କୋଏମ୍ବାଟୁରରେ ବାସୁଛି କୋରାପୁଟର ଚନ୍ଦନ ; ମାଣ୍ଡିଆ ପେଜରୁ ଚାଇନିଜ ଖାଦ୍ୟ ପ୍ରସ୍ତୁତିରେ ପାରଙ୍ଗମ

କୋରାପୁଟ (ଜିତେନ୍ଦ୍ରକୁମାର ମିଶ୍ର): କୋଏମ୍ବାଟୁରରେ ବାସୁଛି କୋରାପୁଟ ପଲ୍ଲିର ଚନ୍ଦନ। ପଲ୍ଲିରେ ମଉଳି ଝଡ଼ି ପଡ଼ିବାକୁ ବସିଥିବାବେଳେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୁଶଳ ଯୋଜନା(ଡିଡିୟୁଜିକେୱାଇ) ବାଟ ଦେଖାଇଲା। ଆଉ ମାତ୍ର ତିନିମାସର ତାଲିମ ପାଇବା ପରେ କୋଏମ୍ବାଟୁରରେ ବାସୁଛି ଏହି ଗାଉଁଲି ପୁଅ ଚନ୍ଦନ। ଗୁରୁତ୍ୱପୂର୍ଣ୍ଣ କଥା ଯେଉଁ ହାତ କେବଳ ମାଣ୍ଡିଆ ଜାଉ ତିଆରି ଶିଖିଥିଲା ସେ ହାତ ଏବେ ଚାଇନିଜ ଖାଦ୍ୟ ପ୍ରସ୍ତୁତିରେ ସମ୍ପୂର୍ଣର୍ ଦକ୍ଷ। ଏହା ସାଙ୍ଗକୁ ଉତ୍ତର ଓ ଦକ୍ଷିଣ ଭାରତୀୟ ଖାଦ୍ୟ ପ୍ରସ୍ତୁତିରେ ଦକ୍ଷତା ହାସଲ କରିଥିବା ଚନ୍ଦନ କୋରାପୁଟିଆ ଭାଷାରୁ କନ୍ନଡ଼ ଓ ତାମିଲ ଭାଷାରେ ପାରଙ୍ଗମ ହାସଲ କରିପାରିଛନ୍ତି।
କୋରାପୁଟ ଜିଲା ଜୟପୁର ବ୍ଲକ ବଡ଼ଜୀଉନା ପଞ୍ଚାୟତ କାଳିଆଗାଁ ନିକଟ ପଡ଼େଇକେରା ଅଞ୍ଚଳର ଭଗବାନ ହରିଜନ ଓ କୌଶଲ୍ୟା ହରିଜନଙ୍କ ସାନ ପୁଅ ଅଟନ୍ତି ଚନ୍ଦନ ହରିଜନ। ନିଜର ଅଳ୍ପ ଜମି ଥିବାରୁ ଭଗବାନ ଅନ୍ୟ ଜମିରେ କାମ କରି ପରିବାର ଚଳାନ୍ତି, କୌଶଲ୍ୟା ଗୃହିଣୀ। ପରିବାରର ଆର୍ଥିକ ଦୁସ୍ଥିତି ଯୋଗୁଁ ବଡ଼ ପୁଅ ଭଗବାନଙ୍କୁ ଚାଷ କାମରେ ସହଯୋଗ କରନ୍ତି। ପାଠ ପ୍ରତି ଆଗ୍ରହ ରଖିଥିବା ଚନ୍ଦନଙ୍କ ପାଠପଢ଼ା ମଧ୍ୟ ଆର୍ଥିକ ଅନଟନ ମଧ୍ୟରେ ଆଉ ଆଗେଇପାରେନାହିଁ। ଆବଶ୍ୟକ ଟ୍ୟୁସନ ଓ ପ୍ରୋତ୍ସାହନ ଅଭାବରୁ ଚନ୍ଦନ ମାଟ୍ରିକ ଉତ୍ତୀର୍ଣ୍ଣ ହୋଇପାରନ୍ତିନାହିଁ। ତାଙ୍କ ସହପାଠୀମାନେ ସାଇକଲରେ ବିଦ୍ୟାଳୟ ଯାଉଥିବାବେଳେ ତାଙ୍କ ଆଗରେ ସାଇକଲ ଧରି ଟ୍ୟୁସନ ଯିବାବେଳେ ଚନ୍ଦନଙ୍କ ଭାରି ଇଚ୍ଛା ହୁଏ ସେମାନଙ୍କ ସହ ସାଇକଲ ଧରି ପାଠପଢ଼ି ଯିବା ପାଇଁ। ଅର୍ଥାଭାବ କିନ୍ତୁ ତାଙ୍କୁ ଅଟକାଇ ରଖିଥିଲା। ମାଟ୍ରିକ ପରୀକ୍ଷାରେ ବିଫଳ ହେବା ପରେ ମାନସିକ ଦୁଶ୍ଚିନ୍ତାରେ ବୁଡ଼ି ରହିଥିଲେ ଚନ୍ଦନ। ଏତିକିବେଳେ ଦୀନଦୟାଲ ଉପାଧ୍ୟାନ ଗ୍ରାମୀଣ କୁଶଳ ଯୋଜନାର ଜଣେ ଅଧିକାରୀ ତାଙ୍କ ଗାଁକୁ ଯାଇଥିବାବେଳେ ଚନ୍ଦନଙ୍କୁ ବୁଝାସୁଝା କରି ଏହି ଯୋଜନାରେ ତାଲିମ ନେବା ପାଇଁ ପ୍ରବର୍ତ୍ତାଇଥିଲେ। ବାସ୍‍ ଉକ୍ତ ଅଧିକାରୀଙ୍କ କଥାରେ ଚନ୍ଦନ ଆଗ୍ରହ ଦେଖାଇ ଜୟପୁରସ୍ଥିତ ତାଲିମ କେନ୍ଦ୍ରରେ ହୋଟେଲ ମ୍ୟାନେଜମେଣ୍ଟରେ ତିନିମାସ ତାଲିମ ନେଇଥିଲେ। ପରେ ତାଙ୍କୁ ବାଙ୍ଗାଲୋରରେ ଏକ ହୋଟେଲରେ କର୍ମସଂସ୍ଥାନ ମିଳିଥିଲା। ସେଠାରେ କିଛିଦିନ ରହିବା ପରେ ଅନ୍ୟ ଏକ ସ୍ଥାନକୁ ତାଙ୍କର ବଦଳି ହୋଇଥିଲା ଓ ପରବର୍ତ୍ତୀ ସମୟରେ କୋଏମ୍ବାଟୁରର ଏକ ନାମୀ ହୋଟେଲରେ ତାଙ୍କୁ ଯୋଗଦେବାକୁ ପଡ଼ିଥିଲା। ସେଠାରେ ତାଙ୍କୁ ମାସିକ ପ୍ରାୟ ୧୩ହଜାର ଟଙ୍କା ପାରିଶ୍ରମିକ ମିଳୁଛି। ଏହାସହ ହୋଟେଲ ମାଲିକଙ୍କ ପକ୍ଷରୁ ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି। ଏବେ ଚନ୍ଦନ ସେଠାରେ ଜଣେ ଦକ୍ଷ ରୋଷେୟା। ଚାଇନିଜ ଖାଦ୍ୟ ପ୍ରସ୍ତୁତିରେ ସମ୍ପୂର୍ଣ୍ଣ ଦକ୍ଷ ଚନ୍ଦନ ଉତ୍ତର ଓ ଦକ୍ଷିଣ ଭାରତୀୟ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ପାରଙ୍ଗମ। କୋରାପୁଟିଆ ଭାଷା କହୁଥିବା ଚନ୍ଦନ ମାତ୍ର ଦୁଇମାସ ଭିତରେ କାନ୍ନାଡ଼ା ସିନେମା, ଓ କାନ୍ନାଡ଼ା ଗୀତ ଶୁଣି କାନ୍ନାଡ଼ା ଭାଷାରେ ଦକ୍ଷତା ହାସଲ କରିଥିବାବେଳେ ତାମିଲ ଭାଷା ମଧ୍ୟ ଶିଖିପାରିଛନ୍ତି। କରୋନା କଟକଣା ଭିତରେ ତାଲା ବନ୍ଦ ପରିସ୍ଥିତି ବେଳେ ତାଙ୍କ ମା’ ମଧ୍ୟ ଚନ୍ଦନଙ୍କୁ ଭିଟାମାଟିକୁ ଫେରି ଆସିବା ପାଇଁ କହିଥିଲେ। ତେବେ ମା’ଙ୍କୁ ବୁଝାଇ ଭଲରେ ଥିବା କହିଥିଲେ ଚନ୍ଦନ। ସେଠାରେ ଡ୍ୟୁଟି ନ ଥିବା ଯୋଗୁଁ ସ୍ୱଳ୍ପ ଦରମା ଦେଉଥିଲେ ମଧ୍ୟ ଖାଇବା ଓ ରହିବା ପାଇଁ ମାଲିକ ମାଗଣା ବ୍ୟବସ୍ଥା କରିଥିବା ଚନ୍ଦନ କହନ୍ତି। ଆଜି ପୁଣିଥରେ ଡ୍ୟୁଟି ଆରମ୍ଭ ହୋଇଥିବା ଯୋଗୁଁ ଚନ୍ଦନ ଖୁସି ବ୍ୟକ୍ତ କରି କଷ୍ଟ ବେଳେ ଭାବପ୍ରବଣତାର ଶିକାର ନ ହୋଇ ପରିସ୍ଥିତିର ସାମ୍ନା କରିପାରିଲେ ଧୀରେଧୀରେ କଷ୍ଟ ଲାଘବ ହୋଇଯିବ ବୋଲି ଚନ୍ଦନ ମତ ଦିଅନ୍ତି। ତାଙ୍କ ସହ ମାଲକାନଗିରି, ନବରଙ୍ଗପୁର ଜିଲାର ପ୍ରାୟ ୧୦ଜଣ ଓଡ଼ିଆ ପିଲା ରହିଥିବା ସେ କହନ୍ତି। କରୋନା ମହାମାରୀ ଆରମ୍ଭ ହେବା ବେଳକୁ ସେ ମଧ୍ୟ ଚିନ୍ତା କରିଥିଲେ ଗାଁକୁ ଫେରି ଆସିବା ପାଇଁ। ତେବେ ଗାଁକୁ ଗଲେ ପୁଣି ଅଭାବ ଓ ପରିବାରର ବିକଳ ଚିତ୍ର ବେକାରି ସଜାଇଦେବ ଭାବି ପରିସ୍ଥିତିକୁ ସାମ୍ନା କରି ଆଜି ସେ ଘର ପାଇଁ ରୋଜଗାରିଆ ପୁଅ ହୋଇପାରିଥିବାବେଳେ ବାପା,ମା’ ଓ ଭାଇଙ୍କ ମୁହଁରେ ହସ ଫୁଟାଇପାରିଛନ୍ତି ବୋଲି ପ୍ରକାଶ କରନ୍ତି। ତାଙ୍କ ଭଳି ଅନେକ ପିଲା କୋରାପୁଟ ମାଟିରେ ଆଜି ଅପାଠୁଆ, ଅଶିକ୍ଷିତ ଓ ବେକାରି ପରିଚୟରେ ବଞ୍ଚିି ରହିଥିବାବେଳେ ଚନ୍ଦନ ଆଜି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଭିଟାମାଟିର ଭାବପ୍ରବଣତା ବନ୍ଧନରୁ ମୁକ୍ତ ହୋଇ ପରିସ୍ଥିତିର ସାମ୍ନା କରି ବେକାରର ପରିଚୟରେ ବଞ୍ଚିବା ଅପେକ୍ଷା ବାହାରେ କର୍ମଜୀବୀ ହେବାରେ ଅଧିକ ଆନନ୍ଦ ବୋଲି ତାଙ୍କର ମତ।

Comments
Loading...