ସୂର୍ଯ୍ୟମନ୍ଦିର ସ୍ଥିତି ପରଖିଲେ ପର୍ଯ୍ୟଟନ ମନ୍ତ୍ରୀ

0

ଗୋପ : ଶନିବାର ଅପରାହ୍ନରେ କୋଣାର୍କ ସୂର୍ଯ୍ୟ ମନ୍ଦିର ସ୍ଥିତି ଦେଖିବା ଲାଗି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ନିମାପଡ଼ା ବିଧାୟକ ତଥା ପୁରୀ ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ସୂର୍ଯ୍ୟ ମନ୍ଦିରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ମନ୍ଦିରର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ, ଭୁବନେଶ୍ୱର ଠାରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସୂର୍ଯ୍ୟ ମନ୍ଦିର ସଂପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକ ହେବା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବିଭିନ୍ନ ସ୍ଥାନରେ କାରୁକାର୍ଯ୍ୟ ପଥର କଢ଼ାଯାଇ ସାଧା ପଥର ବସିବା, ବିଭିନ୍ନ ସମୟରେ ମନ୍ଦିର ଭିତରେ ପାଣି ଜମା ହୋଇ ରହିବା ଓ ବିଭିନ୍ନ ସମୟରେ କୁକୁର, ମାଙ୍କଡ଼ ଏବଂ ସରୀସୃପଙ୍କ ଆଡ଼ାସ୍ଥଳୀ ପାଲଟିଥିôବା ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀଙ୍କୁ ଅବଗତ କରାଇବା ଲାଗି ଏକ ପତ୍ର ଲେଖାଯାଇଥିଲା। ଗତକାଲି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ନିମାପଡ଼ା ବିଧାୟକ ଶ୍ରୀ ଦାଶ, କାକଟପୁର ବିଧାୟକ ଶ୍ରୀ ସେଠୀ ପ୍ରମୁଖ କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀ ମହେଶ୍‍ ଶର୍ମାଙ୍କ ସହିତ ଆଲୋଚନା କରି ଖୁବ୍‍ ଶୀଘ୍ର ଏଏସ୍‍ଆଇ ଉଚ୍ଚ ପଦାଧିକାରୀଙ୍କୁ ନେଇ ଭୁବନେଶ୍ୱର ଠାରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ହଠାତ୍‍ ଆଜି କୋଣାର୍କ ଉତ୍ସବକୁ ଉଦ୍‍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସିଥିବା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡା କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ ବିଭିନ୍ନ ସ୍ଥାନକୁ ଟିକ୍‍ନିକ୍‍ କରି ଦେଖିଥିଲେ। ଏହା ସହିତ ସ୍ଥାନୀୟ ଜନସାଧାରଣଙ୍କୁ ମନ୍ଦିର ସ୍ଥିତି ସଂପର୍କରେ ବୁଝି ଦେଖିଥିଲେ। ଏହି ଗସ୍ତ ସମୟରେ କୋଣାର୍କ ନଗର ବିଜେଡ଼ି ସଭାପତି ଗୋପାଳ ଚନ୍ଦ୍ର ବେହେରା, କୋଣାର୍କ ସୁରକ୍ଷା ସମିତି ସଭାପତି ବାଦଲ ଦାଶ ପ୍ରମୁଖ ମନ୍ତ୍ରୀଙ୍କୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଅବ୍ୟବସ୍ଥା ସମ୍ପର୍କରେ କହିଥିଲେ। ଏହି ସମୟରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ନିମାପଡ଼ା ଏସ୍‍ଡ଼ିପିଓ ନିରଞ୍ଜନ ପାଢ଼ୀ, କୋଣାର୍କ ଥାନାଧିକାରୀ ସଞ୍ଜୀବ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply