ପହିଲାରୁ ଖୋଲିପାରେ କୋଣାର୍କ ସୂର୍ଯ୍ୟମନ୍ଦିର

କୋଣାର୍କ : କରୋନା ସଂକ୍ରମଣକୁ ରୋକିବା ଲାଗି ସାରାଦେଶ ଲକଡାଉନରେ ଥିବାବେଳେ ବିଭିନ୍ନ ଐତିହ୍ୟ ସ୍ଥଳୀଗୁଡ଼ିକ ବନ୍ଦ ରହିଥିଲା। ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ମାର୍ଚ୍ଚ ୧୬ ତାରିଖ ଠାରୁ ବନ୍ଦ ହୋଇ ରହିଥିବାବେଳେ ଜୁଲାଇ ୧ରେ ସୂର୍ଯ୍ୟମନ୍ଦିର ଖୋଲିବା ନେଇ ସୂଚନା ମିଳିଛି। ଏ ନେଇ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିବାବେଳେ ସୂର୍ଯ୍ୟମନ୍ଦିର ଖୋଲିବା ସଂପର୍କରେ ଜୈନିକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ବନ୍ଦ ରହିବା ଫଳରେ ଦୈନନ୍ଦିନ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି ହେଉଥିଲା। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂର୍ଯ୍ୟମନ୍ଦିର ଖୋଲିବା ନିଷ୍ପତ୍ତି ନିଆଯାଇଥିବାବେଳେ ସୂର୍ଯ୍ୟମନ୍ଦିର ଖୁବ୍ ଶୀଘ୍ର ଖୋଲିବା ନେଇ ସୂଚନା ହସ୍ତଗତ ହୋଇଛି। ସୂର୍ଯ୍ୟମନ୍ଦିର ବନ୍ଦ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ସୂର୍ଯ୍ୟମନ୍ଦିର ଉପରେ ନିର୍ଭର କରି ଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ମନ୍ଦିର ଖୋଲିବା ନେଇ ସୂଚନା ମିଳିବା ପରେ ବ୍ୟବସାୟୀଙ୍କ ମଧ୍ୟ ଏକ ପ୍ରକାର ଖୁସିର ଲହରୀ ଖେଳିଯାଇଛି। ତେବେ ସୂର୍ଯ୍ୟମନ୍ଦିର ଖୋଲିବା ପରେ କାଉଣ୍ଟରରେ ଟିକଟ୍ ବିକ୍ରି କରାଯିବ କି ନାହିଁ ତାହା ଏଯାବତ୍ ସ୍ପଷ୍ଟ ହୋଇପାରି ନ ଥିବାବେଳେ ଅନଲାଇନ୍ ମାଧ୍ୟମରେ ଟିକଟ୍ ବିକ୍ରି କରାଯିବ ବୋଲି ସୂଚନା ମିଳିଛି। ତେବେ ଦୈନନ୍ଦିନ କେତେଜଣ ପର୍ଯ୍ୟଟକ ଓ ଯାତ୍ରୀ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିପାରିବେ ଓ ଯାତ୍ରୀମାନଙ୍କ ଲାଗି କ’ଣ କ’ଣ ପଦକ୍ଷେପ ନିଆଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ସାମାଜିକ ଦୂରତ୍ୱ ନିୟମ ମାନିବା ଲାଗି ମନ୍ଦିର ସମ୍ମୁଖରେ ମାର୍କିଂ କରାଯାଇଥିବା ଜଣାପଡ଼ିଛି। ଧଳା ରଙ୍ଗର ମାର୍କିଂ କରାଯାଇଥିବା ଯୋଗୁଁ ଏହା ପଥରରେ ମିଶି ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉନାହିଁ। ଯାହାକି ପର୍ଯ୍ୟଟକମାନଙ୍କ ଲାଗି ସମସ୍ୟା ସୃଷ୍ଟି କରିବ ବୋଲି ମତପ୍ରକାଶ ପାଇଛି। ଧଳା ରଙ୍ଗ ପରିବର୍ତ୍ତେ ହଳଦିଆ କିମ୍ବା ଲାଲ୍ ରଙ୍ଗରେ ମାର୍କିଂ କରିବା ଲାଗି ଦାବି ହୋଇଛି। ଏଥିସହ ପରିଦର୍ଶନ କରିବାକୁ ଥିବା ପର୍ଯ୍ୟଟକଙ୍କ ଲାଗି ଅଟୋମେଟିକ୍ ସାନିଟାଇଜର ମେସିନ୍ ଲଗାଇବାକୁ ଦାବି ହୋଇଥିବାବେଳେ ସ୍ୱଳ୍ପ ସଂଖ୍ୟକ ପର୍ଯ୍ୟଟକଙ୍କ ପରିଦର୍ଶନ ଲାଗି ଅନୁମତି ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।

Comments are closed.