ଟ୍ରକ ଚାପାରେ ଶ୍ରମିକଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

କୁଚିଣ୍ଡା: କୁଚିଣ୍ଡା ସହରରେ ବାଇପାସ ରାସ୍ତା ସଂପ୍ରତି ମରଣଯନ୍ତାରେ ପରିଣତ ହୋଇଛି। ପ୍ରଶାସନର ଆବଶ୍ୟକ ପଦକ୍ଷେପ ଅଭାବରୁ କ୍ରମାଗତ ଦୁର୍ଘଟଣା ଘଟୁଥିବା ବେଳେ ଆଜି ପୁଣି ଲାଡର ବାଇପାସ ରାସ୍ତା ପ୍ରବେଶ ପଥରେ ଟ୍ରକ ଚାପାରେ ଜଣଙ୍କର ଜୀବନ ଯାଇଛି। ଏହାର ପ୍ରତିବାଦରେ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥକୁ ୪ଘଣ୍ଟା ଧରି ଅବରୋଧ କରି ରଖିବା ଯୋଗୁଁ ସମ୍ବଲପୁର, ଦେବଗଡ ଆଦି ଅଞ୍ଚଳକୁ ଯାତାୟତ କରୁଥିବା ଗାଡି ଚଳାଚଳ ବନ୍ଦ ରହିବା ସହ ଲୋକେ ନାହିଁନଥିବା ହଇରାଣ ହୋଇଥିବା ଦେଖାଯାଇଥିଲା।
ସୂଚନା ଅନୁଯାଇ କୁଚିଣ୍ଡା ଉପକଣ୍ଠରେ ଥିବା ବ୍ରିଟିସ ଅମଳର ପୋଲ ଭାଙ୍ଗି ଯିବା ପରେ ବାଇପାସ ରାସ୍ତା ଏକ ମାତ୍ର ବିକଳ୍ପ ହୋଇଛି। ଉକ୍ତ ରାସ୍ତାରେ ପ୍ରତିଦିନ ଶହ ଶହ ଯାନାବାହାନ ଯାତୟତ କରୁଥିଲେ ମଧ୍ୟ ଛକ ଗୁଡିକରେ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଗତ ମାସରେ ଚର୍ଚ୍ଚପଡା ଘୋଷା ଛକ ଠାରେ ଜନୈକ ଯୁବକ ଘରକୁ ଫେରୁଥିବା ବେଳେ ଅଜଣା ଟ୍ରକ ଧକ୍କାରେ ଘୋଷା ଗ୍ରାମର ଜନୈକ ୪୫ବର୍ଷିୟ ଯୁବକର ମୃତ୍ୟୁ ଘଟିଥିଲା। ଉତ୍ୟକ୍ତ ଗ୍ରାମବାସୀ ରାତିରେ ଦିର୍ଘସମୟ ଧରି ଆନ୍ଦୋଳନ କରିବା ସହ କ୍ଷତିପୂରଣ ଦାବି କରିବା ପରେ ପ୍ରଶାସନର ତୁରନ୍ତ ହମ୍ସ ପ୍ରତିଷ୍ଠା କରିବା ସହ ରାସ୍ତା ପାର୍ଶ୍ବରେ ଥିବା ଅଞ୍ଚଳକୁ ଜବରଦଖଲ ମୁକ୍ତ କରିଥିଲା। ସଂପ୍ରତି ସେଠାରେ ଦୁର୍ଘଟଣା ହ୍ରାସ ପାଇଥିବା ଦେଖାଯାଉଛି।

 

ମାତ୍ର ଲାଡ ନିକଟସ୍ଥ ବାଇପାସ ପ୍ରବେଶ ପଥରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇନଥିବା ଯୋଗୁଁ ନିକଟରେ ଜନୈକ କଲେଜ ଛାତ୍ରୀ ଦୁର୍ଘଟଣାଗସ୍ତ ହୋଇଥିଲେ। ଆଜି ପୁଣି ଉକ୍ତ ସ୍ଥାନରେ ଏକ ଟ୍ରକ ମାଡି ଯିବାରୁ ଧନଞ୍ଜୟ ପ୍ରଧାନ (୫୩) ନାମକ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଏହାକୁ କେନ୍ଦ୍ର କରି ସଂପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ୟକ୍ତ ଲୋକେ ପ୍ରାୟ ୪ଘଣ୍ଟା ରାସ୍ତା ଅବରୋଧ କରିବା ଯୋଗୁଁ ସଂପୂର୍ଣ୍ଣ ଚଳାଳଚ ବନ୍ଦ ରହିଥିଲା। ବାଇକ, ସାଇକେଲ ଆରୋହୀଙ୍କୁ ମଧ୍ୟ ଛାଡିନଥିବାରୁ ଆଜି ବର୍ଷର ଶେଷ ଦିନରେ ବିଭିନ୍ନ ଅଫିସ ବା ବିଭିନ୍ନ କାମ ସକାଶେ ଯାଉଥିବା ଲୋକେ ନାହିଁନଥିବା ଅସୁବିଧା ସମ୍ମୁଖୀନ ହୋଇଥିବା ଦେଖାଯାଇଥିଲା। ଏହାପରେ କୁଚିଣ୍ଡା ତହସିଲଦାର ପ୍ରତିମା ପିଙ୍ଗ ଆନ୍ଦୋଳନକାରୀଙ୍କୁ ହମ୍ସ ପ୍ରତିଷ୍ଠା କରିବାକୁ ପ୍ରତିଶୃତି ଦେବା ସହ ରେଡକ୍ରସରୁ ଦଶ ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର , ଟ୍ରକ ମାଲିକ ଠାରୁ ଅନୁକମ୍ପା ସହଯୋଗ ଏବଂ ବୀମା ପାଇବା ଦିଗରେ ପଦକ୍ଷେପ ନେବାକୁ ଆଶ୍ୱାସନା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଆଜି ପୁଲସି ଦୁର୍ଘଟଣା ଘଟେଇଥିବା ଟ୍ରକକୁ ଜବତ କରିବା ସହ ମୃତ ଯୁବକର ଶବ ବ୍ୟବଛେଦ କରିଥିବା ଜଣାଯାଇଛି।

Comments are closed.