ଆଉ କେତେ ସହିବେ ବଡ଼ବଜାର ଓଡ଼ିଆ ଶ୍ରମିକ ?

କଲକାତା : ବଡ଼ ବଜାରରେ ପାଞ୍ଚଶହରୁ ଊର୍ଦ୍ଧ୍ବ ଓଡ଼ିଆ ଶ୍ରମିକ ବିଭିନ୍ନ ସାମଗ୍ରୀ ସରବରାହ ଓ ମାଲବାହୀ ଟ୍ରକ୍‌ଗୁଡ଼ିକରେ ଲୋଡ଼-ଅନ୍‌ଲୋଡ଼୍‌ କରିଥାଆନ୍ତି। ବର୍ଷବର୍ଷ ଧରି ସେମାନେ ଏହି କାର୍ଯ୍ୟରେ ଯୁକ୍ତ ରହିଥିଲେ ସୁଦ୍ଧା ଶ୍ରମ ଆଇନ୍‌ଦ୍ବାରା ସେମାନେ ନିବନ୍ଧିତ ନୁହଁନ୍ତି; କିନ୍ତୁ କେନ୍ଦ୍ର ସରକାର ଶ୍ରମିକମାନଙ୍କ ପାଇଁ ବହୁବିଧ ଯୋଜନା ପ୍ରଣୟନ କରିଥିବାବେଳେ ଶ୍ରମିକମାନେ କିପରି ସୁରକ୍ଷିତ ରହିପାରିବେ ସେଥିପାଇଁ ପଦକ୍ଷେପ ନେଇଛନ୍ତି। ବିଭିନ୍ନ କ୍ଷେତ୍ରରେ ଏହି ଆଇନ୍‌ ଲାଗୁ ହୋଇଥିଲେ ସୁଦ୍ଧା ବଡ଼ବଜାରର ଏହି ଶ୍ରମିକଙ୍କ କ୍ଷେତ୍ରରେ କାହିଁକି ବ୍ୟତିକ୍ରମୀ ଘଟୁଛି ତାହା ନେଇ ବିିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କେତେକ ଶ୍ରମିକ ନିର୍ଦ୍ଦିଷ୍ଟ ମାଲିକ ଓ ନିର୍ଦ୍ଦିଷ୍ଟ ସଂସ୍ଥାରେ ଯୁବାବସ୍ଥାରୁ କାର୍ଯ୍ୟ କରି ବାର୍ଦ୍ଧକ୍ୟରେ ପହଞ୍ଚିଛନ୍ତି। କିନ୍ତୁ ସେମାନେ କୌଣସି ଇଏସ୍‌ଆଇ ଓ ଇପିଏଫ୍‌ ସରକାରୀ ସଂସ୍ଥା ସହିତ ଯୁକ୍ତ ନାହାଁନ୍ତି। ଯାହାଦ୍ବାରା ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇ ଉଠିଛି। ସେମାନଙ୍କ ମଧ୍ୟରୁ କେତେକ ଅସୁସ୍ଥ ହେଲେ କାମ ନ କରି ପଡ଼ି ରହିଥାଆନ୍ତି। ନିଜ ପକ୍ଷରୁ ଚିକିତ୍ସା ହେବା ବ୍ୟତୀତ ବିକଳ୍ପ କୌଣସି ପନ୍ଥା ନଥାଏ। ଗୁରୁତର ଅସୁସ୍ଥ ହେଲେ କାମ ଛାଡ଼ି ଓଡ଼ିଶା ଫେରି ଯାଆନ୍ତି। ତେବେ ଭାରତ ସରକାରଙ୍କ ଶ୍ରମ ଆଇନ୍‌ ମୁତାବକ ପ୍ରତିଟି ଶ୍ରମିକ ଶ୍ରମ ବିଭାଗର ଯଥାଯଥ ସୁଯୋଗ ପାଇବା ପାଇଁ ହକ୍‌ଦାର। ଇଏସ୍‌ଆଇଭୁକ୍ତ ନ ହେଲେ ଏଭଳି କାମ କରିବା ମଧ୍ୟ ବେଆଇନ୍‌। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ଯେ ବିପଦସଙ୍କୁଳ ଭାବେ କାମ କରୁଥିଲେ ସୁଦ୍ଧା ଅଧିକାଂଶ ସମୟ କାମ କରିଥାଆନ୍ତି। ସତେ ଯେପରି ସେମାନେ ଯନ୍ତ୍ରଚାଳିତ ମଣିଷ। ଦିବାରାତ୍ରି ସେମାନଙ୍କ ନିକଟରେ କୌଣସି ପାର୍ଥକ୍ୟ ନାହିଁ। ଶେଷରାତ୍ରି ବା ଭୋର୍‌ରେ ଦୂରଦୂରାନ୍ତରୁ ମାଲବାହୀ ଟ୍ରକ୍‌ ବଡ଼ବଜାରକୁ ଆସିଲେ ସେଗୁଡ଼ିକୁ ଅନ୍‌ଲୋଡ଼ କରିବା ପାଇଁ ଏଠାକାର ଓଡ଼ିଆ ଶ୍ରମିକମାନେ ବାଧ୍ୟ ହୁଅନ୍ତି। କାରଣ ଡିଟେନ୍‌ସନ ଚାର୍ଜ ମାଲିକ ପକ୍ଷଙ୍କୁ ଦେବାକୁ ପଡ଼ିବ। ସେଥିପାଇଁ ଏହି ଶ୍ରମିକଙ୍କ ଉପରେ କାର୍ଯ୍ୟତଃ ଅତ୍ୟାଚାର ହୁଏ। ସର୍ବୋପରି ସୀମିତ ପାରିଶ୍ରମିକ ପାଉଥିବାରୁ ପ୍ରାୟ ୯୦ପ୍ରତିଶତ ଓଡ଼ିଆ ଶ୍ରମିକଙ୍କ ନିଜସ୍ବ ବାସଗୃହ ନାହିଁ। ସେମାନେ ଗୋଦାମଘରେ ଏବଂ ବସ୍ତା ଉପରେ ଦୟନୀୟ ଭାବେ ଶୋଇ ରୁହନ୍ତି। ପଥପ୍ରାନ୍ତ ହୋଟେଲରେ ଖାଇବା ଓ ରାସ୍ତା ପାର୍ଶ୍ବସ୍ଥ ଶୌଚାଳୟରେ ନିତ୍ୟକର୍ମ କାର୍ଯ୍ୟ କରିଥାଆନ୍ତି।

