ବିପଦରେ କୋଣାର୍କର କୀର୍ତ୍ତିରାଜି ; ତ୍ୱରିତ ପଦକ୍ଷେପ ଲାଗି କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

0

ଭୁବନେଶ୍ୱର : ବିଶ୍ୱରେ ଐତିହ୍ୟ ଓ କୀର୍ତ୍ତିରାଜି ପାଇଁ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା କୋଣାର୍କର ସୂର୍ଯ୍ୟମନ୍ଦିର ଏବେ ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇପଡିଛି। ସୂର୍ଯ୍ୟମନ୍ଦିରର ବିଭିନ୍ନ ସ୍ଥାନରୁ ସୂକ୍ଷ୍ମ କାରୁକାର୍ଯ୍ୟକୁ କଢ଼ାଯାଇ ତା’ ସ୍ଥାନରେ କେବଳ ସାଦା ପଥର ଖଣ୍ଡମାନ ଲଗାଯାଉଛି। ଯାହାଫଳରେ କୋଣାର୍କ ମନ୍ଦିରର କୀର୍ତ୍ତିରାଜି ଦିନକୁ ଦିନ କ୍ଷୟ ହେଉଛି। ବିଶ୍ୱ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ପ୍ରତି ଏଏସ୍‍ଆଇ ପକ୍ଷରୁ ଏପରି ଅବହେଳା କରାଯାଉଥିବା ସମ୍ପର୍କିତ ଖବରକୁ ନେଇ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ପତ୍ର ଲେଖି ତୁରନ୍ତ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମାଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କୋଣାର୍କ ମନ୍ଦିରର ଯେଉଁ ନିଖୁଣ କାରୁକାର୍ଯ୍ୟ ପାଇଁ ବିଶ୍ୱବିଦିତ ସେସବୁ ସ୍ଥାନରୁ ଉକ୍ତ କାରୁକାର୍ଯ୍ୟକୁ ହଟାଯାଇ ସାଦା ପଥର ଖଣ୍ଡମାନ ଲଗାଯାଉଛି। ଯାହାଦ୍ୱାରା କୋଣାର୍କର ପ୍ରକୃତ ଚେହେରା ବିକୃତ ହେବାରେ ଲାଗିଛି। ଯେଉଁ କୀର୍ତ୍ତିରାଜିକୁ ନେଇ ୟୁନେସ୍କୋ ପକ୍ଷରୁ ବିଶ୍ୱ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଇଛି ଏବଂ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ବଢ଼ୁଛି ତାହାର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋଣାର୍କର ସୂର୍ଯ୍ୟମନ୍ଦିରରେ ଓଡ଼ିଆଙ୍କ ଗର୍ବ ଓ ଗୌରବର ଇତିହାସ ପ୍ରତିଫଳିତ ହେଉଛି।
୧୩ଶହ ଶତାବ୍ଦୀରେ ତତ୍କାଳୀନ ରାଜା ଲାଙ୍ଗୁଳା ନରସିଂହଦେବ ୧୨ଶହ କାରୀଗରଙ୍କୁ ନେଇ ଏହି କୀର୍ତ୍ତିରାଜି ମନ୍ଦିର ନିର୍ମାଣ କରିଥିଲେ। ଅନ୍ୟପକ୍ଷରେ ମନ୍ଦିର ମୁଖଶାଳାରେ ଥିବା ଜଗମୋହନର ଅବସ୍ଥା ମଧ୍ୟ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଏଏସ୍‍ଆଇର ଅବହେଳା ଯୋଗୁଁ ଏହି ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରରୁ ପ୍ରାୟ ୪୦ପ୍ରତିଶତ କାରୁକାର୍ଯ୍ୟ ଚୋରି ହୋଇସାରିଲାଣି। ଯାହାଫଳରେ ମନ୍ଦିର ବିକୃତ ଅବସ୍ଥା ଆଡକୁ ଗତି କରୁଛି। ଯଦି ଏହି ପରିସ୍ଥିତି ଲାଗି ରହେ ତେବେ କୋଣାର୍କ ମନ୍ଦିରର କଳା ଓ ସ୍ଥାପତ୍ୟ ପ୍ରତି ବିପଦ ଦେଖାଦେବ। କୋଣାର୍କ ମନ୍ଦିରର ସୁରକ୍ଷା କ୍ଷେତ୍ରରେ ଏଏସ୍‍ଆଇ କର୍ତ୍ତୃପକ୍ଷ ଅଧିକ ଗୁରୁତ୍ୱ ଦେବା କଥା। ମାତ୍ର ବାସ୍ତବକ୍ଷେତ୍ରରେ ତାହା ପ୍ରତିଫଳିତ ହେଉ ନଥିବା ଗଣମାଧ୍ୟମରୁ ଜଣାଯାଉଛି। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହସ୍ତକ୍ଷେପ କରି ଘଟଣାର ତଦନ୍ତ କରାଇବା ସହିତ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଲାଗି ଏଏସ୍‍ଆଇକୁ ନିର୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି।

Leave A Reply