କୋଟିଆ କଳି : ଆନ୍ଧ୍ରର ନିର୍ବାଚନ ଫଳାଫଳ ଘୋଷଣା ପରେ ପାଗ ଭିଡ଼ିଲା ଓଡ଼ିଶା

କୋରାପୁଟ : କୋଟିଆକୁ ତିନୋଟି ପଞ୍ଚାୟତରେ ଭାଗ ଭାଗ କରି ସେଠାରେ ସୁରୁଖୁରୁରେ ନିର୍ବାଚନ କରାଇ ଫଳାଫଳ ଘୋଷଣା କରିବା ପରେ ଆନ୍ଧ୍ର ବେଶ ଉତ୍ସାହିତ ଥିବାବେ‌େ‌ଳ କୋଟିଆ ପଞ୍ଚାୟତରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା। ଏ ମର୍ମରେ‌ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି ।
ଓଡ଼ିଶା ମାଟିରେ ନିଜ ସଙ୍ଗଠନ ବିସ୍ତାର କରିବାକୁ ଆନ୍ଧ୍ରର ଶାସକ ଦଳ ୱାଇଏସଆର କଂଗ୍ରେସ ଅଣ୍ଟା ଭିଡ଼ିଛି। ଗତକାଲି ଘୋଷିତ ଫଳାଫଳ ଶାସକ ଦଳ ସପକ୍ଷରେ ଯିବା ପରେ ଦଳ ଏଭଳି ପ୍ରସ୍ତୁତି ଆରମ୍ଭ କରିଛି। ମଣ୍ଡଳପରିଷଦ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀ(ଏମପିଟିସି) ଏବଂ ଜିଲାପରିଷଦ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀ (ଜେଡପିଟିସି) ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଶାସକ ଦଳ ବେଶ ଉତ୍ସାହିତ ହୋଇପଡ଼ିଛି। ଓଡ଼ିଶାର ସମସ୍ତ ପ୍ରୟାସ ସତ୍ତ୍ବେ ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆ ପଞ୍ଚାୟତର ତିନୋଟି ପଞ୍ଚାୟତ ଗଞ୍ଜେଇଭଦ୍ରା, ପାଟୁଚିନେରୁ ଓ ଫଗୁଣଚିନେରୁରେ ଆନ୍ଧ୍ର ପକ୍ଷରୁ ସୁରୁଖୁରୁରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିଲା। ଦୁଇଟିରେ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବାବେଳେ ଗଞ୍ଜେଇଭଦ୍ରାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଆନ୍ଧ୍ର ଶାସକ ଦଳର ପ୍ରାର୍ଥୀ ବିଜୟୀ ଘୋଷିତ ହୋଇଛନ୍ତି। ପୂର୍ବରୁ କୋଟିଆ ପଞ୍ଚାୟତରେ ସରକାରୀ କଳ ସହ ପୁଲିସ ପ୍ରଶାସନର ଉପସ୍ଥିତି ଦେଖିବାକୁ ମିଳୁଥିବାବେଳେ ଏବେ ସେଠାକାର ଶାସକ ଦଳର ଜିତାପଟ ପରେ ରାଜନୈତିକ ସମ୍ପୃକ୍ତି ବଢ଼ିବାର ଆଶଙ୍କା ରହିଛି। ଲୋକ ପ୍ରତିନିଧିମାନେ ଆନ୍ଧ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ପ୍ରଚାର କରି କୋଟିଆ ଦଖଲ ଯୋଜନାକୁ ଆହୁରି ସକ୍ରିୟ କରିବାର ଆଶଙ୍କା ପ୍ରକାଶ ପାଇଛି। ଏପଟେ ଓଡ଼ିଶା ପଟରୁ କୋରାପୁଟ ଜିଲାର ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗଙ୍କ ସ୍ବର ଶିଥିଳ ପଡ଼ିଥିବା ଅନୁମାନ କରାଯାଉଛି । ପୂର୍ବରୁ କୋଟିଆରେ ଆନ୍ଧ୍ରକୁ ପୂରାଇ ଦେବେନାହିଁ ବୋଲି ଚିତ୍କାର କରୁଥିବା ନେତୃବର୍ଗ କିଛିଦିନ ହେଲା କୋଟିଆ କଥାକୁ ସତେ ଯେପରି ଭୁଲିଯାଇଥିବା ଅନୁମାନ କରି ହେଉଛି।
