୪ ନକଲି ମାଓବାଦୀ ଗିରଫ

ଲକ୍ଷ୍ମୀପୁର: ମାଓବାଦୀ କହି ସରପଞ୍ଚଙ୍କୁ ଧମକ ଦେଉଥିବା ଚାରି ନକଲି ମାଓବାଦୀଙ୍କୁ ଗିରଫ କରାଯାଇଛି। ଏମାନେ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଭିତରଗଡ ପଞ୍ଚାୟତ ସରପଞ୍ଚଙ୍କୁ ଚନ୍ଦା ମାଗୁଥିଲେ। ସମ୍ପୃକ୍ତ ୪ ଜଣ ହେଉଛନ୍ତି ସେମିଳିଗୁଡା ଅଅଞ୍ଚଳର କାଣ୍ଟି ଗ୍ରାମର ଗୋବିନ୍ଦ ଜାନି,ପ୍ରମୋଦ ତାଡିଙ୍ଗି,ଝଲାଗୁଡା ଗ୍ରାମର ରାଜୁ ପୁଜାରୀ ଓ ତ୍ରିନାଥ ପୂଜାରୀ ।  ସେମାନଙ୍କ ନିକଟରୁ ୩୦ ହଜାର ଟଙ୍କା ସହ ଗୋଟିଏ ମୋବାଇଲ, ଗୋଟିଏ ଦେଶୀ ବନ୍ଧୁକ, ଏକ ପୋଷ୍ଟର, ଗୋଟିଏ ମଟର ସାଇକେଲ ଜବତ କରାଯାଇଛି। ଏସଡିପିଓ ଅଶ୍ବିନୀ କୁମାର ନାଏକ ଏନେଇ ଗୁରୁବାର ଲକ୍ଷ୍ମୀପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି।

ସୂଚନା ଅନୁଯାୟୀ, ଲକ୍ଷ୍ମୀପୁର ବ୍ଳକର ଭିତରଗଡ଼ ପଞ୍ଚାୟତର ସରପଞ୍ଚ ଶ୍ରୀଧର ଜାନୀଙ୍କୁ ଗତ ୨୮ ତାରିଖରେ ଫୋନ୍ କରି ମାଓବାଦୀ ବୋଲି କହି ୧ ଲକ୍ଷ ଟଙ୍କା ଦାବି କରିଥିଲେ। ଏପରିକି ଟଙ୍କା ଦେଲେ ଆମେ ବନ୍ଧୁକ, ଗୁଳି କଣିବୁ ବୋଲି କହିଥିଲେ। ସେମାନେ ଗିର୍ଲିପୁଟ ଗ୍ରାମ ନିକଟରେ ଏକ ପୋଷ୍ଟର ମଧ୍ୟ ମାରିବା ସହିତ ଫୋନରେ ଧମକ ଦେଇଥିଲେ। ଫଳରେ ଶ୍ରୀ ଜାନୀ ଭୟରେ ଗତ ୨ ତାରିଖରେ ୫୦ ହଜାର ଟଙ୍କା ନେଇ ଝଲାଗୁଡାରେ ସେମାନଙ୍କୁ ଦେଇଥିଲେ । ଗତ ୬ ତାରଖରେ ପୁଣି ଥରେ ମୋବାଇଲ ଫୋନରେ ସରପଞ୍ଚ ଶ୍ରୀ ଜାନୀଙ୍କୁ ଫୋନ କରି ବାକି ୫୦ହଜାର ଦିଅ ବୋଲି ଧମକ ଦେବାରୁ ସେ କାକିରିଗୁମ୍ମା ଥାନାର ଦ୍ଵାରସ୍ଥ ହୋଇଥିଲେ। ଅଭିଯୋଗ ପରେ କାକିରିଗୁମ୍ମା ଥାନା ଅଧିକାରୀ ଧିରେନ ପଟନାୟକ ଏକ ପୁଲିସ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉକରି ସମ୍ପୃକ୍ତ ଚାରି ଜଣଙ୍କୁ ଧରି ପଚରା ଉଚରା ପରେ ସମସ୍ତ ବିଷୟ ମାନିଥିଲେ। ନାରାୟଣପାଟଣା ଥାନା ଅର୍ନ୍ତଗତ ଜିହୋକିମୋ କେଣ୍ଡୃକାଙ୍କ ଘରେ ଗତ ମାସ ୯ ତାରିଖରେ ଟଙ୍କା ଓ ସୁନା ଚୋରି ହୋଇଥିଲା। ଏମାନେ ସେହି ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ପୁଲିସ ସମ୍ମୁଖରେ ମାନିଥିବା ଲକ୍ଷ୍ମୀପୁର ଏସଡିପିଓ କହିଛନ୍ତି ।

Comments are closed.