କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ହେବନି ରଥଯାତ୍ରା

କୋରାପୁଟ: କୋରାପୁଟ ଜିଲାରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଶାବର ଶ୍ରୀକ୍ଷେତ୍ର ଭାବେ ପରିଚିତ। କରୋନା କଟକଣା ଯୋଗୁ କୋରାପୁଟ ଜିଲାର କୌଣସି ଜଗନ୍ନାଥ ମନ୍ଦିର ବାହାରେ ରଥଟଣା ହେବ ନାହିଁ। ଏହି ପରିପ୍ରେକ୍ଷୀରେ କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବାହାରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ। ଏଥିନେଇ ଜୟପୁର ତହସିଲ୍‌ଦାର ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୋରାପୁଟ ଜିଲା ପାଇଁ ଚିଠି ଲେଖିଛନ୍ତି। କୋରାପୁଟ ଜିଲାରେ ଦେବୋତ୍ତର ଏବଂ ବ୍ୟକ୍ତିଗତ ଭାବେ ପରିଚାଳିତ ଜଗନ୍ନାଥ ମନ୍ଦିରରେ କୋଭିଡ୍‌-୧୯ ନିୟମ ଅନୁପାଳନ ପୂର୍ବକ ମନ୍ଦିର ବାହାରେ ରଥଯାତ୍ରା ପାଳନ କରିବା ନେଇ ଜୟପୁର ତହସିଲ୍‌ଦାର ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ କଟକଣା ଜାରି କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି।
କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଚଳିତ ବର୍ଷ କୋରାପୁଟ ଜିଲା ସମେତ ଶାବର ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର ବାହାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ। କୋରାପୁଟରେ ଶ୍ରୀଜଗନ୍ନାଥ ମନ୍ଦିର ବାହାରେ ରଥ ନ ଟାଣିବାକୁ ମନ୍ଦିର ପ୍ରଶାସନକୁ ଜିଲାପାଳ ଚିଠି ଲେଖିଛନ୍ତି। ମନ୍ଦିର ପରିସରରେ ସୀମିତ ସେବାୟତଙ୍କୁ ନେଇ ନୀତିକାନ୍ତ ସାରିବାକୁ ନିର୍ଦେଶ ଦେବା ସାଙ୍ଗକୁ ସାମାଜିକ ଦୂରତ୍ବ ସହ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। କୌଣସି ଭକ୍ତ ଯେଭଳି ଉପସ୍ଥିତ ନ ରହିବେ ସେଥିନେଇ ମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ ଧ୍ୟାନ ଦେବା ପାଇଁ ଜିଲାପାଳ ଚିଠିରେ ଉଲ୍ଲେଖ କରିଛନ୍ତି।
ଦେଶରେ କଟକଣା ନିୟମ ଲାଗୁ ହେବା ଦିନଠାରୁ ଶାବର ଶ୍ରୀକ୍ଷେତ୍ର ପରିଚାଳନା କମିଟି ପକ୍ଷରୁ ଶ୍ରୀଜଗନ୍ନାଥ ରଥଯାତ୍ରା ପାଇଁ ଏକ ଛୋଟ ରଥ ନିର୍ମାଣ କରାଯାଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ରଥ ମନ୍ଦିର ପରିସରରେ ଟଣାଯିବ ବୋଲି ଜଣାପଡ଼ିଛି।
କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା। ବହୁ ବର୍ଷ ଧରି ଏଠାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି। ଗତବର୍ଷ ଏଠାରେ ରଥଯାତ୍ରା ପାଇଁ ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନ ରଥ ନିର୍ମାଣ କରାଯାଇଥିଲା ଏବଂ ପ୍ରଥମ ଥର ପାଇଁ ପୁରୀ ଶ୍ରୀକ୍ଷେତ୍ର ଭଳି କୋରାପୁଟ ଶାବର କ୍ଷେତ୍ରରେ ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନରେ ତିନି ଦିଅଁଙ୍କୁ ବିଜେ କରାଯାଇ ମନ୍ଦିର ବାହାରେ ଆଡ଼ମ୍ବର ସହକାରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। କୋରାପୁଟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ମାଉସୀମା ମନ୍ଦିର ଛକ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ରଥଟଣା ଅନୁଷ୍ଠିତ ହେଉଛି।

Comments are closed.