ମୁମ୍ବଇରେ ପ୍ରବଳ ବର୍ଷା କାରଣରୁ ବାତିଲ ହେଲା ଭୁବନେଶ୍ୱର-ମୁମ୍ବଇ କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ

ଭୁବନେଶ୍ଵର : ଲଗାଣ ବର୍ଷା ହେତୁ ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇର ଅବସ୍ଥା ଭଲ ନାହିଁ। ବୁଧବାର ଲଗାତାର ବର୍ଷା ଯୋଗୁଁ ସହରର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମୁମ୍ବଇରେ ଲାଗି ରହିଥିବା ବର୍ଷା ଏବଂ ରେଳଧାରଣା ଉପରେ ପାଣି ଜମି ରହିଥିବା କାରଣରୁ ଶୁକ୍ରବାର ଭୁବନେଶ୍ୱରରୁ ମୁମ୍ବାଇକୁ ଯାତ୍ରା କରୁଥିବା କୋଣାର୍କ ସ୍ପେଶାଲ୍ ଏକ୍ସପ୍ରେସ୍ ବାତିଲ୍ କରିଦିଆଯାଇଛି । ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ମୁମ୍ବଇ ଉପ-ସହରାଞ୍ଚଳରେ ପ୍ରବଳ ବର୍ଷା ହେତୁ ଏଭଳି ପଦକ୍ଷେପ ନିଆଯାଇଛି। ଏହାପୂର୍ବରୁ ମଧ୍ୟ ମୁମ୍ବଇ ଉପ-ସହରାଞ୍ଚଳରେ ପ୍ରବଳ ବର୍ଷା ହେତୁ ୧୧୦୧୯ ନମ୍ବର ସିଏସ୍ ଏମ୍ ଟି ମୁମ୍ବଇ-ଭୁବନେଶ୍ୱର କୋଣାର୍କ ସ୍ପେଶାଲ ଏକ୍ସପ୍ରେସକୁ ୫ ତାରିଖ ଦିନ ବାତିଲ କରିଦିଆଯାଇଥିଲା । ଯାହା ଫଳରେ ସଂଯୋଗକାରୀ ଟ୍ରେନ୍ ନ ଆସିବା କାରଣରୁ ଶୁକ୍ରବାର ଅଗଷ୍ଟ ୭ ତାରିଖ ମୁମ୍ବଇ-ଭୁବନେଶ୍ୱର କୋଣାର୍କ ସ୍ପେଶାଲ ଏକ୍ସପ୍ରେସ ବନ୍ଦ କରିଦିଆଯାଇଛି ।

ସୂଚନାଯୋଗ୍ୟ  ମୁମ୍ବଇରେ ଲଗାଣ ବର୍ଷା ଯୋଗୁଁ ଟ୍ରେନ୍‌ର ଟ୍ରାକରେ ପାଣି ଭରି ରହିଛି । ଯାହାଦ୍ୱାରା ଦୁଇ ଲୋକାଲ ଟ୍ରେନ୍ ପାଣି ଭିତରେ‌ ଫସି ରହିଥିଲା । ପରେ ଏନଡିଆରଏଫର ଟିମ୍‌ ଏହି ଟ୍ରେନ୍‌ରୁ ୨୯୦ ଲୋକଙ୍କୁ ଉଦ୍ଧାର କରିଥିଲା । ପାଣିପାଗ ବିଭାଗ ଅନୁଯାୟୀ ମୁମ୍ବଇ-ଥାନେ-ପାଲଘର ଭଳି ଅଞ୍ଚଳରେ ରେକର୍ଡ ପରିମାଣର ବର୍ଷା ହୋଇଛି। ୧୨ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୨୧୫.୮ ମିଲିମିଟର ବର୍ଷା ହୋଇଥିବାବେଳେ ପବନର ବେଗ ମଧ୍ୟ ୧୦୦ କିଲୋମିଟର ଥିଲା ।

Comments are closed.