସ୍ତ ରାସ୍ତାକୁ ଅବରୋଧ କରି ରଖିବାରୁ ଯାତାୟତ ସଂପୂର୍ଣ୍ଣ ଠପ ହୋଇ ପଡିଥିଲା। ଅପରାହ୍ନ ପ୍ରାୟ ୧ଟାରୁ ୪ଟା ଯାଏ ଏହି ଆନ୍ଦୋଳନ କରିବାରୁ ଛୋଟ ବଡ ଯାନ ଚଳାଚଳ ବନ୍ଦ ରହିବା ସହ ଯାତ୍ରୀବାହୀ ବସ ଗୁଡିକ ଅଟକି ରହିଥିଲେ। ବାଇକ, ସଇକେଲ ଆଦିକୁ ମଧ୍ୟ ଛାଡିନଥିବା ଯୋଗୁଁ ଅସନ୍ତୋଷ ତୀବ୍ର ହୋଇଥିବା ଦେଖାଯାଇଥିଲା। ପରେ ସାମୟିକ ଭାବେ ବାଇକ ଆରୋହୀଙ୍କୁ ଛାଡିବା ପରେ ପୁଣି ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରିଥିଲେ। ସେମାନେ ସୁନ୍ଦରଗଡ ଜିଲା ବଡଗାଁ ନିକଟସ୍ଥ ଗଡଗଡ ବାହାଲ ମୃତ ଚାଳକ ଭରତ ବାଘର ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା, ତା ଦୁଇ ନାବାଳକ ସନ୍ତାନକୁ ବେସରକାରୀ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢାଇବା ବ୍ୟବସ୍ଥା କରିବା, ତା ସ୍ତ୍ରୀକୁ ଭତ୍ତା ଦେବା ସହ ୫ଲକ୍ଷ ଟଙ୍କାର ପକ୍କା ଘର ଦେବାକୁ ଦାବି କରିଥିଲେ।

ପରେ କୁଚିଣ୍ଡା ତହସିଲଦାର ପ୍ରତିମା ପିଙ୍ଗ, କୁଚିଣ୍ଡା ଉପଖଣ୍ଡ ପୁଲିସ ଅଧିକାରୀ ରାଜକିଶୋର ମିଶ୍ର, ଥାନା ଅଧିକାରୀ ଶୋଭକର ସେଠ ଘଟଣା ସ୍ଥଳରେ ଚାଳକମାନଙ୍କ ସହ ଆଲୋଚନା କରି ଏଦିଗରେ ସହଯୋଗ ଦେବା ଓ ବୀମା ଦିଗରେ ସହାୟତା କରିବାକୁ ଆଶ୍ୱାସନା ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଚାଳକ ସଂଘ କୌଣସି ଆଗୁଆ ସୂଚନା ନଦେଇ ଆକସ୍ମିକ ଅବରୋଧ କରିବା ଯୋଗୁଁ ରାସ୍ତାର ଉଭୟ ପଟେ ଶତାଧିକ ଗାଡି ଅଟକି ରହିଥିଲା। ଉକ୍ତ ରାସ୍ତା ସହର ଠାରୁ ଦୂର ହେଉଥିବା ଯୋଗୁଁ ବସରେ ଥିବା ଯାତ୍ରୀ ମାନେ ଘୋର ଅସୁବିଧା ପାଇଥିବା ଦେଖାଯାଇଥିଲା।

Comments are closed.