ତାଲା ବନ୍ଦ ବଦଳାଇଦେଲା ଜୀବିକା : କାଳନ୍ଦୀ ନନା ଆଜି ମାଛ ବେପାରୀ

କୋରାପୁଟ : କୌଳିକ ବୃତ୍ତି ଛାଡ଼ି ହୋଟେଲରେ ନନା ସାଜିଥିଲେ କାଳନ୍ଦୀ। ତାଲାବନ୍ଦ ବଦଳାଇଦେଲା ତାଙ୍କ ଜୀବିକା। କାଳନ୍ଦୀ ନନା ସାଜିଲେ ମାଛ ବେପାରୀ। ବର୍ଷ ବର୍ଷ ଧରି ନନା ଭାବେ ପରିଚିତ କାଳନ୍ଦୀ ରୋଷେୟା କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ବର୍ଷ ବର୍ଷ ଧରି ସେ ଏଭଳି ଜୀବିକାକୁ ଆପଣାଇ ଜଣେ ଭଲ ରୋଷେୟା ଭାବେ ପରିଚିତ ଥିଲେ। ତାଙ୍କ ହାତରନ୍ଧା ସୁଆଦିଆ ବ୍ୟଞ୍ଜନ ଯିଏ ଖାଇଛି ସେ କାଳନ୍ଦୀ ନନାଙ୍କୁ ସବୁବେଳେ ମନେ ରଖିବ ନିଶ୍ଚୟ। ଦୁଃଖକଷ୍ଟ ସତ୍ତ୍ବେ ନିଜ ଜୀବିକା ଭିତରେ ନିଜ ପରିବାରକୁ ନେଇ ଖୁସିରେ ଚଳିଆସୁଥିଲେ ସେ। କରୋନା କଟକଣା ଭିତରେ ତାଲାବନ୍ଦ ହେବା ପରେ ତାଙ୍କ ଭାଗ୍ୟ ଆକାଶରେ କଳା ବାଦଲ ଢାଙ୍କି ହୋଇଗଲା। ସେ ଯେଉଁ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ ତାହା ମାସ ମାସ ଧରି ବନ୍ଦ ରହିଲା। ମାସେ ଦୁଇମାସ ହୋଟେଲ ମାଲିକ ତାଙ୍କ ଦୁଃଖ ବୁଝି କିଛି ପାରିଶ୍ରମିକ ଦେଲେ। ତେବେ ସ୍ୱାଭିମାନୀ କାଳନ୍ଦୀ ମାଲିକଙ୍କ ପ୍ରିୟପାତ୍ର ହୋଇଥିଲେ ହେଁ ଏ ଜନ୍ମର ଋଣବୋଝ ପରଜନ୍ମରେ ଲଙ୍କାଗଛ ହୋଇ ଶୁଝିବା ଅନୁଚିତ ଭାବି ଅନୁକମ୍ପା ରାଶିକୁ ଆଉ ଗ୍ରହଣ କଲେନାହିଁ। ଗୋଟିଏ ପଟେ ପେଟ ଓ ପରିବାର ଚିନ୍ତା, ଅନ୍ୟ ପଟେ ପରିଣତ ବୟସରେ ଜୀବିକା ସନ୍ଧାନ। ତାଲାବନ୍ଦ ପରେ କୋରାପୁଟ ବଜାରରେ ପରିବା ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିଗଲା। ଏଣୁ ବ୍ରାହ୍ମଣ ହୋଇ ମଧ୍ୟ ସେ ମାଛ ବ୍ୟବସାୟକୁ ଆଦରି ନେଲେ। ଏହି ବ୍ୟବସାୟରେ ଯାହା କିଛି ମିଳୁଛି ସେଥିରେ ପରିବାର ଚଳାଇ ନେଉଛନ୍ତି ସେ।

ଯାଜପୁର ଜିଲା ଦଶରଥପୁର ବ୍ଲକ ଅଞ୍ଚଳର ମୂଳ ବାସିନ୍ଦା ଅଟନ୍ତି କାଳନ୍ଦୀ ଦେବତା। ବୟସ ପାଖାପାଖି ୫୫ଛୁଇଁଲାଣି। ଗାଁରେ ରୋଷେଇ କରୁଥିବାବେଳେ ବହୁ ବର୍ଷ ତଳେ ସେ ପେଟ ଚିନ୍ତାରେ କାମ ଅନ୍ୱେଷଣରେ କୋରାପୁଟ ଚାଲି ଆସିଥିଲେ। ଏଠାରେଥିବା ତାଙ୍କ ଅଞ୍ଚଳର ଜଣେ ହୋଟେଲ ମାଲିକ ତାଙ୍କୁ ନିଜ ହୋଟେଲର ରୋଷେୟା ଭାବେ ନିଯୁକ୍ତି ଦେଇଥିଲେ। ସେ ଘରର ଏକମାତ୍ର ପୁଅ

