ଗୋଦାମ ଗୃହରେ ଭୟାନକ ଅଗ୍ନିକାଣ୍ଡ, ଜଳିଗଲା ୨କୋଟିରୁ ଅଧିକ ଟଙ୍କାର ଝୋଟ

କୁଆଁପାଳ: ମାହାଙ୍ଗା ଥାନା କୁହୁଣ୍ଡା ଗାଁ’ରେ ଥିବା ଏକ ଝୋଟ ଗୋଦାମରେ ଆଜି ମାଧ୍ୟାହ୍ନରେ ଅଚାନକ ନିଆଁ ଲାଗିଯିବା ଫଳରେ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଝୋଟ ଜଳିଯାଇଛି। ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗାଁ’ର ଝୋଟ ବ୍ୟବସାୟୀ ଭୀମସେନ ସାହୁ ଓ ଅର୍ଜ୍ଜୁନ ସାହୁଙ୍କ ଏହି ଗୋଦାମ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏଠାରେ ୩ ହଜାର କ୍ୱିଣ୍ଟାଲରୁ ଅଧିକ ଝୋଟ ମହଜୁଦ ଥିଲା। ଆଜି ମାଧ୍ୟାହ୍ନରେ ଏହି ଗୋଦାମ ଭିତରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଫାୟାର ଷ୍ଟେସନକୁ ଖବର ଦେଇ ଥିଲେ।

ସ୍ଥାନୀୟ ଲୋକମାନଙ୍କ ସହ ଅଗ୍ନିଶମ ବାହିନୀ ପକ୍ଷରୁ ପାଇଁ ତିନିଟି ପମ୍ପ ମାଧ୍ୟମରେ ପାଣି ପକାଇ ନିଆଁକୁ ଆୟତ୍ତ ନିମନ୍ତେ ଉଦ୍ୟମ କରାଯାଇଥିଲା। ଏହି ଗୋଦାମରେ ୩ ହଜାର କ୍ୱିଣ୍ଟାଲରୁ ଅଧିକ ପରିମାଣର ଝୋଟ ଅର୍ଥାତ ଦୁଇ କୋଟିରୁ ଅଧିକ ଟଙ୍କାର ଝୋଟ ସମ୍ପୂର୍ଣ୍ଣ ଜଳି ଯାଇଛି ବୋଲି ଆକଳନ କରାଯାଉଛି।
ସ୍ଥାନୀୟ ଆଖ ପାଖ ଅଞ୍ଚଳର ଲୋକମାନଙ୍କ ସହଯୋଗ ପରେ ଦରପୋଡା ଅବସ୍ଥାରେ ଅଳ୍ପ କିଛି ଝୋଟ ଗୋଦାମ ଘର ଭିତରୁ ବାହାର କରାଯାଇଥିବା ଜଣା ପଡିଛି। ଏହି ଅଭାବନୀୟ ଘଟଣାକୁ ନେଇ ଗୋଦାମ ମାଲିକ ଅର୍ଜୁନି ସାହୁ ଓ ଭୀମସେନ ସାହୁଙ୍କ ମୁଣ୍ଡରେ ଚଡକ ପଡିଛି। ବିଭିନ୍ନ ସୂତ୍ରରୁ ଧାର କରଜ କରି ଉଭୟେ ବେପାର ଝୋଟ ଗୋଦାମରେ ଗଚ୍ଛିତ ରଖିଥିଲେ।

Comments are closed.