ସରକାରୀ ମଦ ଦୋକାନରୁ ନକଲି ମଦ ଜବତ, ୨ ଗିରଫ

କୁଆଁପାଳ: ଅବକାରୀ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ପକ୍ଷରୁ କଟକ ଜିଲ୍ଲା ମାହାଙ୍ଗା ଥାନା ଏରକଣା ବଜାରରେ ଥିବା ସରକାରୀ ଠିପି ବନ୍ଦ ଦୋକାନ ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି। ଗୁଇନ୍ଦା ବିଭାଗ ଉପ ଅଧିକ୍ଷକ ପ୍ରବୀର ସାମଲଙ୍କ ନେତୃତ୍ୱରେ ଏକ ଟିମ ମଙ୍ଗଳ ବାର ସଂଧ୍ୟାରେ ଛତିଶଗଡର ମଦ ବ୍ୟବସାୟୀ ସାଳିନୀ ସିଂହଙ୍କ ଏହି ମଦ ଦୋକାନରେ ଅଚାନକ ଚଢ଼ାଉ କରି ଏକ ପେଟି ମ୍ୟାକଡୁଏଲ ନଂ ୧ ମଦ ଜବତ କରିବା ସହ ଦୋକାନକୁ ଆସିଥିବା ଏକ ଟ୍ରିପ ବିଦେଶୀ ମଦକୁ ଜବତ କରିଥିବା ଜଣାଯାଇଛି। ଏହି ଘଟଣାରେ ଦୁଇ ଜଣ ସେଲସମ୍ୟାନଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାଯାଇଛି।

ଅପରପକ୍ଷରେ ମାହାଙ୍ଗା ଅଂଚଳରେ ବ୍ୟାପକ ମାତ୍ରାରେ ବାହାରୁ ନକଲି ମଦ ଆଣି ବିକ୍ରି କରାଯାଉଥିବା ବେଳେ ଦାୟିତ୍ୱରେ ଥିବା ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ଚୁପ ହୋଇ ବସିଥିଲା। କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ ପରେ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗର ଅସଲ ମୁଖା ପଦାରେ ପଡିଛି। ଜବତ ମଦକୁ ଅବକାରୀ ବିଭାଗ ନେଉଥିବା ବେଳେ ସ୍ଥାନୀୟ ଲୋକମାନେ ଗାଡିରୁ ଅଳ୍ପ କିଛି ମଦ ଲୁଟ କରିନେଇ ଥିବା ଜଣାପଡିଛି।

Comments are closed.