କୋଣାର୍କ ମନ୍ଦିରର ସୁରକ୍ଷା ପ୍ରତି ବିପଦ ନାହିଁ

0

ଭୁବନେଶ୍ବର : ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିରର ସୁରକ୍ଷା ନେଇ କୌଣସି ବିପଦ ନାହିଁ। ଏହା ସୁରକ୍ଷା ମାନକ ଠାରୁ ୫ଗୁଣ ଅଧିକ ରହିଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି।
ମନ୍ଦିରର କୀର୍ତ୍ତିରାଜି କଢ଼ା ଯାଇ ସାଦା ପଥର ଲଗାଯାଇଥିବା ନେଇ ଯେଉଁ ଅଭିଯୋଗ ହେଉଛି ତାହାକୁ ସେ ଖଣ୍ଡନ କରିବା ସହ ୧୯୯୭ମସିହା ପରଠାରୁ ମନ୍ଦିରରେ ଖଣ୍ଡେ ବି ସାଦା ପଥର ଲଗାଯାଇନଥିବା କହିଛନ୍ତି। ରାଜ୍ୟ ଅତିଥି ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ କୋଣାର୍କ ମନ୍ଦିରର ସୁରକ୍ଷା ନେଇ ବିସ୍ତୃତ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଶର୍ମା। ସେ କହିଛନ୍ତି ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏହାର ଅନୁଧ୍ୟାନ କରାଯାଇଥିଲା। ବିଭିନ୍ନ ବୈଷୟିକ ଦିଗ ପ୍ରତି ତଦାରଖ କରାଯାଇ ସୁରକ୍ଷା ପ୍ରତି ବିପଦ ନଥିବା ଏହି ସଂସ୍ଥା ରିପୋର୍ଟ ପ୍ରଦାନ କରିଛି। ଭାରତୀୟ ପତ୍ନତତ୍ତ୍ବ ସଂରକ୍ଷଣ ସଂସ୍ଥା(ଏଏସଆଇ) କୋଣାର୍କ ସମେତ ୩୬୮୬ଟି ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଦାୟିତ୍ବରେ ରହିଛି। ଏଏସଆଇ କୀର୍ତ୍ତିରାଜି ସୁରକ୍ଷା କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଛି।
ନିୟମ ଅନୁଯାୟୀ କୀର୍ତ୍ତିରାଜି ବଦଳା ଯିବା ସମ୍ଭବ ନଥିବାବେଳେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଭିନ୍ନ ସମୟରେ ଲୋକମାନେ ଭଗ୍ନ କୀର୍ତ୍ତିରାଜି ନେଇ ଗାଁ ଗଣ୍ଡାରେ ମନ୍ଦିରରେ ରଖିଛନ୍ତି। ସେଗୁଡ଼ିକ ସଂଗ୍ରହ କରାଯାଇ ସଂଗ୍ରହାଳୟରେ ରଖାଯିବା ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅନ୍ତଃରାଷ୍ଟ୍ରୀୟ ସଂସ୍ଥା ଦ୍ବାରା ଏହାର ସୁରକ୍ଷା ଯାଞ୍ଚ ନେଇ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଦେଇଥିବା ପ୍ରସ୍ତାବକୁ ମନ୍ତ୍ରୀ ଶ୍ରୀ ଶର୍ମା ଗ୍ରହଣ କରିଛନ୍ତି। ଏଏସଆଇ ୧୫୭ ବର୍ଷର ସଂସ୍ଥା। ଭାରତ ସମେତ ୫ଟି ଦେଶରେ କୀର୍ତ୍ତିରାଜିର ସୁରକ୍ଷା କରୁଛି। ମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି, ବୈଠକରେ ପାଞ୍ଚଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ମନ୍ଦିର ପରିସରରେ ପାଣି ଜମି ରହିବା ଘଟଣାର ସମାଧାନ ନେଇ ଏସଆଇ ରିପୋର୍ଟ ପ୍ରଦାନ କରିବ। ପ୍ରାଚୀନ କୀର୍ତ୍ତିରାଜି ଥିବା କୋଣାର୍କ ମନ୍ଦିର