ବସଷ୍ଟାଣ୍ଡ ସ୍ଥାନାନ୍ତରଣ ଓ ରାସ୍ତା ପ୍ରଶସ୍ଥ କରିବାକୁ ଦାବି

କୁଚିଣ୍ଡା: କୁଚିଣ୍ଡା ଉପଖଣ୍ଡୀୟ ମହୁକୁମାରେ ନବ ନିର୍ମିତ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ସହ ସହରର ପ୍ରମୁଖ ରାସ୍ତା ଗୁଡିକ ପ୍ରଶସ୍ଥ କରିବାକୁ ସଚେତନ ମହଲରେ ଦାବି ହୋଇଛି। କ୍ରମବର୍ଦ୍ଧିଷ୍ଣୁ କୁଚିଣ୍ଡା ସହରରେ ବସଷ୍ଟାଣ୍ଡ ଅଞ୍ଚଳ ଭିଡ ହେବା ସହ ଦୋକାନ ବଜାର କେବଳ ଏକକ ସ୍ଥାନରେ ରହିବା ଯୋଗୁଁ ଟ୍ରାଫିକ ସମସ୍ୟା ଗୁରୁତର ହେଉଥିବା ଅଭିଯୋଗ ହେଉଛିା ଏହାର ନିରାକରଣ ସକାଶେ ତୁରନ୍ତ ନୂତନ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରବା ସହ ସହରର ମୂଖ୍ୟ ପଥ ଗୁଡିକ ଓସରିଆ କରିବାକୁ ଦାବି ହେଉଛି। ଅନ୍ୟପକ୍ଷେ ସଂପ୍ରତି ବାଇପାସ ହେବା ପରେ ଚର୍ଚ୍ଚପଡା ନିକଟସ୍ଥ ଘୋଷା ଛକ ଓ ବାଇପାସ ଛକ ମିଳନସ୍ଥଳିରେ ଅବାଧ ବେଆଇନ ଗୃହ ନିର୍ମାଣ ପ୍ରଶାସନ ଓ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ସଂପୃକ୍ତ ଛକରେ ବେଆଇନ ଭାବେ ଏକ ଘର ରାସ୍ତାକୁ ଲାଗି କରାଯାଇଥିବା ଯୋଗୁଁ ସେଠାରେ ଦୁର୍ଘଟଣା ହେବାର ଆଶଙ୍କା ଆସୁଛି। ସଂପୃକ୍ତ ବେଆଇନ ଘରଯୋଗୁଁ ଅପରପାର୍ଶ୍ବ ଦିଶୁ ନଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଘୁଷାରୋଡକୁ ଓସାରିଆ କରିବା ଏବଂ କଲେଜ ରୋଡ ସମେତ ସମସ୍ତ ବ୍ୟସ୍ତ ବହୁଳ ରାସ୍ତାକୁ ପ୍ରଶସ୍ଥ କରିବାକୁ ଦାବି ହେଉଛି।

ଏପରିକି ସହରର ବିଭିନ୍ନ ଅଞ୍ଚଳରେ ଡ୍ରେନେଜ ଉପରେ ବେଆଇନ ଭାବେ ଘର କରିଥିବା ବା ଦୋକାନ ବଜାର କରିଥିବା ବେଆଇନ ଦଖଲକୁ ପ୍ରଶାସନ ରୋକ ଲଗାଉନଥିବା ଯୋଗୁଁ ଲୋକେ ଘୋର ଅସୁବିଧା ପାଉଥିବା ଅଭିଯୋଗ ହେଉଛି। ସଂପ୍ରତି ସହରରେ ଗାଡି ଚଳାଚଳ ବୃଦ୍ଧି ପାଉଥିବା ଯୋଗୁଁ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଏଦିଗରେ ପ୍ରଶାସନ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

Comments are closed.