କ୍ରିଷ୍ଟାଲ ଟାୱାର ଅଗ୍ନିକାଣ୍ଡ: ବହୁ ଲୋକଙ୍କ ଜୀବନ ବଞ୍ଚାଇଲା ନାବାଳିକା, କାମ ଦେଲା ସ୍କୁଲ ପାଠ

0

ମୁମ୍ବଇ : ‘କ୍ରିଷ୍ଟାଲ ଟାୱାର’ରେ ବୁଧବାର ପୂର୍ବାହ୍ଣରେ ଭୟାବହ ଅଗ୍ନିକାଣ୍ଡ ବେଳେ ବୟସ୍କ ଲୋକମାନେ ଭୟଭୀତ ହୋଇ କାନ୍ଦିକାନ୍ଦି ଅଧୈର୍ଯ୍ୟ ହୋଇପଡୁଥିବା ବେଳେ ଜେନ୍‍ ସଦାବର୍ତ୍ତେ ନାମକ ୧୦ ବର୍ଷ ବୟସ୍କ ଜଣେ ନାବାଳିକା ଶାନ୍ତ ରହିଥିଲେ। ଅଗ୍ନିକାଣ୍ଡ ବେଳେ କିଭଳି ଜୀବନ ରକ୍ଷା କରାଯାଇପାରିବ ସେ ସମ୍ବନ୍ଧରେ ସ୍କୁଲ୍‍ରେ ଦିଆଯାଇଥିବା ଶିକ୍ଷାର ଉପଯୋଗ କରି ସେ ଅନେକ ଲୋକଙ୍କ ଜୀବନ ରକ୍ଷା କରିପାରିିଛନ୍ତି। ଏପରିକି ଅଗ୍ନିଶମ ବିଭାଗର କିଛି କର୍ମଚାରୀଙ୍କୁ ମଧ୍ୟ ସେ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ନିମନ୍ତେ ବହୁମୂଲ୍ୟ ପରାମର୍ଶ ଦେଇ ପ୍ରଶଂସିତ ହୋଇଛନ୍ତି। ଜେନ୍‍ କହିଛନ୍ତି, ପୂର୍ବାହ୍ଣ ସମୟରେ ସେ ପରିବାରର ଅନ୍ୟ ଲୋକଙ୍କ ସହିତ ଶୋଇଥିବା ବେଳେ ହଠାତ୍‍ ବଡ଼ଧରଣର ବିସ୍ଫୋରଣ ଶବ୍ଦ ହେଲା। ତତ୍‍କ୍ଷଣାତ୍‍ ଝରକା ଓ କବାଟର କାଛ ଭାଙ୍ଗି ସବୁଆଡେ ବିଛାଡି ହୋଇ ପଡିଥିଲା। ଏହା ଦେଖି ତାଙ୍କ ମା’ ପରିବାରର ଅନ୍ୟ ଲୋକମାନଙ୍କୁ ଡାକପକାଇଥିଲେ। ସେତେବେଳେକୁ ସବୁଆଡେ ନିଆଁ ଓ ଧୂଆଁ ଖେଳିଯାଇଥିଲା। କେହି ନିଃଶ୍ୱାସ ନେଇ ପାରି ନ ଥିଲେ। ସମସ୍ତେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ଭୟରେ ଚିତ୍କାର କରୁଥିବା ବେଳେ ଜେନ୍‍ କିନ୍ତୁ ଶାନ୍ତ ରହିଥିଲେ। ଅଗ୍ନିକାଣ୍ଡରୁ ରକ୍ଷା ପାଇବା ଲାଗି ଗ୍ରେଡ୍‍-୩ରେ ପଢା ଯାଇଥିବା ପାଠ ତାଙ୍କର ମନେ ପଡିଲା। ଓଦା କପଡ଼ା ନାକ ଉପରେ ରଖି ନିଃଶ୍ୱାସ ନେବା ଲାଗି ସେ ଅନ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ତୁରନ୍ତ ଏକ ଲୁଗାକୁ ରୁମାଲ ଭଳି ଖଣ୍ଡଖଣ୍ଡ କରି ଚିରି ଓଦା କରିବା ପରେ ସଭିଙ୍କ ମଧ୍ୟରେ ବାଣ୍ଟିଥିଲେ। ଏଭଳି କରିବା ଦ୍ୱାରା ଧୁଆଁମୟ ପରିବେଶ ମଧ୍ୟରେ ଶୁଦ୍ଧବାୟୁ ଗ୍ରହଣ କରିହେବ ବୋଲି ସେ ଦର୍ଶାଇଥିଲେ। ଜେନ୍‍ଙ୍କ ମହଲାରେ କିଛି ଆଜ୍‍ମା ରୋଗୀ ମଧ୍ୟ ଥିଲେ। ଓଦା କପଡା ଦ୍ୱାରା ସେମାନେ ବିଶେଷ ଲାଭବାନ ହୋଇ ନ ପାରି ନିଃଶ୍ୱାସ ପ୍ରଶ୍ୱାସ ନେବାକୁ ବ୍ୟାକୁଳ ହେଉଥିବା ବେଳେ ଜେନ୍‍ ସେମାନଙ୍କୁ ବାୟୁ ବିଶୋଧକ ଯନ୍ତ୍ର ବ୍ୟବହାର କରିବାକୁ ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଅଟ୍ଟାଳିକାର ତଳେ ଥାଇ ନିଆଁ ଲାଗିଥିବା ମହଲାର ଲୋକଙ୍କୁ ତଳକୁ ଆସିବାକୁ କହିଥିଲେ। ମାତ୍ର ଜେନ୍‍ ତୁରନ୍ତ ସେମାନଙ୍କୁ ଟେଲିଫୋନ୍‍ କରି କହିଥିଲେ, ଏଭଳି କରିବା ଦ୍ୱାରା ଲୋକେ ଭୟଭୀତ ହୋଇ ଦୌଡିବେ। ଫଳରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହେବ ଏବଂ ଲୋକେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଭୋଗିବେ। ଜେନ୍‍ଙ୍କ କଥା ଶୁଣିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରିବାର ଅନ୍ୟ ବିକଳ୍ପ ପନ୍ଥା ଆପଣାଇଥିଲେ। ଜେନ୍‍ କୁହନ୍ତି ୭ ବର୍ଷ ବୟସରେ ସେ ବିପର୍ଯ୍ୟୟ ପରିଚାଳନା ଉପରେ ଏକ ବିଶେଷ ଅନୁଧ୍ୟାନ କରିଥିଲେ, ଯଦ୍ଦ୍ୱାରା ଏ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେ ଶିକ୍ଷାଲାଭ କରିଥିଲେ। ଜେନ୍‍ ଏବେ ଷଷ୍ଠ ଶ୍ରେଣୀର ଛାତ୍ରୀ।

Leave A Reply