ହୋଇଥିବାରୁ ବାପା ଚାଲିଯିବା ପରେ କୋରାପୁଟ ଛାଡ଼ି ଗାଁକୁ ଚାଲିଯାଇଥିଲେ। ଏଠାରେ ତାଙ୍କର ଭୋଟର ପରିଚୟ ପତ୍ର, ବିପିଏଲ କାର୍ଡ ଆଦି ଥିଲା। ସମସ୍ତ ସରକାରୀ ସୁବିଧା ପାଉଥିଲେ ସେ। ତେବେ ସେଠାରେ କିଛିବର୍ଷ ରହିବା ପରେ କାମ ଅଭାବରୁ ପୁଣି କୋରାପୁଟ ଚାଲି ଆସିଥିଲେ। ପୂର୍ବ ଭଳି ସେ ଉକ୍ତ ହୋଟେଲରେ ପୁଣିଥରେ କାମ କରିବାର ସୁଯୋଗ ପାଇଥିଲେ। ତାଙ୍କ ହାତରନ୍ଧା ସୁସ୍ୱାଦୁ ବ୍ୟଞ୍ଜନ ପାଇଁ କୋରାପୁଟ ପୋଷ୍ଟ ଅଫିସ ରୋଡରେ ଥିବା ଉକ୍ତ ହୋଟେଲ ମଧ୍ୟ ଗ୍ରାହକଙ୍କ ଆଦର ଲାଭ କରିଥିଲା। କାଳନ୍ଦୀ ନନାଙ୍କ ରୋଷେଇକୁ ସମସ୍ତେ ପସନ୍ଦ କଲେ। ତେବେ ମାର୍ଚ୍ଚ ମାସରୁ ତାଲା ବନ୍ଦ କଟକଣା ଭିତରେ ଉକ୍ତ ହୋଟେଲରେ ତାଲା ଝୁଲିଲା। କାମ ବନ୍ଦ। ହୋଟେଲ ମାଲିକ ମଧ୍ୟ ଏକପ୍ରକାର ହାତ ବାନ୍ଧି ବସିଲେ। କୋରାପୁଟରେ ରାଉଳ ମନ୍ଦିର ପଛ ପଟେ ପରିବାର ସହ ରହୁଥିବା କାଳନ୍ଦୀ ନନାଙ୍କ ଚଳିବା କଷ୍ଟକର ହୋଇପଡ଼ିଲା। ଅର୍ଥାଭାବରୁ ଆଜକୁ ସେ ଚାରିମାସ ହେଲା ଘର ଭଡ଼ା ମଧ୍ୟ ଦେଇପାରିନାହାନ୍ତି। ଭୋକ ଦାଉରେ ପେଟ ପୋଡ଼ିଲା, ଏପଟେ କ’ଣ କରିବେ ନ କରିବେ ଭାବି ପ୍ରାଣ କାନ୍ଦିଲା। ଏଭଳି ସ୍ଥିତିରେ ପୁଅ,ଝିଅ ଓ ସ୍ତ୍ରୀଙ୍କୁ ଦିନକୁ ଦୁଇବେଳା ଖାଇବାକୁ ଦେବା ଓ ନିଜର ଭବିଷ୍ୟତ ଦୃଷ୍ଟିରୁ ଆଉ ମାଲିକଙ୍କ ଉପରେ ବୋଝ ନ ହୋଇ ନିଜେ କିଛି କରିବାକୁ ନିଷ୍ପତ୍ତି ନେଲେ। ବଦଳିଗଲା ତାଙ୍କର ଜୀବିକା। ରୋଷେୟା କାଳନ୍ଦୀ ନନା ପାଲଟିଲେ ମାଛ ବ୍ୟବସାୟୀ। ବ୍ରାହ୍ମଣ ହୋଇ ଏଭଳି ଜୀବିକା ଆପଣାଇବା ତାଙ୍କ ପ୍ରାଣକୁ କାନ୍ଦୁଛି, ତଥାପି ପେଟ ପୋଡ଼ୁଥିବା ଯୋଗୁଁ ସେ ମାଛ ବ୍ୟବସାୟୀ ସାଜିବାକୁ ବାଧ୍ୟ ହୋଇଛନ୍ତି। ଅବଶ୍ୟ ହୋଟେଲ ମାଲିକ ତାଙ୍କୁ ଆଜିପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଉଛନ୍ତି ଯେଉଁଥିପାଇଁ ସେ କୃତଜ୍ଞ। କରୋନା ତାଙ୍କ ଜୀବିକା ବଦଳାଇ ଦେଇଛି। ଜୀବନ ସହ ସଂଗ୍ରାମରତ କାଳନ୍ଦୀଙ୍କୁ ଚିହ୍ନଟ କରି ସେ ପୂର୍ବରୁ ପାଉଥିବା ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଗଲେ ଅଭାବୀ ପରିବାର ମୁହଁରେ ହସ ଫୁଟିପାରନ୍ତା ବୋଲି ମତପ୍ରକାଶ ପାଉଛି।

Comments are closed.