ପରିସର ଉଚ୍ଚା କରିବା ସମ୍ଭବ ନଥିବାରୁ ବର୍ଷା ଜଳ ନିଷ୍କାସନ ନେଇ ତିନିମାସ ମଧ୍ୟରେ ପଦକ୍ଷେପ ନିଆଯିବ। ଅଧିକ ପମ୍ପ ବ୍ୟବସ୍ଥା କରାଯାଇ ଏହି ସମସ୍ୟାର ସମାଧାନ କରାଯିବ। ସେହିପରି ନବଗ୍ରହଙ୍କ ପୂଜା ଯେଭଳି ନିଃଶୁଳ୍କ ବ୍ୟବସ୍ଥା ମଧ୍ୟରେ ଚାଲିଛି ସେହିପରି ଅବ୍ୟାହତ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ନବଗ୍ରହଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର କମିଟି ଏକମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ। ସେହି ଆଦାରରେ ପଦକ୍ଷେପ ନିଆଯିବ। ସମୁଦ୍ର ପବନର ସିଧାସଳଖ ପ୍ରଭାବ ରୋକିବାକୁ ହୋଇଥିବା ଦାବି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଏହା ପ୍ରତିରୋଧ ପାଇଁ ଚାରା ରୋପଣ କରାଯିବ। ଏକମାସ ମଧ୍ୟରେ ଏସଂକ୍ରାନ୍ତ ନିଷ୍ପତ୍ତି ନିଆଯିବ।
ସେହିପରି ପୁରୀ ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଭଳି ଐତିହ୍ୟସ୍ଥଳୀର ସୁରକ୍ଷା ଓ ସଂରକ୍ଷଣ ପ୍ରତି କେନ୍ଦ୍ର ସରକାର ପ୍ରତିବଦ୍ଧ ଅଛନ୍ତି। ବୈଠକରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଛି ସେସବୁର କାର୍ଯ୍ୟକାରିତା ନେଇ ମାସକ ମଧ୍ୟରେ ଦିଲ୍ଲୀରେ ବୈଠକ ବସିବ।
କୋଣାର୍କ ମନ୍ଦିରର ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରି ଦେଇଥିବା ପତ୍ର ସମ୍ପର୍କରେ ସେ ଉଲ୍ଲେଖ କରିବା ସହ ଏ ନେଇ କେନ୍ଦ୍ର ସରକାର ଯତ୍ନବାନ ଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରେ ଶ୍ରୀ ଶର୍ମାଙ୍କୁ ଭେଟି କୋଣାର୍କ, ପୁରୀ ଓ ଅନ୍ୟାନ୍ୟ ଐତିହ୍ୟସ୍ଥଳୀର ସୁରକ୍ଷା ତଥା ପାଇକ ବିଦ୍ରୋହର ସ୍ମାରକୀ ପ୍ରତିଷ୍ଠା ନେଇ ଆଲୋଚନା କରିଥିଲେ।
ଭୁବନେଶ୍ବର ଅତିଥିଭବନରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସଂସ୍କୃତିମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କ ସମେତ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, କୁଳମଣି ସାମଲ, ବିଧାୟକ ସମୀରରଞ୍ଜନ ଦାଶ, ସୁରେନ୍ଦ୍ର ସେଠୀ, ଉନ୍ନୟନ କମିଶନର ଅସିତ ତ୍ରିପାଠୀ, କେନ୍ଦ୍ର ସଂସ୍କୃତି ସଚିବ ଅରୁଣ ଗୋଏଲ, ଏଏସଆଇ ମହାନିର୍ଦେଶକ ଉଷା ଶର୍ମା, ଇନଟାକର ଅଧ୍ୟକ୍ଷ ଅମିୟଭୂଷଣ ତ୍ରିପାଠୀ, କୋଣାର୍କ ସୁରକ୍ଷା ସମତିର ବାଦଲ ଦାସଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସଂସ୍କୃତି ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply