ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

0

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ତହସିଲ ଅନ୍ତର୍ଗତ କୋଡ଼ିପଦର ଛକଠାରେ ହାଇୱା ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବରଅନୁସାରେ କୋରାପୁଟ ଜିଲା କାକିରିଗୁମା ଥାନା ଅନ୍ତର୍ଗତ କୁସୁମଗୁଡ଼ା ପଞ୍ଚାୟତ ବିରାଗୁଡାର ଦୁର୍ଯ୍ୟୋଧନ ଦାମୁ(୬୦) ନାମକ ଜଣେ ବୃଦ୍ଧ ଗାଇ ଚରାଉଥିବା ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ତେବେ ଶନିବାର ଅପରାହ୍ଣରେ କୋଡ଼ାଙ୍ଗାମାଳିରୁ ବକ୍ସାଇଟ୍‍ ନେଇ ଏକ ହାଇୱା କାକିରିଗୁମା ରେଳବାଇ ଷ୍ଟେସନ ନିକଟସ୍ଥ ଡମ୍ପିଙ୍ଗ ସ୍ଥାନକୁ  ଯାଉଥିବା ବେଳେ  ଗାଈ ଚରାଉଥିବା ଦୁର୍ଯ୍ୟୋଧନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହାଇୱା ଡ୍ରାଇଭର ଦୁର୍ଘଟଣା ପରେ ଥାନାରେ ଯାଇ ଅତ୍ମ ସମର୍ପଣ କରିଥିଲା। ଘଟଣାଟି ଅପରାହ୍ଣ ପ୍ରାୟ ସାଢ଼େ ଦୁଇଟାରେ ଘଟିବା ପରେ ସଙ୍ଗେସଙ୍ଗେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ମାନେ କୋରାପୁଟ-ରାୟଗଡ଼ା ଜାତୀୟ ରାଜପଥକୁ ଅବରୋଧ କରି କ୍ଷତିପୂରଣ ଦାବି କରିବା ସହିତ ଜିଲାପାଳ ଓ ପରିବହନ ଠିକା ନେଇଥିବା ମୈତ୍ରୀ କମ୍ପାନୀର ମାଲିକ ଘଟଣା ସ୍ଥଳରେ ଉପସ୍ଥିତ ହେବାକୁ ଅଡ଼ି ବସିଛନ୍ତି। ଫଳରେ ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଛି। କାକିରିଗୁମା ପୁଲିସ ସହିତ ଲକ୍ଷ୍ମୀପୁର ତହସିଲଦାର ମଧୁମିତା ପାମଲାକର, ବି.ଡି.ଓ ବେଣୁଧର ଶବର ଓ ଏସ.ଡି.ପି.ଓ. ତପନ ନାରାୟଣ ରଥ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ବୁଝା ସୁଝା କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ତାଙ୍କର ଜୀଦ୍‍ ରେ ଅଟଳ ଥିବାରୁ କୌଣସି ସମାଧାନର ସୂତ୍ର ବାହାରି ପାରି ନାହିଁ। ଯାହାଦ୍ବାରା ରାତ୍ର ୧୦ଟା୩୦ ଶୁଦ୍ଧା ରାସ୍ତାରୋକ ହଟିନାହିଁ। ସୂଚନାଯୋଗ୍ୟ କୋଡ଼ିଙ୍ଗାମାଳିରୁ ପ୍ରତିଦିନ ୩ଶହରୁ ଊର୍ଦ୍ଧ୍ୱ ହାଇୱାମାଲ ପରିବହନ କରୁଥିବା କାରଣରୁ ରାସ୍ତାରେ ଯାତାୟତ କରୁଥିବା ଜନସାଧାରଣ କ୍ଷଣକ୍ଷଣକେ ମୃତ୍ୟୁ ସହିତ ସମ୍ନା କରୁଛନ୍ତି କହିଲେ ଚଳେ ଯେଉଁଥିପାଇଁ ବହୁବାର ଏନେଇ ଜିଲାପାଳଙ୍କ ସହିତ ପୁଲିସର ଦ୍ୱାରସ୍ତ ହୋଇଛନ୍ତି। ଏପରିକି ବେପରୁଆ ଭାବେ ଗାଡ଼ି ଚାଳନା ସହିତ ଦୃତ ଗତୀ ମଧ୍ୟ ଏହାର ମୁଖ୍ୟ କାରଣ। କିନ୍ତୁ ମାସ ମାସ ହେବ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ପ୍ରଶାସନ କର୍ଣ୍ଣପାତ ନକରିବା କାରଣରୁ ଏଭଳି ଘଟଣା ଘଟୁଛି ବୋଲି ଅଞ୍ଚଳବାସୀଙ୍କ ସହିତ ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି।

Leave A Reply