କୋଭିଡ୍‌-୧୯ ନିୟମ ଲଙ୍ଘନ – ୨୪ ଘଣ୍ଟାରେ ୨୧ ମାମଲା

- ଓଡ଼ିଶାରେ କରୋନା ପଜିଟିଭ୍‌ ୧୫୭, ସୁସ୍ଥ ୫୭

ସମାଜ ପୋର୍ଟାଲ ଡେସ୍କ: ଓଡ଼ିଶାରେ ଗତ ରାତି ସୁଦ୍ଧା ୩୬ହଜାର ୫୯୩ଟି କୋଭିଡ୍‌-୧୯ ନମୁନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୫୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୫୭ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି। ଜଣେ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୧୦୦ ରହିଛି। ୧୯୯ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ଅଛନ୍ତି।

କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୭୨୬୧ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି। ଏଥିରେ ମୋଟ ୧,୮୭,୩୯୫ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଆଜି ରାଜ୍ୟର ୫୪୧୦ ଗ୍ରାମ ପଞ୍ଚାୟତରେ ୩,୩୯,୪୫୦ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ୧୧୪ ଟି ପୌରାଞ୍ଚଳରେ ୪୦,୭୪୬ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୧ରୁ ମଇ ୨ ତାରିଖ ସକାଳ ପର୍ୟ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୧ଟି ମାମଲା ଦାୟର କରାଯାଇଛି। ସେଥିରୁ ୧୯ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ପାଇଁ ଏବଂ ୧ଟି ଅନ୍ୟାନ୍ୟ କୋଭିଡ୍‌-୧୯ ସଂପର୍କିତ ଘଟଣା ପାଇଁ ଅଟେ। ବିଭିନ୍ନ ଅଭିଯୋଗରେ ୫୮ ଜଣଙ୍କୁ ଗିରଫ କରାଯାଇଛି।

କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଏବଂ କମିଶନର, ରେଳ କୋର୍ଡିନେସନ୍‌ ମନୋଜ କୁମାର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.