ପର୍ଯ୍ୟଟକଙ୍କ ସଂଖ୍ୟାରେ ୧୦ଗୁଣା ବୃଦ୍ଧି

କରୋନା ଡର ଭିତରେ ଡାକୁଛି କୋରାପୁଟ

କୋରାପୁଟ  (ଜିତେନ୍ଦ୍ରକୁମାର ମିଶ୍ର) : ୨୦୧୯ ଡିସେମ୍ବରେ କରୋନା ସମଗ୍ର ବିଶ୍ବକୁ ଥରହର କରିଥିବାବେଳେ ଚଳିତବର୍ଷ ଧୀରେଧୀରେ ପର୍ଯ୍ୟଟନ ଶିଳ୍ପ ଅଣ୍ଟା ସଳଖୁଛି। ସାମ୍ପ୍ରତ୍ତିକ ସମୟରେ ‘ଓମିକ୍ରନ’ ନାମରେ ନୂଆ ରୂପରେ କରୋନା ସମଗ୍ର ଦେଶରେ ଭୟ ସୃଷ୍ଟି କରିଥିବା ଯୋଗୁଁ ରାଜ୍ୟ ବାହାରକୁ ଯିବାକୁ ଅନିଚ୍ଛା ପ୍ରକାଶ କରୁଥିବା ପର୍ଯ୍ୟଟକ ଏବେ କୋରାପୁଟ  ମୁହାଁ ଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଶୂନ ରହିଥିଲେ ହେଁ ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ପର୍ଯ୍ୟଟକଙ୍କ କୋରାପୁଟ ଆସୁଛନ୍ତି। ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଚଳିତବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟାରେ ପ୍ରାୟ ୧୦ଗୁଣା ବୃଦ୍ଧି ପାଇଛି। ଦେଓମାଳିକୁ ସର୍ବାଧିକ ପର୍ଯ୍ୟଟକ ଆସୁଥିବା ଜଣାପଡ଼ିଛି। ପ୍ରତ୍ୟେକ ରବିବାର ପ୍ରାୟ ୧୦ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ଏହି ଶୃଙ୍ଗରେ। ଦେଓମାଳି ଭଳି ଇକୋ ରିଟ୍ରିଟର ମାନ୍ୟତା ପାଇଥିବା ପୁଟସିଲ ଓ ପେଣ୍ଡାଜାମ ଟେବୁଲ ମାଉଣ୍ଟେନ ପର୍ଯ୍ୟଟକଙ୍କୁ ଆକାର୍ଷିତ କରୁଛି। ଏସବୁ ଭିତରେ ଘନ କୁହୁଡ଼ିର ଚାଦରରେ ଢାଙ୍କି ହୋଇଥିବା କୋରାପୁଟ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇପାରିଛି ।
କୋରାପୁଟରେ ବହୁ ଅନାଲୋଚିତ ପର୍ଯ୍ୟଟନ କ୍ଷେତ୍ରରେ ଲୁକ୍କାୟିତ ଅବସ୍ଥାରେ ରହିଥିଲେ ହେଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ମାତ୍ର ୧୩ଟି ସ୍ଥାନକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଗୁପ୍ତେଶ୍ବର, ସୁବାଇ, ନନ୍ଦପୁର, ଡୁଡୁମା, ସୁନାବେଡ଼ା, ଜଲାପୁଟ, କୋରାପୁଟ(ଶାବର ଶ୍ରୀକ୍ଷେତ୍ର, କଫି ବୋର୍ଡ, ଆଦିବାସୀ ସଂଗ୍ରହାଳୟ), ଅପରକୋଲାବସ୍ଥିତ ବାଗ୍ରା ଜଳପ୍ରପାତ, ଦେଓମାଳୀ, ଗୁଲୁମି, କେଚେଲା, ରାଜା ଗୁମ୍ଫା ଏବଂ ବାଲଡା ଗୁମ୍ଫା ରହିଥିବାବେଳେ ଅନେକ କ୍ଷେତ୍ର ପର୍ଯ୍ୟଟନ ମାନଚିତ୍ରରୁ ବାହାରେ ରହିଥିଲେ ମଧ୍ୟ ପର୍ଯ୍ୟଟକଙ୍କ ମନ ମୋହୁଛି। ଶାବରଶ୍ରୀକ୍ଷେତ୍ର ଓ ଗୁପ୍ତେଶ୍ବର ଭଳି ଦୁଇଟି ପ୍ରସିଦ୍ଧ ଧାର୍ମିକ କ୍ଷେତ୍ର କୋରାପୁଟରେ ଅବସ୍ଥିତ। କେବଳ ଶୀତଦିନ ନୁହେଁ ବର୍ଷସାରା ଏହି ଦୁଇ ପୀଠକୁ ଶହଶହ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ପର୍ଯ୍ୟଟନ ବିଭାଗର ସୂଚନା ଅନୁସାରେ ୨୦୨୦ରେ କରୋନାର ଭୟାବହତା ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ଅତି ନଗଣ୍ୟ ଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ପ୍ରାୟ ୧୦ଗୁଣା ବୃଦ୍ଧି ଘଟିଛି।
