MEllora 950×100

କୋଣାର୍କ ମହୋତ୍ସବ ଓ ଇକୋ ରିଟ୍ରିଟ୍‌ ଉଦ୍‌ଘାଟିତ

ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କୋଣାର୍କ : ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ, କୋଣାର୍କ ଏବଂ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଗୁରୁବାର ଉଦଘାଟିତ ହୋଇଯାଇଛି। ଦିନରେ ଇକୋ ରିଟ୍ରିଟ ପୁତସିଲ, ସୋନାପୁର, ସାତକୋଶିଆ, ଭିତରକନିକା, ହୀରାକୁଦ ଏବଂ ଦାରିଙ୍ଗବାଡିରେ ଉଦଘାଟନ କରାଯାଇଥିଲା। ଏହାପରେ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଦ୍ୱାଦଶ ସଂସ୍କରଣ ଏବଂ ସନ୍ଧ୍ୟା ସମୟରେ କୋଣାର୍କ ମହୋତ୍ସବର ୩୩ତମ ସଂସ୍କରଣର ଉଦଘାଟନ କରାଯାଇଥିଲା। ୧ ରୁ ୫ ଡିସେମ୍ବର ମଧ୍ୟରେ ପ୍ରତିବର୍ଷ ଆୟୋଜିତ ହେଉଥିବା କୋଣାର୍କ ଉତ୍ସବର ୩୩ ତମ ସଂସ୍କରଣ ଆଜି ମୁଖ୍ୟମନ୍ତ୍ରୀ ଆଭାସି ଜରିଆରେ ଉଦଘାଟନ କରିଥିଲେ।
ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶରେ ଗୁରୁବାର ଆରମ୍ଭ ହୋଇଛି କୋଣାର୍କ ଉତ୍ସବ। ପ୍ରଥମ ଦିନରେ ଓଡ଼ିଶୀ ଓ କଥକ ନୃତ୍ୟରେ ମୁକ୍ତାକାଶ ରଙ୍ଗମଞ୍ଚ ଉଦ୍ଭାସିତ ହୋଇଥିଲା। ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟର ଏହି ମହାକୁମ୍ଭର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରିକାନ୍ତି ବେହେରା, ଜଗତସିଂହପୁର ସାଂସଦ ଡ଼ଃ. ରାଜଶ୍ରୀ ମଲ୍ଲିକ୍, ପର୍ଯ୍ୟଟନ ବିଭାଗ ଶାସନ ସଚିବ ସୁରେନ୍ଦ୍ର କୁମାର ପାଲ୍, ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡ଼ଃ. ଲେଲିନ୍ ମହାନ୍ତି, ପୁରୀ ଜିଲାପାଳ ସମର୍ଥ ବର୍ମା, ପର୍ଯ୍ୟଟନ ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ସୁସଜ୍ଜିତ ଆଲୋକମାଳାରେ ମୁକ୍ତାକାଶ ରଙ୍ଗମଞ୍ଚ ପ୍ରଥମେ ଶାସ୍ତ୍ରୀୟ ଓଡ଼ିଶୀ ଓ କଥକ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ପ୍ରଥମ ପ୍ରସ୍ତୁତିରେ ମାଲେସିଆରୁ ଆସିଥିବା ସୂତ୍ର ଫାଉଣ୍ଡେସନର ଶିଳ୍ପୀମାନେ ଜୟରାମ ରାମାୟଣର କଥାବସ୍ତୁକୁ ନେଇ ଶ୍ରୀରାମଧାନ ରାମଲୀଳା ଆଧାରିତ ଶାସ୍ତ୍ରୀୟ ନୃତ୍ୟ ସୀତା ସ୍ୱୟଂମ୍ବର ଦର୍ଶକଙ୍କୁ ବେଶ୍ ବିମୋହିତ କରିଥିଲା। ଦ୍ୱିତୀୟ ପ୍ରସ୍ତୁତିରେ କଥକ ଗୁରୁ ରାଜେନ୍ଦ୍ର ଗଙ୍ଗାନି ଓ ସାଥୀମାନଙ୍କ ଦ୍ୱାରା ଛନ୍ଦ, ଲୟ, ରତି, ସଂରଚନାକୁ ପରଶି ଦେଇଥିଲେ ଗୁରୁ କୁନ୍ଦନଲାଲ ଗଙ୍ଗାନୀ ଫାଉଣ୍ଡେସନ ନୂଆଦିଲ୍ଲୀର ଶିଳ୍ପୀ। କଥକ ନୃତ୍ୟ ଦର୍ଶକଙ୍କ ବେଶ୍ ମନଛୁଆଁ ହୋଇଥିଲା। ଦୁଇ ବର୍ଷ ବିନା କୋରନା କଟକଣାରେ କୋଣାର୍କ ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଶୀତୁଆ ସନ୍ଧ୍ୟାର ଏହି ଉତ୍ସବକୁ ମନଭରି ଉପଭୋଗ କରିଥିଲେ ଦର୍ଶକମାନେ। ଏହି କାର୍ଯ୍ୟକ୍ରମକୁ ଡ଼ଃ. ମୃତ୍ୟୁଞ୍ଜୟ ରଥ ଓ ଡ଼ଃ. ନାଜିଆ ଆଲାମ ସଂଯୋଜନା କରିଥିବାବେଳେ ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ, ଡ଼ଃ. ସଙ୍ଗୀତା ଗୋସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.