ଆଳୁ ଯୋଗାଇଛି ଆହାର

କୋରାପୁଟ: ଲକଡାଉନ ବେଳେ ପରିବା ବ୍ୟବସାୟୀ ଚିନ୍ତାରେ ପଡ଼ିଥିବାବେଳେ ପରିବା କ୍ଷତିର ଭରଣା ଆଶା ଦେଖାଇଛି ଆଳୁ ଚାଷ। କହିବାକୁ ଗଲେ ଅଭାବ ସମୟରେ ଆଳୁ ହିଁ ଏଭଳି ଚାଷୀଙ୍କୁ ଆହାର ଯୋଗାଇଛି। କ୍ଷେତରେ ଫଳୁଛି ଫସଲ, ଆଉ କ୍ଷେତକୁ ଦେଖି ନୂଆ ସ୍ବପ୍ନ ଓ ନୂଆ ସମ୍ଭାବନା ଦେଖୁଛି ଚାଷୀ।

କରୋନା କଟକଣା ଭିତରେ ମାର୍ଚ୍ଚ ମାସ ଶେଷ ଆଡ଼କୁ ସମଗ୍ର ଦେଶରେ ଲାଗୁ ହୋଇଥିଲା ଲକଡାଉନ।  ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ଚାଷୀକୂଳ। ନିଜ ଉତ୍ପାଦିତ ପନିପରିବା ବିକ୍ରିବଟା ନେଇ ଚିନ୍ତାରେ ପଡ଼ିଥିଲେ। ଧାର କରଜ କରି ଚାଷବାସ କରିଥିବା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଗଲା। ବାହାର ବ୍ୟବସାୟୀ ନ ଆସିବାରୁ ସ୍ଥାନୀୟ ବଜାରରେ ବହୁ କମ ଦରରେ ଉତ୍ପାଦିତ ପନିପରିବା ବିକ୍ରି କରି କ୍ଷତି ସହିଥିଲା। ଏଭଳି ସମୟରେ କୋରାପୁଟରେ ପଞ୍ଜାବ ଆଳୁ ଚାଷ ଚାଷୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି। ବର୍ଷବର୍ଷ ଧରି ବିଭିନ୍ନ କିସମର ଆଳୁ ବିହନ ଲଗାଇ ଚାଷୀ ବ୍ୟବସାୟ କରି ଆସୁଛନ୍ତି। କେତେବେଳେ ଦେଶୀ ଆଳୁ , କେତବେଳେ ନାଲି ଆଳୁ ଉତ୍ପାଦନ କରି ବଜାରରେ ନିଜ ସ୍ଥିତି ଜାହିର କରିବା ପାଇଁ ଚେଷ୍ଟା କରିଛି ଚାଷୀକୂଳ। ବର୍ତ୍ତମାନ ଆଳୁ ଗଛରେ ଯେଉଁ ମାତ୍ରାରେ ଫୁଲ ଧରିଛି ଓ ଗଛ ଯେଉଁଭଳି ବଢୁଛି ତାକୁ ଦେଖିଲେ ଚାଷୀର ସପନ ସାକାର ହେବ ବୋଲି ବହୁ ଚାଷୀ ଆଶା ପ୍ରକାଶ କରିଛନ୍ତି।

କୋରାପୁଟ ଜିଲାରେ ଅଧିକାଂଶ ବ୍ଲକରେ ଆଳୁ ଚାଷ ହୋଇଥିାଏ। ସାଧାରଣତଃ ବର୍ଷକୁ ଦୁଇଥର ଏହି ଚାଷ ହୋଇଥାଏ। ଶୀତଦିନିଆ ଓ ବର୍ଷାଦିନିଆ ଆଳୁ ଚାଷ ହେଉଥିବାବେଳେ ରାଜ୍ୟରେ କେବଳ କୋରାପୁଟ ଜିଲାରେ ଅଧିକ ପରିମାଣରେ ବର୍ଷାଦିନିଆ ଆଳୁ ଚାଷ ହେଉଥିବାବେଳେ ଫୁଲବାଣୀର କିଛି ଅଂଶରେ ଏହି ଚାଷ ହୋଇଥାଏ। ଶୀତଦିନେ ପ୍ରାୟ ସମସ୍ତ ବ୍ଲକରେ ଆଳୁ ଚାଷ ହେଉଥିବାବେଳେ ବର୍ଷାଦିନେ ସେମିଳିଗୁଡ଼ା, ନନ୍ଦପୁର, ପଟାଙ୍ଗି, ଦଶମନ୍ତପୁର ସମେତ ଲମତାପୁଟ ଓ ଲକ୍ଷ୍ମୀପୁରର କିଛି ଅଂଶରେ ବର୍ଷାଦିନିଆ ଚାଷ ହେଉଛି। କୋରାପୁଟ ଜିଲାରେ ଏହି ଦୁଇ ଋତୁରେ ପ୍ରାୟ ୧୨୦୦ରୁ ୧୫୦୦ଏକର ଜମିରେ ଆଳୁ ଚାଷ ହୋଇପାରୁଥିବାବେଳେ ପ୍ରାୟ ଏକହଜାର ହେକ୍ଟର ଜମିରେ ଆଳୁ ଚାଷ ହେଉଛି। ଗୋଟିଏ ହେକ୍ଟର ଜମିରେ ପାଖାପାଖି ୧୫ରୁ ୨୦କ୍ବିଣ୍ଟାଲ ଆଳୁ ଚାଷ ହେଉଥିବାବେଳେ ୪ରୁ ୫ଥରରେ ପ୍ରାୟ ୬୦ରୁ ୭୦କ୍ବିଣ୍ଟାଲ ଆଳୁ ଉତ୍ପାଦନ ହୋଇଥାଏ। ବର୍ଷାଦିନେ ଗୋଟିଏ ହେକ୍ଟର ଜମିରୁ ୪୦ରୁ ୪୫କିଣ୍ଟାଲ ଆଳୁ ଉତ୍ପାଦନ ହେଉଥିବାବେଳେ ବର୍ଷାଦିନିଆ ଚାଷରେ ଏଭଳି ପ୍ରାୟ ୪ହଜାର ୫୦୦ ମେଟ୍ରିକ ଟନ ଆଳୁ ଉତ୍ପାଦନ ହୋଇପାରୁଥିବା ଉଦ୍ୟାନ ବିଭାଗ ସୂତ୍ରରୁ ଜଣାଯାଇଛି। ଶୀତଦିନେ ଏହି ଜିଲାର ଚାଷୀଙ୍କଠାରୁ ଆନ୍ଧ୍ରର ବେପାରୀ ଆଳୁ ନେଇଯାଉଥିବାବେଳେ ବର୍ଷାଦିନେ ଏହି ଜିଲାର ଆବଶ୍ୟକତା ମେଣ୍ଟାଇଥାଏ ଏହି ଆଳୁ। ଏହିସବୁ ଅଞ୍ଚଳରେ ଏକାସଙ୍ଗେ ହଜାର ହଜାର କ୍ୱିଣ୍ଟାଲ ଆଳୁ ଉତ୍ପାଦନ ହେଇଥିବା ଯୋଗୁଁ ଶୀତଲଭଣ୍ଡାର ଅଭାବ ମଧ୍ୟସ୍ତି ସାଜୁଥିବା ବ୍ୟବସାୟୀଙ୍କୁ ଅଧିକ ଓ ଚାଷୀକୁ କମ ଲାଭ ଦେଉଥିବା ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଆଳୁ, ପାଣି ଆଳୁ ହୋଇଥିବା ଯୋଗୁଁ ବାହାରେ ମାସେ ମଧ୍ୟ ରହିପାରିବ ନାହିଁ। ତେଣୁ ସରକାର ଶୀତଳଭଣ୍ଡାର ସ୍ଥାପନା କଲେ ଚାଷୀଙ୍କ ସମସ୍ୟା ଦୂର ହୋଇପାରନ୍ତା ବୋଲି ବହୁ ଚାଷୀ ମତବ୍ୟକ୍ତ କରନ୍ତି। ଅନ୍ୟପକ୍ଷରେ ଏ ନେଇ କୋରାପୁଟ ଉଦ୍ୟାନ ବିଭାଗ ଉପ ନିର୍ଦେଶକ ପ୍ରମୋଦକୁମାର ସେଠୀଙ୍କ ସହ ଯୋଗାଯୋଗ କରିବାରୁ ଜିଲାରେ ଶୀତଳ ଭଣ୍ଡାର ଅଛି।

ଆମ୍ବାଗୁଡ଼ାରେ ଗୋଟିଏ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଥିବାବେଳେ ସୁନାବେଡ଼ାରେ ଗୋଟିଏ ଶୀତଳଭଣ୍ଡାର ନିର୍ମାଣ ହୋଇସାରିଥିବା ଓ କାର୍ଯ୍ୟକ୍ଷମ ହଲେ ପ୍ରାୟ ୧୦ହଜାର ମେଟ୍ରିକ ଟନ ଆଳୁ ରଖାଯାଇପାରିବ ବୋଲି ପ୍ରକାଶ କରିଛନ୍ତି।

Comments are closed.