ପାଠୁଆ ଏବେ ଗାଈ ଚରାଳି; ୮୦ପ୍ରତିଶତ ପିଲା ଶିକ୍ଷାରୁ ବଞ୍ଚିତ

କୋରାପୁଟ : ପିଲା ମୋ ଯାଇଛି ଗାଈ ଚରାଇ। ମାଳଭୂମିରେ ଏବେ ଏହି କଥା ଶୁଣିବାକୁ ମିଳୁଛି। ଅବିଭକ୍ତ କୋରାପୁଟ ଜିଲାର ଚାରିଗୋଟି ଜିଲା କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲାରେ ସମାନ ପରିସ୍ଥିତି। କରୋନା କାଳରେ ଶିକ୍ଷା ବ୍ୟବସ୍ଥାର ଏଭଳି ବିକଳ ଚିତ୍ର ସାକ୍ଷରତା ହାରରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରୁ ସର୍ବଦା ପଛୁଆ ରହୁଥିବା ଏହି ଜିଲା ଗୁଡ଼ିକରେ ବିଷମ ପରିସ୍ଥିତି ସୃଷ୍ଟି କରିଛି। ଚାରିଗୋଟି ଜିଲାର ପ୍ରାଥମିକ ବିଦ୍ୟାଳୟ ସାଙ୍ଗକୁ ଉଚ୍ଚବିଦ୍ୟାଳୟ ଏପରିକି ମହାବିଦ୍ୟାଳୟସ୍ତରର ପାଠପଢ଼ା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ମୋବାଇଲ ନେଟୱର୍କ ସମସ୍ୟା ସାଙ୍ଗକୁ ବିଦ୍ୟୁତ ସମସ୍ୟା ପିଲା ଓ ପାଠ ମଧ୍ୟରେ ଏକ ବିରାଟ ପାଚେରି ଛିଡ଼ା କରାଇଛି। କରୋନା କଟକଣା ଭିତରେ ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ଅନଲାଇନ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ଏହିସବୁ ଅଞ୍ଚଳରେ ଦେଖିବାକୁ ମିଳୁଛି। ଛୋଟ ପିଲା ଗାଈ ଚରାଇବାକୁ ଯାଉଥିବାବେଳେ ବଡ଼ ପିଲା ବିଭିନ୍ନ ଇଟାଭାଟି ଓ ଅନ୍ୟାନ୍ୟ କାମଧନ୍ଦାରେ ଦିନ ବିତାଉଛନ୍ତି। ସେବାଶ୍ରମ ବିଦ୍ୟାଳୟ ଓ ଆବାସିକ ମହାବିଦ୍ୟାଳୟର ପିଲା ବାପା,ମା’ଙ୍କୁ ସେମାନଙ୍କ କାମରେ ସହଯୋଗ କରୁଛନ୍ତି। ସର୍ବଦା ଅଭାବ ଅନଟନରେ ଛନ୍ଦି ହୋଇ ରହିଥିବା ଅଭାବୀ ମଣିଷ ବିଦ୍ୟାଳୟ ବନ୍ଦ ହୋଇଯିବା ପରେ ପିଲାଙ୍କୁ ପାଠରୁ ଦୂରେଇ ରଖିବାକୁ ବାଧ୍ୟ ହୋଇଛନ୍ତି। ଶିକ୍ଷା ବ୍ୟବସ୍ଥା ରସାତଳଗାମୀ ହୋଇପଡ଼ୁଥିବା ବେଳେ ପୂଜା ଛୁଟି ପରେ ସରକାର ବିଦ୍ୟାଳୟ ଖୋଲିବାକୁ ଯାଉଥିବା ସୂଚନା ମିଳିବା ପରେ ଯଦିଓ କିଛି ଆଶ୍ୱସ୍ତ ହୋଇଛନ୍ତି ଅନେକ କିନ୍ତୁ କରୋନା ଟିକା କିମ୍ବା ଔଷଧ ନ ଆସିବା ପର୍ଯ୍ୟନ୍ତ ପିଲାଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ନ ଦେବାକୁ ମତ ପ୍ରକାଶ କରିଛନ୍ତି।
