ଡ଼ିସେମ୍ବର ସୁଦ୍ଧା ଭାରତରେ ମିଳିବ କରୋନା ଟୀକା, ଗୋଟିକୁ ୧ ହଜାର ଟଙ୍କା

କରୋନା ସଂକ୍ରମଣର ବିପଜ୍ଜନକ ସ୍ଥିତି ମଧ୍ୟରେ ଆସିଛି ଭଲ ଖବର । କରୋନା ଟୀକା ଉପରେ ଗବେଷଣା କରୁଥିବା କମ୍ପାନୀ ଆସନ୍ତା ଡ଼ିସେମ୍ବର ମାସ ମଧ୍ୟରେ ଭାରତରେ କରୋନା ଟୀକା ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ଏହି ସମୟ ମଧ୍ୟରେ ଅନ୍ୟୂନ ୩୦୦ ରୁ ୪୦୦ ନିୟୁତ କରୋନା ଟୀକା ପ୍ରସ୍ତୁତ ହୋଇଥିବ ବୋଲି ମଧ୍ୟ ଏହି କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।

ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଏସଆଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାୱାଲା ଇଣ୍ଡିଆ ଟୁଡ଼େକୁ ଦେଇଛନ୍ତି ଏହି ସୂଚନା । ସେ କହିଛନ୍ତି ଯେ ଡ଼ିସେମ୍ବର ବେଳକୁ ତାଙ୍କ କମ୍ପାନୀ ଅନ୍ୟୂନ ୩୦୦ ନିୟୁତ କରୋନା ଟୀକା ପ୍ରସ୍ତୁତ କରିପାରିବ । ଶ୍ରୀ ପୁନାବାଲା ଏଷ୍ଟ୍ରୋଜେନେକା ଓ ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟ ଦ୍ବାରା କୋବିଡ଼-୧୯ ଟୀକାର ପ୍ରାରମ୍ଭିକ ପ୍ରୟୋଗରେ ଦେଖାଯାଇଥିବା ସଫଳତାକୁ ମଧ୍ୟ ଉଲ୍ଲେଖ କରିଛନ୍ତି ।  ସେ କହିଛନ୍ତି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ କୋବିଡ଼-୧୯ ଟୀକାର ପ୍ରୟୋଗରେ ସଫଳତା ମିଳିଛି । ଏହା ଅତ୍ୟନ୍ତ ଖୁସିର କଥା । ଏକ ସପ୍ତାହ ମଧ୍ୟରେ ଭାରତ ସରକାରଙ୍କ ଠାରୁ ଲାଇସେନ୍ସ ନିମନ୍ତେ ଆବେଦନ କରାଯିବ । ଅନୁମତି ମିଳିବା କ୍ଷଣି ଟୀକା ପରୀକ୍ଷଣ ଆରମ୍ଭ କରାଯାଇପାରିବ ଓ ବହୁ ପରିମାଣର ଟୀକା ପ୍ରସ୍ତୁତ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ।

ଏହି ଅବସରରେ ଏସଏସଆଇର ସିଇଓ ଶ୍ରୀ ପୁନାୱାଲା କରୋନା ଟୀକାର ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା ମଧ୍ୟରେ ରହିବ ବୋଲି ଆକଳନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଏସଏସଆଇ ପ୍ରଥମରୁ ବର୍ଷକ ମଧ୍ୟରେ କରୋନା ଟୀକା ଉଦ୍ଭାବନ କରିବ ବୋଲି ଦାବି କରିଥିଲା ।  କରୋନା ଟୀକା ଉପରେ କାର୍ଯ୍ୟ ଆରମ୍ଭ ସହ ଅଗଷ୍ଟ ୨୦୨୦ରେ ଏହାର ମାନବ ପରୀକ୍ଷଣ କରିପାରିବ ବୋଲି ସୂଚନା ଦେଇଥିଲା ।

Comments are closed.