ସେହିଭଳି କୋରାପୁଟ ସହରରେ ଥିବା ଶାବରଶ୍ରୀକ୍ଷେତ୍ର ସମେତ କଫି ବୋର୍ଡ, ଆଦିବାସୀ ସଂଗ୍ରହାଳୟ ଆଦି ସ୍ଥାନକୁ ୨୦୧୮ରେ ୧ଲକ୍ଷ ୩୩ହଜାର ୮୬୭ଜଣ, ୧ଲକ୍ଷ ୭୭ହଜାର ୬୦୯ଜଣ ପର୍ଯ୍ୟଟକଙ୍କ ଆଗମନ ହୋଇଛି। ୨୦୧୯ରେ କୋରାପୁଟକୁ ସର୍ବାଧିକ ୧୩୦୪ଜଣ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଛି ା ଅନ୍ୟାନ୍ୟ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ଦେଓମାଳୀକୁ ୨୦୧୯ରେ ୬୨ହଜାର ୭୪୨ଜଣ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା। ସେହିଭଳି ଡୁଡୁମା ଜଳପ୍ରପାତ ଦେଖିବାକୁ ୨୦୧୯ରେ ସର୍ବାଧିକ ୧୨୮୭ଜଣ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଥିବା ଜଣାପଡ଼ିଛି। ସେହିଭଳି ସୁନାବେଡ଼ା ଓ ସେମିଳିଗୁଡ଼ା ଅଞ୍ଚଳକୁ ୨୦୧୯ରେ ୯୯ହଜାର ୭୩ଜଣ ପର୍ଯ୍ୟଟକ ଆସିଛନ୍ତି।
ଜିଲାରେ ଅନେକ ପର୍ଯ୍ୟଟନସ୍ଥଳ ଥିଲେ ହେଁ ପ୍ରାୟ ସବୁଠାରେ ଉନ୍ନତ ଭିତ୍ତିଭୂମିର ଅଭାବ ପରିଲକ୍ଷିତ ହୋଇଛି। କୌଣସି ସ୍ଥାନକୁ ସରକାରୀ ବସ ସୁବିଧା ନ ଥିବାରୁ ପର୍ଯ୍ୟଟକ ବହୁ ଖର୍ଚ୍ଚାନ୍ତ ହୋଇ ବେସରକାରୀ ଯାନବାହାନ ଭଡ଼ା କରି ଯିବାକୁ ବାଧ୍ୟ ହେଉଛନ୍ତି। ଏହା ସାଙ୍ଗକୁ ପ୍ରସିଦ୍ଧ ଦେଓମାଳୀରେ ସେଭଳି ସୁବିଧା ସୁଯୋଗ ନ ଥିବା ପରିଲକ୍ଷିତ ହେଉଛି । ବିଭିନ୍ନ ସ୍ଥାନକୁ ଅନ୍ତତଃ ପର୍ଯ୍ୟଟନ ଋତୁରେ କୋରାପୁଟ ସଦର ମହକୁମାରୁ ସରକାରୀ ବସ ସେବା କରାଯିବା, ଦେଓମାଳୀରେ ପର୍ଯ୍ୟଟକଙ୍କ ପାଇଁ ପାନୀୟ ଜଳ ସୁବିଧା କରାଯିବାକୁ ବହୁ ପର୍ଯ୍ୟଟକ ଦାବି ଜଣାଇଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଏସବୁ ସ୍ଥାନ ନାହିଁ। ତଥାପି କୋଟିଆ ଏବେ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଦେଓମାଳି ଆସୁଥିବା ସଂଖ୍ୟାଧିକ ପର୍ଯ୍ୟଟକ କୋଟିଆ ଗସ୍ତ କରି ସେଠାରେ‌େ ଫଟୋ ଉଠାଇବାର ମଜା ନେଉଥିବା ଦେଖିବାକୁ ମିଳୁଛି । ସେହିଭଳି କୁନ୍ଦୁଲି ହାଟପଦାରେ ପର୍ଯ୍ୟଟକମାନେ ଅଟକି ସେଠାରୁ ଅଦା ଓ ଅନ୍ୟାନ୍ୟ ସାମଗ୍ରୀ କିଣୁଛନ୍ତି। ଡୁଡୁମା ଯାଉଥିବା ପର୍ଯ୍ୟଟକ ଅନକାଡେଲି ହାଟରେ ବିରଳ ଜନଜାତି ବଣ୍ଡାଙ୍କୁ ଦେଖିବା ଓ ସେମାନଙ୍କ ଠାରୁ କିଛି କିଣି ନେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାଦ୍ବାରା ସେଠାକାର ଆଦିବାସୀ ନିଜ ଉତ୍ପାଦିତ ସାମଗ୍ରୀର ପ୍ରକୃତ ମୂଲ୍ୟ ପାଇ ପ୍ରତ୍ୟକ୍ଷ ଭାବେ ଲାଭବାନ ହୋଇପାରୁଥିବା ଓ ଅର୍ଥନୀତି ଉପରେ ଏହାର ସୁପ୍ରଭାବ ପଡ଼ୁଥିବା ଚର୍ଚ୍ଚା ହୁଏ। ଅନ୍ୟପକ୍ଷରେ ଚାଷୀ ଓ ଗ୍ରାହକଙ୍କ ମଧ୍ୟରେ ଫାଙ୍କର ସୁବିଧା ନେଉଥିବା ଦଲାଲଙ୍କୁ ଫାଇଦା ପହଞ୍ଚିପାରୁନାହିଁ।

Comments are closed.