ଚାରିଗୋଟି ଜିଲା ମଧ୍ୟରୁ କୋରାପୁଟ ଜିଲାର ଶିକ୍ଷା ବ୍ୟବସ୍ଥାର ସ୍ଥିତି ଆମେ ଅନୁଧ୍ୟାନ କରିଥିଲୁ। ଜିଲାରେ ୧୭୩୧ଟି ପ୍ରାଥମିକ ବିଦ୍ୟାଳୟକୁ ମିଶାଇ ମୋଟ ୨୯୦୬ଟି ବିଦ୍ୟାଳୟ ( ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ) ରହିଛି। ଏହିସବୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆଜକୁ ଦୀର୍ଘମାସ ହେଲା ପାଠପଢ଼ା ବନ୍ଦ ରହିଛି। କେବଳ ବିଦ୍ୟାଳୟକୁ ଶିକ୍ଷକମାନେ ଯାଉଥିବାବେଳେ ଆବାସିକ ଓ ସେବାଶ୍ରମ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଗାଁ ଗାଁ ବୁଲି ପାଠ ପଢ଼ାଉଛନ୍ତି। ଏସବୁ ସତ୍ତ୍ବେ ଆବଶ୍ୟକ ଭିତ୍ତିଭୂମିର ଅଭାବ ଏସବୁରେ ବାଧା ସୃଷ୍ଟି କରୁଛି। ଅନେକ ଅଭିଭାବକ ନିଜର ଅଭାବ ଅନଟନକୁ ଘୋଡ଼ାଇବାକୁ ଯାଇ ପିଲାଙ୍କୁ ଆବାସିକ ବିଦ୍ୟାଳୟରେ ଛାଡ଼ି ଦାଦନ ଖଟିବାକୁ ଚାଲିଯାଉଥିବାବେଳେ ଅନେକ ମଧ୍ୟାହ୍ନ ଭୋଜନ ଆଶାରେ ପିଲାଙ୍କୁ ବିଦ୍ୟାଳୟ ଛାଡ଼ୁଥିଲେ। ସରକାରୀ ସୁବିଧା ପିଲାଙ୍କୁ ବିଦ୍ୟାଳୟ ମୁହାଁ କରାଇଥିଲା। ଏଭଳି ସମୟରେ କରୋନା କଟକଣା ଭିତରେ ବିଦ୍ୟାଳୟ ବନ୍ଦ ହୋଇଗଲା। ଅଚାନକ ଚଡ଼କ ପଡ଼ିଲା ପାଠରେ। ଯଦିଓ ସରକାରୀ ବ୍ୟବସ୍ଥା ପିଲାଙ୍କ ଦ୍ୱାର ମୁହଁରେ ସୁବିଧା ପହଞ୍ଚାଇଲା ତଥାପି ପିଲାଙ୍କୁ ଶିକ୍ଷା ସହ ଯୋଡ଼ି ରଖିବାରେ ସକ୍ଷମ ହୋଇପାରିନାହିଁ। ନେଟୱର୍କ ପାଇଁ ଲୋକଙ୍କୁ ପାହାଡ଼ ଚଢ଼ିବାକୁ ପଡ଼ୁଥିବାବେଳେ ଏବେ ଅନଲାଇନ ପାଠପଢ଼ା ଅପହଞ୍ଚ ହୋଇଗଲା। ଖଣିଜପଦାର୍ଥ, ଖଣିଜଶିଳ୍ପ ଓ ପାହାଡ଼ ପର୍ବତ ଘେରା ମାଳଭୂମିରେ ପିଲା ଶିକ୍ଷା ଆଲୋକରୁ ବଞ୍ଚିତ ହୋଇଗଲେ। ପବନ ବହିଲେ ଯେଉଁଠି ଦିନ ଦିନ ବିଦ୍ୟୁତ ଆସେନି ସେଠାରେ ଅନ୍ଧକାର ଭିତରେ ଲୁଚିଗଲା ଶିକ୍ଷାର ଆଲୋକ। ଗାଁ ଗହଳିରେ ମୁତୟନ ଶିକ୍ଷକ,ଶିକ୍ଷୟିତ୍ରୀ ନିଜ ସୁବିଧା ପାଇଁ ସହରାଭିମୁଖି ହେଲେ, ପିଲାଙ୍କ ବସ୍ତାନୀ ଝାଟିମାଟି ଘରର କେଉଁ କୋଣରେ ବାନ୍ଧି ହୋଇ ରହିଗଲା। ପିଲା ପାଠ ଛାଡ଼ି ଘର କାର୍ଯ୍ୟରେ ସହଯୋଗ କଲେ। କୁନି କୁନି ହାତରେ କଲମ ଛାଡ଼ି ପିଲା ବାଡ଼ି ଧରି ପାହାଡ଼ ତଳି ଅଞ୍ଚଳରେ ଗାଈ ଚରାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଦାୟିତ୍ୱବାନ ଲୋକଟି ମଧ୍ୟ କରୋନା କାଳରେ ସାମାଜିକ ଦାୟିତ୍ୱବୋଧକୁ ସମ୍ପୂର୍ଣ୍ଣ ଦୂରେଇଗଲା। ଗାଁର ଯୁବଗୋଷ୍ଠୀ ସାଙ୍ଗକୁ ସଚେତନ ନାଗରିକ କରୋନା ଭୂତାଣୁ ଭୟରେ ନିଜ ଦାୟିତ୍ୱ ଭୁଲିଗଲେ।
ଗାଁକୁ ବାସସ୍ଥଳୀ କରିବା ପରିବର୍ତ୍ତେ ଶିକ୍ଷକ ନିଜର ସୁବିଧା ସୁଯୋଗକୁ ବାଛି ସିନା ସହରକୁ ଚାଲିଗଲେ, ପିଲା କିନ୍ତୁ ଅପାଠୁଆ ହୋଇଗଲେ। କରୋନା ବଦଳାଇଦେଲା ଶିକ୍ଷା ବ୍ୟବସ୍ଥାର ଚିତ୍ର। କେଉଁଠି ନା କେଉଁଠି ଆମର ଯୋଜନା ଏବଂ ଶିକ୍ଷା ବ୍ୟବସ୍ଥାର ବ୍ୟାବହାରିକ ଦିଗରେ ଫାଙ୍କ ଭିତରେ ଶୈକ୍ଷିକ ବାତାବରଣ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ଅବିଭକ୍ତ କୋରାପୁଟରେ ଉଚ୍ଚଶିକ୍ଷା ବିଭାଗର ମଧ୍ୟ ସମାନ ଅବସ୍ଥା। ସମ୍ପ୍ରତି ପ୍ରବେଶ, ରିଆଡମିସନ ଆରମ୍ଭ ହୋଇଯାଇଥିବାବେଳେ ଦୀର୍ଘଦିନ ପରେ ସାଙ୍ଗସାଥୀ ମେଳରେ ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି ବିଦ୍ୟାର୍ଥୀ। ସରକାରୀ ବ୍ୟବସ୍ଥା ଭିତରେ ସମସ୍ତେ ନାଚାର।
ମହାବିଦ୍ୟାଳୟଗୁଡ଼ିକରେ ବିଶୃଙ୍ଖଳିତ ପରିବେଶ ସୃଷ୍ଟି ହୋଇଛି। କରୋନା ଭୟରେ ଅର୍ଦ୍ଧାଧିକ ଅଧ୍ୟାପକ, ଅଧ୍ୟାପିକା, ପ୍ରଧ୍ୟାପକ, ପ୍ରଧ୍ୟାପିକା ନିଜର ଦାୟିତ୍ୱବୋଧ ଭୁଲିଗଲା ଭଳି ମନେ ହେଉଛି। କରୋନା ଭୟ ସେମାନଙ୍କ ଭିତରେ ଏକ ବିରାଟ ଫାଙ୍କ ସୃଷ୍ଟି କରିଛି। ଏଣୁ ମହାବିଦ୍ୟାଳୟରେ ପାଠ ପଢ଼ୁଥିବା ପିଲା ମଧ୍ୟ ଗାଁ ଗହଳିରେ ଏବେ ବିଭିନ୍ନ ଇଟାଭାଟି ସାଙ୍ଗକୁ ଅନ୍ୟାନ୍ୟ ଘର କାମରେ ସାହାଯ୍ୟ କରୁଛନ୍ତି। ଏସବୁ ଭିତରେ ପୂର୍ବ ପରି ଶୈକ୍ଷିକ ବାତାବରଣକୁ ଫେରାଇ ଅଣାଯାଇପାରିବ କି ବୋଲି ପ୍ରଶ୍ନ ହେଉଛି। ଅବିଭକ୍ତ କୋରାପୁଟ ଜିଲାରେ ୨୦ରୁ ୩୦ପ୍ରତିଶତ ପିଲା ପାଠ ପଢ଼ୁଥିବାବେଳେ ୮୦ପ୍ରତିଶତ ପିଲା ପାଠରୁ ସମ୍ପୂର୍ଣ୍ଣ ଦୂରେଇ ରହିଛନ୍ତି।
ଅନ୍ୟପକ୍ଷରେ ପୂଜା ଛୁଟି ପରେ ବିଦ୍ୟାଳୟ ଖୋଲିବା ପ୍ରଚାରିତ ହେବା ପରେ ଅନେକ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି। କରୋନା ଟିକା ନ ଆସିବା ପୂର୍ବରୁ ପିଲାଙ୍କୁ ବିପଦ ମୁହଁକୁ ଠେଲି ନ ଦେବାକୁ ଅନେକ ବୁଦ୍ଧିଜୀବୀ ମତ ଦିଅନ୍ତି। ତେବେ ଅବହେଳିତ ଅଞ୍ଚଳରେ ଭୁଶୁଡ଼ି ପଡ଼ୁଥିବା ଶିକ୍ଷା ବ୍ୟବସ୍ଥାକୁ କିଭଳି ପୁଣିଥରେ ମୁଖ୍ୟସ୍ରୋତକୁ ଫେରାଇ ଅଣାଯାଇପାରିବ ସେଥିପାଇଁ କେବଳ ସରକାରୀ ବିଧିବ୍ୟବସ୍ଥାକୁ ଦାୟୀ ନ କରି ଏ ଦିଗରେ ସମସ୍ତେ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଶିକ୍ଷା ପ୍ରତି ସମ୍ପୂର୍ଣ୍ଣ ସମର୍ପିତ କୋରାପୁଟର ମଲ୍ଲାଲା ରୂପେ ପରିଚିତ ଡଃ ଝାନ୍‍ସି ସିଂ ଶିକ୍ଷାର ଏଭଳି ଅବସ୍ଥା ନେଇ ଗଭୀର ଉଦ୍‍ବେଗ ପ୍ରକାଶ କରିବା ସହ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ଶୈକ୍ଷିକ ପରିବେଶ ସଷ୍ଟି କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ମତ ଦିଅନ୍ତି। ସାମାଜିକ ଦାୟିତ୍ୱବୋଧକୁ ନ ଭୁଲି ଶିକ୍ଷକ ସମାଜ ହିଁ ଏଭଳି ଦୁଃସ୍ଥିତି ସମୟରେ ସମାଜର ଦୃଢ଼ ନେତୃତ୍ୱ ନେବାର ସମୟ ଆସିଛି ବୋଲି କହିବା ସହ ସରକାର ଓ ସର୍ବସାଧାରଣ ଏ ଦିଗରେ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ମତ ଦିଅନ୍ତି।

Comments are closed.