ଏପରିକି ପଟାଙ୍ଗି ବିଧାୟକ କୋଟିଆ ମାଟିରେ ଅନୁପ୍ରବେଶକାରୀଙ୍କୁ ପୂରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ ଅନେକ ଘଟଣାରେ କୋଟିଆରେ ଆନ୍ଧ୍ରର ଉପସ୍ଥିତି ଓ ସ୍ପନ୍ଦନ, ଜନସମ୍ପର୍କ ଶିବିର ନଁାରେ ଆନ୍ଧ୍ର ପୁଲିସ ପ୍ରଶାସନ, ରାଜନୈତିକ ନେତାଙ୍କ ଘନଘନ ଉପସ୍ଥିତି ଦେଖିବାକୁ ମିଳୁଛି । କୋଟିଆରେ ବିଗତ ଦିନରେ କୋରାପୁଟର ବହୁ ନେତା, ନାରୀ ନେତ୍ରୀଙ୍କ ସମାଗମ ଓଡ଼ିଶାର ଶକ୍ତି ପ୍ରଦର୍ଶନ କରିଥିଲେ ହେଁ ପରବର୍ତ୍ତୀ ସମୟରେ ଆନ୍ଧ୍ର ପକ୍ଷରୁ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଆଦି କାର୍ଯ୍ୟକ୍ରମ ଜାରି ରହିଛି । ଗୋଟିଏ ପଟେ କୋଟିଆବାସୀଙ୍କୁ ପ୍ରଲୋଭିତ କରି ନିଜ ଆଡ଼କୁ ଟାଣି ନେଇ କୋଟିଆକୁ ଦଖଲ କରିବା ପାଇଁ ଆନ୍ଧ୍ର ନିଜର ସମସ୍ତ ବୁଦ୍ଧି ବିବେକ ଖଟାଇ ଗୋଟି ଚାଳନାରେ ସଫଳ ହୋଇଥିବାବେଳେ ଓଡ଼ିଶା ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଉଛି। ନିଜ ମାଟିକୁ ବଞ୍ଚାଇବା ପାଇଁ ଓଡ଼ିଶା ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା କରି ରହିଥିବାବେଳେ ଆନ୍ଧ୍ର ଏସବୁ ଉଲ୍ଲଙ୍ଘନ କରି ଆସୁଥିବା ଅଭିଯୋଗ ହେଉଛି ା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ କୋଟିଆକୁ ତିନୋଟି ପଞ୍ଚାୟତ କରି ଲୋକପ୍ରତିନିଧି ନିଯୁକ୍ତି ଦେଇ ଆନ୍ଧ୍ର ରାଜନୈତିକ ଭିତ୍ତିକୁ ସୁଦୃଢ଼ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଓଡ଼ିଶା ସରକାର କୋଟିଆକୁ ଗୋଟିଏ ପଞ୍ଚାୟତରେ ସୀମିତ ରଖିଛନ୍ତି ା ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ବେଳେ ଆନ୍ଧ୍ରର ଲୋକପ୍ରତିନିଧି କୋଟିଆରେ ବିଭେଦ ସୃଷ୍ଟି କରି ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଆଶଙ୍କା ଥିବାରୁ ଓଡ଼ିଶା ସରକାର ବେଳହୁଁ ସଚେତନ ହେବାର ଆବଶ୍ୟକତା ରହିଥିବା ମତପ୍ରକାଶ ପାଉଛି ା

Comments are closed.