ଜିଲାପାଳଙ୍କୁ ଅଟକ ରଖିଲେ ଆନ୍ଦୋଳନରତ ଚାଷୀ

କୁଚିଣ୍ଡା : କୁଚିଣ୍ଡା ଉପଖଣ୍ଡରେ ଧାନ କ୍ରୟରେ ଲାଗି ରହିଥିବା ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବା ଅଭିଯୋଗ ହୋଇଛି। ଏହାର ନିରାକରଣ ପାଇଁ ଚାଷୀମାନେ ଆନ୍ଦୋଳନ କରୁଥିବାବେଳେ ଜିଲାପାଳଙ୍କୁ ମଧ୍ୟ ଅଟକ ରଖିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଯୋଗ୍ୟ ଯେ, କୁଚିଣ୍ଡା ଉପଖଣ୍ଡରେ ଧାନ କ୍ରୟ ଅବ୍ୟବସ୍ଥା ଗୁରୁତର ହୋଇଥିବା ଦେଖାଯାଉଛି। ସରକାରଙ୍କ ଦ୍ୱାରା ଦିଆଯାଇଥିବା ଟୋକନ ଅବଧି ସରିଯିବା ଏବଂ ମିଲରମାନେ ତାଙ୍କ ଟାର୍ଗେଟ ପୂରଣ ହୋଇଥିବା କହି ଧାନ ନକିଣିବା ଓ ଚାଷୀଙ୍କ ଟୋକନର ସମୟ ଅବଧି ସରିଯିବା ଯୋଗୁଁ ବିକ୍ରିଯୋଗ୍ୟ ଧାନ ପଡି ରହିଥିବା ଅଭିଯୋଗ ହୋଇଛି। ଏହାର ନିରାକରଣ ଦାବି କରି ଆଜି କୁଟୁରାଚୁଆଁରେ ଚାଷୀମାନେ ଆନ୍ଦୋଳନ କରିଥିଲେ। ସଂପୃକ୍ତ ରାସ୍ତାରେ ଜିଲାପାଳ ଗସ୍ତ କାଳରେ ଚାଷୀମାନେ ଜିଲାପାଳଙ୍କୁ ଅଟକ ରଖି ତାଙ୍କ ସମସ୍ୟା ଅବଗତ କରିବା ସହ ତୁରନ୍ତ ସମାଧାନ କରିବାକୁ ଦାବି କରିଥିଲେ। ପରେ ଜିଲାପାଳ ତାଙ୍କ ସମସ୍ୟା ସମାଧାନ କରିବାକୁ ଆଶ୍ୱାସନା ଦେବା ପରେ ଆନ୍ଦୋଳନ କାରୀମାନେ ଆନ୍ଦୋଳନରୁ କ୍ଷାନ୍ତ ହୋଇଥିଲେ। ଏହାସତ୍ବେ ଆଜି ଚାଷୀଙ୍କ ପ୍ରକୃତ ସମସ୍ୟା ଦୂର ହୋଇ ପାରିନଥିବା ଅଭିଯୋଗ ହୋଇଛି।

Comments are closed.