ଜଳ, ଜମି ଓ ଜଙ୍ଗଲ ଅଧିକାର ଦାବି ନେଇ କୁଚିଣ୍ଡାରେ ଆଦିବାସୀଙ୍କ ବିଶାଳ ଶୋଭାଯାତ୍ରା

କୁଚିଣ୍ଡା: ଜଳ, ଜମି ଓ ଜଙ୍ଗଲର ଅଧିକାର , ପେସା ଆଇନଏବଂ ଭୂସଂସ୍କାର ଆଇନର ସଠିକ କାର୍ଯ୍ୟକାରିତା ଦାବି ନେଇ ଆଜି କୁଚିଣ୍ଡା ଉପଖଣ୍ଡୀୟ ମହୁକୁମାରେ ଲୋକମୁକ୍ତି ସଂଗଠନର ବଡଧରଣର ଶୋଭାଯାତ୍ରା ଓ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଲୋକ ମୁକ୍ତି ସଂଗଠନ ବାମରା ଶାଖାର ଏକ ସମାବେଶ କୁଚିଣ୍ଡାରେ ଅନୁଷ୍ଠିତ ହୋଇଥିଲା। ବନବାସୀଙ୍କୁ ଜଳ,ଜମି ଓ ଜଙ୍ଗଲ ର ଅଧିକାର ଦେବା ସକାଶେ ସରକାରୀ ନିୟମ ରହିଥିଲେ ମଧ୍ୟ ଏହାକୁ ଭଣ୍ଡୁର କରି କର୍ପୋରେଟ ସଂସ୍ଥାକୁ ଟେକିଦେବା ଲାଗି ସରକାରୀ ସ୍ତରରେ ଏକ ମସୁଧା ଚାଲି୍‍ଥିବା ଅଭିଯୋଗ ହୋଇଛି। ସରକାରଙ୍କ ଏହି ପକ୍ଷପାତ ନିତି କାର୍ଯ୍ୟକାରୀ ହେଲେ ଆଦିବାସୀ,ହରିଜନ,ବନବାସୀ ଏବଂ ସାଧାରଣ ଗରୀବ ପରିବାରର ଜିବନ ଜିବିକା ବିପନ୍ନ ହେବା ଆଶଙ୍କା ଉପୁଜିଛି।

ସେହିପରି ସ୍ୱାଧିନତାର ଦିର୍ଘବର୍ଷର ବ୍ୟବଧାନ ସତ୍ତେ୍ୱ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ସକାଶେ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ବିକାଶ ପଛମୁହାଁ ହୋଇ ରହିଥିବା ଅଭିଯୋଗ ହୋଇଛି। ସରକାରୀ ନିୟମର ସଠିକ କାର୍ଯ୍ୟକାରିତା ସହ ଜଙ୍ଗଲ ଜମିର ବ୍ୟକ୍ତିଗତ ଅଧିକାର, ଗୋଷ୍ଠୀ ଜଙ୍ଗଲ ସମ୍ବଳର ଅଧିକାର, ପେସା ଆଇନର ସଠିକ କାର୍ଯ୍ୟକାରି କରିବାକୁ ଦାବି କରିଛି। ସରକାରଙ୍କ ପ୍ରସ୍ତାବିତ ଜଙ୍ଗଲ ସଂରକ୍ଷଣ ସଂଶୋଧନ ଆଇନ ୧୯୮୦କୁ ଲାଗୁ କରିବାକୁ ଯୋଜନା କରିବା ଯୋଗୁଁ ସରକାରଙ୍କ ପେସା ଆଇନ ଏବଂ ଗ୍ରାମସଭାର ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ପ୍ରଭାବିତ କରିବ।

ଏହାର ପ୍ରତ୍ୟାହାର ସହ ଜଳ,ଜମି ଓ ଜଙ୍ଗଲର ଅଧିକାର ଏବଂ ପ୍ରଶାସନିକ ସ୍ତରରେ ଏହାର ସଠିକ କାର୍ଯ୍ୟକାରିତା କରିବାକୁ ସଂଘଠନ ଦାବି କରିଥିଲେ। ଏହି ମର୍ମରେ ଆଜି ବାମରା ବ୍ଲକଶାଖାର ଲୋକମୁକ୍ତି ସଂଗଠନର ଏକ ହଜାରରୁ ଅଧିକ ସଦସ୍ୟ ସଇଡାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ପ୍ଲକାର୍ଡ ଧରି ନାରାବାଜି କରି ସହର ପରିକ୍ରମା କରିଥିଲେ। ପରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବାମରା ବ୍ଲକ ସଂଗଠନ ସଭାପତି ପାତ୍ର ବାଘଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂଗଠନର ଉପଦେଷ୍ଠା ଅନନ୍ତ, ମୂଖ୍ୟ ସଂଯୋଜକ ଜିନିତ୍‍ ସାମାଦ, ହାବିଲ ଏକ୍କା, ବରିଷ୍ଠ କାର୍ଯ୍ୟକର୍ତ୍ତା ଟଙ୍କଧର ସାହୁ, କୈଲାଣ ପିଙ୍ଗ, ଅଶୋକ ମାଝୀ, ଆସିୟାନୀ ସୁରିନ, ସମାଜସେବୀ ସୁବାଷ ନାଏକ, ନାବର କୁଲୁ, ସିମନ ସମାଜ ପ୍ରମୁଖ ସରକାରଙ୍କ ତୃଟିପୂର୍ଣ୍ଣ ପଦକ୍ଷେପର କଠୋର ସମାଲୋଚନା କରିଥିଲେ ଏବଂ ନ୍ୟାର୍ଯ୍ୟ ଅଧିକାର ଦେବାକୁ ଦାବି କରିଥିଲେ।

Comments are closed.