ଅନ୍ଧାରୀ ଶାସନ: ମହିଳାଙ୍କୁ ଲଣ୍ଡା କଲା ଜାତିସମାଜ

କୁଚିଣ୍ଡା: କୁଚିଣ୍ଡା ଥାନା ପାରୁଆଭାଡି ଗାଁରେ ଜାତିଆଣ ସମାଜିକ ପ୍ରଥା ନାଁରେ ଅନ୍ଧାରୀ ଶାସନ ଚାଲିଥିବା ଏବଂ ଜନୈକ ବିବାହିତା ୨୫ବର୍ଷିୟ ଯୁବତୀଙ୍କୁ ବାଧ୍ୟବାଧକତାରେ ଲଣ୍ଡା କରିବା ପରି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ମର୍ମାହତ ଯୁବତୀ ଓ ତାଙ୍କ ସ୍ୱାମୀ କୁଚିଣ୍ଡା ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିବା ଜଣାଯାଇଛି।

ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅଧିନସ୍ଥ ପାରୁଆଭାଡି ପଞ୍ଚାୟତ ମହୁକୁମାର ବୁଲି ଛତ୍ରୀୟାଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଉମନ୍ତୀ ଛତ୍ରୀୟାଙ୍କୁ ତାଙ୍କ ପରିବାର ଲୋକେ ଯୌତୁକ ସକାଶେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଉମନ୍ତୀଙ୍କ ଶାଶୁ ଏବଂ ଦେଢଶାଶୁ ଯୌତୁକ ପାଇଁ ଗତ ୫ତାରିଖ ପାଟିତୁଣ୍ଡ କରିବା ସହ କୁଆଡେ ମାଡପିଟ କରି ତାଙ୍କ ବ୍ଳାଉଜ ଚିରିଦେବା ସହ ପିନ୍ଧିଥିବା ଚୁଡିକୁ ଭାଙ୍ଗି ଦେଇଥିଲେ। ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏସଂକ୍ରାନ୍ତରେ ଜାତିଆଣ ସମାଜ ଗତ ୭ତାରିଖ ଏକ ସଭା କରି ଉମନ୍ତୀଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ହଜାର ଅର୍ଥଦଣ୍ଡ ସହ ତାଙ୍କ ମୁଣ୍ଡ ଲଣ୍ଡା କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରି ଲଣ୍ଡା କରିବା ବଦଳରେ ଅର୍ଥ ଦଣ୍ଡ ଅଧିକ କରିବାକୁ ଉମନ୍ତୀଙ୍କ ସ୍ୱାମୀ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣିନଥିବା ଅଭିଯୋଗ ହୋଇଛି। ଏପରିକି ସଭାରେ ଧନେଶ୍ୱର ଧାନ ଏବଂ ରତ୍ନାକର ଛତ୍ରୀୟା ଏକ ନୂତନ ବ୍ଲେଡରେ ବାଳ କାଟିଥିଲେ। ଏହି ଘଟଣାକୁ ଅନ୍ୟମାନେ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିବା ଅଭିଯୋଗ ହୋଇଛି। ଘଟଣାରେ ସରସ୍ୱତୀ ପ୍ରଧାନ, ଶଙ୍କର ମାଝୀ, ଜୟକାନ୍ତି ମାଝୀ, ଧନେଶ୍ୱର ପ୍ରଧାନ, ରତ୍ନାକର ଛତ୍ରୀୟା, ଗୁରୁଚରଣ ଛତ୍ରୀୟା, ଶ୍ରୀକର ଛତ୍ରୀୟା, ଭାସ୍କର ଛତ୍ରୀୟା, ଲକ୍ଷ୍ମଣ ଛତ୍ରୀୟା, ରାମ ଛତ୍ରୀୟା ପ୍ରମୁଖ ସଂପୃକ୍ତ ରହିଥିବା ଉମନ୍ତୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କୁଚିଣ୍ଡା ପୁଲିସ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comments are closed.