ସ୍ବାଧୀନତାର ୭୦ବର୍ଷ ପରେ ବି ଏଭଳି ପରିସ୍ଥିତି ଓଡ଼ିଆ ଶ୍ରମିକଙ୍କ ଉପରେ ପରିଲକ୍ଷିତ ହେବା ଦୁର୍ଭାଗ୍ୟର ବିଷୟ। ଅତୀତରେ ଶ୍ରମିକ ସଂଗଠନ ପକ୍ଷରୁ ଓଡ଼ିଆ ଶ୍ରମିକଙ୍କୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇଛି, କିନ୍ତୁ ସବୁ ଯେପରି ଧର୍ମକୁ ଆଖିଠାର ସଦୃଶ ମନେହୁଏ। ଶ୍ରମିକନେତାମାନେ ସେମାନଙ୍କ ନେତୃତ୍ବକୁ ପ୍ରତିଷ୍ଠା କରିଥିବାବେଳେ ବିଚରା ଓଡ଼ିଆ ଶ୍ରମିକମାନେ ଭାଗ୍ୟକୁ ଆଦରି ଦିନ କାଟୁଛନ୍ତି। ତେବେ ବର୍ତ୍ତମାନର ସଚେତନ ପରିବେଶରେ ଭଳି ଦାଦନଗିରିକୁ ଆଇନ୍‌, ବ୍ୟକ୍ତିବିଶେଷ ଏବଂ ସାମାଜିକ ସ୍ଥିତି ମାନିନେବ ନାହିଁ, ଯାହାକୁ ନେଇ ବିଭିନ୍ନ ସ୍ତରରେ ଗୁଞ୍ଜଣହେଉଛି, ତେଣୁ ଶ୍ରମିକଙ୍କ ପ୍ରତି ଏଭଳି ବ୍ୟତିକ୍ରମୀର ସମାଧାନ କେବେ ତାହା ହିଁ ଭବିଷ୍ୟତ କହିବ।

Comments are closed.