ଆନ୍ତର୍ଜାତୀୟ ମାନର ହେବ କୋଣାର୍କ ଅଞ୍ଚଳର ଭିତ୍ତିଭୂମି; ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ

ଜନସାଧାରଣଙ୍କ ମତାମତ ପାଇଁ ୨୧ ଦିନ ସମୟ

ଭୁବନେଶ୍ବର:  ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଯୋଜନା । ଏହି କାର୍ଯ୍ୟକ୍ରମର ଅଂଶ ଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ଚିଠା ପ୍ରସ୍ତୁତ କରାଯାଇଛି । କୋଣାର୍କ ଅଞ୍ଚଳର ଭିତ୍ତିଭୂମିକୁ ଆନ୍ତର୍ଜାତୀୟ ମାନର କରାଯିବାକୁ ପ୍ରସ୍ତୁତ ହୋଇଛି ନୀଳ ନକ୍ସା ।  କୋଣାର୍କ ସୂର୍ଯ୍ୟ ମନ୍ଦିରର ଗାରିମାର ସୁରକ୍ଷା, ପର୍ଯ୍ୟଟକ ମାନଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀ ମାନଙ୍କ ଆର୍ଥିକ ଉନ୍ନତି ତଥା କୋଣାର୍କ ସହିତ ପୁରୀ ଜିଲ୍ଲା ଓ ସମଗ୍ର ରାଜ୍ୟର ପର୍ଯ୍ୟଟନ ଅର୍ଥନୀତିର ବିକାଶ ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।

୧୯୮୪ ମସିହାରେ ୟୁନେସ୍କୋ କୋଣାର୍କକୁ ବିଶ୍ବ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି । ମନ୍ଦିରର ସୁରକ୍ଷା ସହିତ ଏହାର ସଂରକ୍ଷଣ ତଥା ଅଧିକରୁ ଅଧିକ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରବେଶସ୍ଥଳ ପର୍ଯ୍ୟଟକଙ୍କୁ ସ୍ବାଗତ ନିମନ୍ତେ କୋଣାର୍କ ଏଣ୍ଟ୍ରି ପ୍ଲାଜା ନିର୍ମାଣ ହେବ ଏବଂ ଗାଡ଼ି ମୋଟର ପାର୍କିଂ ପାଇଁ ମଲ୍ଟି ମଡ଼େଲ ହବ୍ ନିର୍ମାଣ ହେବ । ସେହିପରି କୋଣାର୍କ ମୁକ୍ତାକାଶ ରଂଗମଞ୍ଚର ପୁନଃବିନ୍ୟାସ କରାଯିବ ।  ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ପଥଚାରୀ ମାନଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ। କୋଣାର୍କ ଯୋଜନାରେ ସ୍ଥାନୀୟ ଲୋକଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ ସହିତ ଐତିହ୍ୟ ସଂରକ୍ଷଣ ଓ ବିକାଶରେ ବିଶ୍ବସ୍ତରୀୟ ଦୃଷ୍ଟିଭଙ୍ଗୀର ପ୍ରତିଫଳନ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିଛି ଉଚ୍ଚସ୍ତରୀୟ କମିଟି ।

କୋଣାର୍କ ମନ୍ଦିରର ଚତୁଃପାର୍ଶ୍ବ ଅଞ୍ଚଳର ଭିତ୍ତିଭୂମି ବିକାଶକୁ ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ବିତ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି । ସାଢ଼େ ତିନି କିଲୋମିଟର ବାହ୍ୟ ରିଂଗ ରୋଡକୁ ଛଅ ଥାକିଆ ନିର୍ମାଣ କରାଯିବା ସହିତ ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବା ଯାତ୍ରୀଙ୍କୁ ନେବାଆଣିବା ପାଇଁ ଭୁବନେଶ୍ୱର ରୁ କୋଣାର୍କ ପର୍ଯ୍ୟନ୍ତ ପଏଣ୍ଟର ବିକାଶ କରାଯିବ । ଫେରି ବାଲା ମାନଙ୍କୁ ପୁନଃ ଥଇଥାନ କରାଯିବ।ମନ୍ଦିର ସମ୍ମୁଖରେ ଥିବା ତିରିଶ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ ଏବଂ ଲ୍ୟାଣ୍ଡସ୍ପେପିଂ କରାଯିବ । ଆଜି ଏହାର ବିଭିନ୍ନ ଦିଗ ଉପରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ଏକ ଉପସ୍ଥାପନା କରାଯାଇଥିଲା । ଜନସାଧାରଣ ଏହି ଚିଠା ଯୋଜନା ଉପରେ ସେମାନଙ୍କ ସୁଚିନ୍ତିତ ମତାମତ ୨୧ ଦିନ ଭିତରେ ଦେଇପାରିବେ । konark.obcc@gmail .comରେ ଯେ କୌଣସି ବ୍ୟକ୍ତି ଏହି ମତାମତ ଦେଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।  ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି ) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଏବଂ ପୂର୍ତ୍ତ ସଚିବ ଉପସ୍ଥାପନା ଦେଇଥିଲେ । ମନ୍ତ୍ରୀ  ତୁଷାର କାନ୍ତି ବେହେରା ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.