କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା : ନୃତ୍ୟରେ ଭାରତ ବର୍ଣ୍ଣନା

କୋଣାର୍କ : ଆନ୍ତର୍ଜାତିକ କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ କୁଚିପୁଡ଼ି ଓ ଓଡ଼ିଶୀରେ ଦେଶଭକ୍ତି ଓ ପୁରାଣ ପ୍ରସଙ୍ଗକୁ ନେଇ ନୃତ୍ୟଶିଳ୍ପୀ ମଞ୍ଚକୁ ଓହ୍ଲାଇଥିଲେ। ଶାସ୍ତ୍ରୀୟ ଉପସ୍ଥାପନାରେ ଦର୍ଶକ ବିଭୋର ହୋଇଥିଲେ। ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ଏହି ଉତ୍ସବକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ।
ଚତୁର୍ଥ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ନୃତ୍ୟଗୁରୁ ଦମ୍ପତି ରାଜା ଓ ରାଧାରେଡ୍ଡୀଙ୍କ ସଂଯୋଜନାରେ କୁଚିପୁଡ଼ି ନୃତ୍ୟରେ ନଦନଦୀ ଓ ପର୍ବତ ଭାରତ ଭୂମିକୁ କିପରି ଏକ ପବିତ୍ର ତୀର୍ଥଭୂମିର ପରିଚୟ ଦେଇଛି ତାହା ପ୍ରଦର୍ଶିତ କରିଥିଲେ। ଦ୍ୱିତୀୟ ଚରଣରେ ଡ. ଶାନ୍ତନୁ କୁମାର ରଥଙ୍କ କଳାତ୍ମକ ସଂରଚନା, ଗୁରୁ ରାମହରି ଦାସଙ୍କ ସଂଗୀତ ସଂଯୋଜନା, ଗୁରୁ ଗଜେନ୍ଦ୍ର ପଣ୍ଡା ଓ ତ୍ରିଧାରା ଅନୁଷ୍ଠାନର ଶିଳ୍ପୀଗଣ ମଞ୍ଚରେ ଭେଟି ଦେଇଥିଲେ ପ୍ରହ୍ଲାଦ ନାଟକ। ଶାସ୍ତ୍ରୀୟ ରୂପାନ୍ତର ପୁରାଣ ଆଧାରିତ ଶ୍ରୀ ବିଷ୍ଣୁଙ୍କ ନୃସିଂହ ଅବତାରକୁ ନେଇ ଉପସ୍ଥାପିତ ପ୍ରହ୍ଲାଦ ନାଟକର ଭାଷା, ବେଶଭୂଷା, ସଙ୍ଗୀତ, ଅଭିନୟ ସମସ୍ତଙ୍କୁ ପ୍ରଭାବିତ କରିଥିଲା।
ସନ୍ଧ୍ୟାର ଅତିଥି ଭାବେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ କଳ୍ପେଶ ସତ୍ୟେନ୍ଦ୍ର ଝାଭେରୀ, ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ, ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଡ. ମୃତ୍ୟୁଞ୍ଜୟ ରଥ, ଡ. ସାଧନା ଶ୍ରୀବାସ୍ତବ ମଞ୍ଚ ସଂଯୋଜନା କରିଥିବାବେଳେ ଡ. ସଙ୍ଗୀତା ଗୋସ୍ୱାଇଁ, ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଜେନା, ଉତ୍ପଳ ପତି, ରତିକାନ୍ତ ପଟ୍ଟନାୟକ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

Comments are closed.