୭ ଦେଶର ପ୍ରତିନିଧିଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

ଐତିହ୍ୟ ସୁରକ୍ଷା ଉପରେ ଆଲୋଚନା

କୋଣାର୍କ : ଐତିହ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିର୍ଦେଶକ ଓ ୭ଟି ଦେଶର ପ୍ରତିନିଧି ଶୁକ୍ରବାର କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ପ୍ରକାଶ ଯେ, ବେ ଅଫ ବେଙ୍ଗଲ ଇନୋଭେଟିଭ୍‍ ଫର୍‍ ମଲ୍‍ଟି ସେକ୍ଟୋରାଲ ଟେକ୍‍ନିକାଲ ଆଣ୍ଡ ଇକୋନୋମିକ୍‍ କର୍ପୋରେସନ ଡ଼ିଜାଷ୍ଟାର ମ୍ୟାନେଜ୍‍ମେଣ୍ଟ ପୂର୍ବତନ ଲେପ୍ଟନାଣ୍ଟ ଜେନେରାଲ ତଥା ଜାତୀୟ ବିପର୍ଯ୍ୟୟ ପରିଚାଳନା ଆୟୋଗର ସଭ୍ୟ ଏନ୍‍.ସି. ମାରୱାଙ୍କ ନେତୃତ୍ୱରେ ଭାରତ ସମେତ ମିଆଁମାର, ଭୁଟାନ୍‍, ଥାଇଲାଣ୍ଡ, ଢ଼ାକା, ବାଂଲାଦେଶ, ଶ୍ରୀଲଙ୍କା, ନେପାଳର ପ୍ରତିନିଧିମାନେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିବାବେଳେ ପୁରାତନ ଐତିହ୍ୟ କୀର୍ତ୍ତିରାଜିକୁ ବୁଲି ଦେଖିଥିଲେ। ପରେ ଏହି ପ୍ରତିନିଧି ଦଳ ରାମଚଣ୍ଡୀ ମୁହାଣ ନିକଟରେ ପହଞ୍ଚି ଚାରା ରୋପଣ କରିଥିଲେ। ଏହି ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ପୁରାତନ ଐତିହ୍ୟ କୀର୍ତ୍ତିରାଜି ସହ ଉପକୂଳବର୍ତ୍ତୀ ଗ୍ରାମକୁ ବାତ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ କିପରି ସୁରକ୍ଷା ଦିଆଯାଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ। ସମୁଦ୍ରରେ ଭୂମିକମ୍ପ ହେଲେ ଯେଭଳି ସୁନାମି ସୃଷ୍ଟି ହୋଇଥାଏ ସେହିଭଳି ସ୍ଥଳଭାଗରେ ଭୂମିକମ୍ପ ହେଲେ ବିଶେଷ କରି ପୁରାତନ ଐତିହ୍ୟ କୀର୍ତ୍ତିରାଜି ଉପରେ ଏହାର ପ୍ରଭାବ ପଡ଼ିଥାଏ। ବିଶେଷ କରି କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସୁରକ୍ଷା ଦେବା ଲାଗି ଏହି ପ୍ରତିନିଧି ମଣ୍ଡଳୀଙ୍କ ଠାରୁ ବିଭିନ୍ନ ମତାମତ ସଂଗ୍ରହ କରାଯାଇଥିଲା। ଆସନ୍ତା ଫେବୃଆରୀ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ କୋଣାର୍କ ସମେତ ୩ଟି ସ୍ଥାନରେ ୭ଟି ଦେଶକୁ ନେଇ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ଐତିହ୍ୟ କୀର୍ତ୍ତିରାଜିକୁ ସୁରକ୍ଷା ଦେବା ପାଇଁ ମକ୍‍ଡ଼୍ରିଲ୍‍ ଅନୁଷ୍ଠିତ ହେବାକୁ ଥିବାବେଳେ ବିଭିନ୍ନ ଦେଶରୁ ଆସିଥିବା ପ୍ରତିନିଧିମାନେ ଏହି ଅବସରରେ ସେମାନଙ୍କର କୌଶଳ ପ୍ରଦର୍ଶନ କରିବେ ବୋଲି ସୂଚନା ମିଳିଛି।

Comments are closed.