ଶିଶୁ ମୃତ୍ୟୁ ରୋକିବାରେ ବିଫଳ ଗେହଲଟଙ୍କ ପ୍ରଳାପ : କହିଲେ ସିଏଏ ଓ ଏନଆରସିରୁ ଧ୍ୟାନ ହଟାଇବା ପାଇଁ ପ୍ରୟାସ

କୋଟା : ରାଜସ୍ଥାନ କୋଟାସ୍ଥିତ ଜେ.କେ. ଲୋନ୍‌ ସରକାରୀ ହସ୍ପିଟାଲ୍‌ରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଛି। ଗତ ୪୮ ଘଣ୍ଟା ମଧ୍ୟରେ ୯ ଜଣ ଶିଶୁଙ୍କର ମୃତ୍ୟୁ ହେବା ପରେ ଏହି ସଂଖ୍ୟା ୧୦୦ ଛୁଇଁଛି। ଶିଶୁ ମୃତ୍ୟୁକୁ ରୋକିବାରେ ବିଫଳ ହୋଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏନେଇ ରାଜନୀତି କରାଯାଉଥିବା କହିଛନ୍ତି। ସେ କହିଛନ୍ତି, ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସିକୁ ନେଇ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରୁ ଧ୍ୟାନ ହଟାଇବା ପାଇଁ ଏଭଳି କରାଯାଉଥିବା ସେ କହିଛନ୍ତି।
ସେ କହିଛନ୍ତି, ଆଜି ମୁଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିଛି। ଏବଂ ସେ ନିଜେ ଏଠାକୁ ଆସି ସ୍ଥିତି ଦେଖିଯିବାକୁ କହିଛି। ଆପଣ ନିଜେ ମନ୍ତ୍ରୀ ହୋଇଥିବାରୁ ଏଠାକୁ ଆସି ଦେଖିଗଲେ ସ୍ଥିତି ବିଷୟରେ ଠିକ କଥା ଜାଣିପାରିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କହିଥିବା ଗେହଲଟ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ସମସ୍ଥ ସହାୟତା ଯୋଗାଇଦେବାପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ଗତବର୍ଷ କୋଟାସ୍ଥିତ ଜେ.କେ. ଲୋନ୍‌ ସରକାରୀ ହସ୍ପିଟାଲ୍‌ରେ ୯୬୩ଜଣ ମୃତ୍ୟୁ ବରଣ କରିଥିଲେ। ସରକାରୀ ସୁବିଧା ସୁଯୋଗ ଯୋଗୁଁ ୨୦୧୮ ତୁଳନାରେ ୨୦୧୯ରେ ଶିଶୁ ମୃତ୍ୟୁକୁ ଅନେକ ମାତ୍ରାରେ ରୋକାଯାଇ ପାରିଛି ବୋଲି ହସ୍ପିଟାଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ଜନ୍ମ ସମୟରେ କମ୍‌ ଓଜନ କାରଣରୁ ଶିଶୁମାନଙ୍କର ମୃତ୍ୟୁ ହେଉଛି ବୋଲି ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ବିଜେପିର ଏକ ସଂସଦୀୟ ଦଳ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛି। ଚିକିତ୍ସାରେ ଅବହେଳା ଓ ମେଡିକାଲ୍‌ରେ ଭିତ୍ତିଭୂମିର ଅଭାବ ଯୋଗୁଁ ଶିଶୁମାନଙ୍କର ମୃତ୍ୟୁ ହେଉଛି ବୋଲି ବିଜେପି ପ୍ରତିନିଧି ଦଳ ଅଭିଯୋଗ କରିଛି।

Comments are closed.