କୋଣାର୍କକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ

0

ଗୋପ: ଶନିବାର ବିଭିନ୍ନ ଦାବି ନେଇ ଭୂ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଇନ ଆମାନ୍ୟ ଆନ୍ଦୋଳନ କରାଯାଇଛି। ଏହା ସହ କୋଣାର୍କକୁ ସଂଯୋଗ କରୁଥିବା ପିପିଲି-କୋଣାର୍କ ରାସ୍ତାର ଜୁଣେଇ ବଜାର ,ପୁରୀ-କୋଣାର୍କ ରାସ୍ତାର ଟିକନା ଛକ, କାକଟପୁର-କୋଣାର୍କ ରାସ୍ତାର ରାଉଳପଟଣା ରାସ୍ତାକୁ ଅବରୋଧ କରାଯାଇଛି। ଫଳରେ କୋଣାର୍କକୁ ଯାତାୟାତ ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଏହାର ପ୍ରଭାବରେ କୋଣାର୍କ ବଜ଼ାର ବନ୍ଦ ରହିଥିବାବେଳେ ସୂର୍ଯ୍ୟ ମନ୍ଦିର ଶୂନଶାନ ହୋଇଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଗୋପ ତହସିଲ ଅଧିନରେ କୋଣାର୍କ, ମାଧିପୁର, ବେରୁହଁ, ସୁତନ, ତରକୋର, ଖାଲକଟାପାଟଣା, ବାଙ୍ଗୋର, ବରପଦା ଆଦି ୧୦ଟି ରାଜସ୍ୱ ମୌଜାରେ ପ୍ରଜାମାନଙ୍କ ବନ୍ଦୋବସ୍ତ କାର୍ଯ୍ୟ ଚୂଡ଼ାନ୍ତ ହେଉନଥିବା ବେଳେ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଜାତିଗତ, ବାସସ୍ଥାନ ଆଦି ପ୍ରମାଣପତ୍ର ସହ ଗୃହ ଋଣ, ଚାଷୀମାନଙ୍କ ଧାନ ବିକ୍ରୟ, ଜମି କ୍ରୟବିକ୍ରୟ ଓ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇପାରୁନଥିବା କେତେକ ଦାବି ନେଇ ବିଭିନ୍ନ ସମୟରେ କୋଣାର୍କ ଭୂ-ସୁରକ୍ଷା କ୍ରିୟାନୁଷ୍ଠାନ କମିଟି କୋଣାର୍କ ଶାଖା ପକ୍ଷରୁ ଦାବି କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ଏହି ଦାବି ପୂରଣ ସହିତ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣକୁ ବନ୍ଦ କରାଯାଇ ପୁରାତନ କୀର୍ତ୍ତିରାଜିକୁ ପୁନରୁଦ୍ଧାର କରାଯିବା ପାଇଁ ଭୂ-ସୁରକ୍ଷା କ୍ରିୟାନୁଷ୍ଠାନ ପକ୍ଷରୁ ଗତ ଜୁଲାଇ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ, ରାଜସ୍ୱମନ୍ତ୍ରୀ, ସଚିବ, ଜିଲାପାଳ ସମେତ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଦାବି କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗ୍ରହଣ କରାନଯିବାରୁ ଆଇନ ଆମାନ୍ୟ ଆନ୍ଦୋଳନ କରାଯାଇଥିବା ଜଣାପଡିଛି ।

Leave A Reply