‘କରୋନା ଭାଇରସ’ ଆତଙ୍କ: ପାରାଦୀପ ବନ୍ଦରରେ ଆଲର୍ଟ

ଜଗତସିଂହପୁର: ଚୀନରୁ ସୃଷ୍ଟି ହୋଇ କ୍ରମଶଃ ଅନ୍ୟ ଦେଶକୁ ବ୍ୟାପୁଥିବା ‘କରୋନା ଭାଇରସ’ ସଂକ୍ରମଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି ହୋଇଛି। କରୋନାଭାଇରସ ଚିହ୍ନଟ ଓ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରମୁଖ ଡାକ୍ତରଖାନାକୁ ଚିଠି ପଠାଇଛି। ନିର୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ଏହି କ୍ରମରେ ସୋମବାର ପାରାଦୀପ ବନ୍ଦରରେ ଆଲର୍ଟ ଜାରି କରାଯାଇଛି। ଜଗତସିଂହପୁର ଜିଲ୍ଲାପାଳ ଓ ବନ୍ଦରର ମୁଖ୍ୟଚିକିତ୍ସା ଅଧିକାରୀ ପୋର୍ଟ ହସ୍ପିଟାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା‌ ପାଇଁ ବନ୍ଦର ପରିସରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଦେଶରୁ ଆସୁଥିବା ଜାହାଜର କର୍ମଚାରୀଙ୍କୁ ପରୀକ୍ଷା ପରେ ବନ୍ଦର ଅଞ୍ଚଳକୁ ଛଡାଯିବାକୁ ନିର୍ଦେଶ ଜାରି କରାଯାଇଛି। ଅନ୍ୟ ପକ୍ଷରେ ପାରାଦୀପ ବନ୍ଦରର ୪ ନମ୍ବର ଗେଟ୍ରେ ସ୍କାନର ଲଗା ଯାଇଛି। ପୋର୍ଟ ହସ୍ପିଟାଲରେ କରୋନା ଭୂତାଣୁ ମୁକାବିଲା ପାଇଁ ଏକ ଆଇସିୟୁ ୟୁନିଟ୍ ମଧ୍ୟ ଖୋଲା ଯାଇଛି।

ସୂଚନାଯୋଗ୍ୟ ପାରାଦୀପ ବନ୍ଦରରେ ଆଲର୍ଟ ଜାରି ହେବାପୂର୍ବରୁ ଝାରସୁଗୁଡ଼ା ଓ ଭୁବନେଶ୍ବର ବିମାନ ବନ୍ଦରରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ବିମାନବନ୍ଦରରେ ସନ୍ଦିଗ୍ଧଙ୍କୁ ଆକ୍ରାନ୍ତ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ଝାରସୁଗୁଡା ବିମାନବନ୍ଦର ଦେଇ ସିଧାସଳଖ କଲକାତା ଓ ନୂଆଦିଲ୍ଲୀକୁ ବିମାନ ଚଳାଚଳ କରୁଥିବା ଯୋଗୁଁ ଚୀନ, ହଂକଂ ଓ ଥାଇଲାଣ୍ଡ ପ୍ରମୁଖ ଅଞ୍ଚଳରୁ ଆସୁଥିବା ଯାତ୍ରୀଙ୍କ ଠାରେ ସନ୍ଦିଗ୍ଧ ଭୂତାଣୁ ବିହ୍ନଟ ବ୍ୟବସ୍ଥା କରାଯାଇଛି। ଭାଇରସର ମୁକାବିଲା ପାଇଁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, କଟକ ଏସ୍ସିବି ମେଡିକାଲ କଲେଜ ହସ୍ପିଟାଲ୍ ଓ ସମ୍ବଲପୁର ଭିମସାରରେ ସ୍ୱତନ୍ତ୍ର ୱାର୍ଡ ଖୋଲା ଯାଇଛି।

Comments are closed.