ରାଜ୍ୟରେ ପହଞ୍ଚିଲା ୧୦ କମ୍ପାନୀ କେନ୍ଦ୍ରୀୟ ବାହିନୀ

କଲକାତା : ଆଗାମୀ ନଭେମ୍ବର ୨୫ ତାରିଖରେ ପଶ୍ଚିମବଙ୍ଗର ତିନି ବିଧାନସଭା କେନ୍ଦ୍ରରେ ଉପନିର୍ବାଚନ। ଏହି ଉପନିର୍ବାଚନ ଖଡ଼ଗପୁର ସଦର ସହ କରିମ୍‌ପୁର ଓ କାଳିଆଗଞ୍ଜରେ ହେବ। ତେଣୁ ନିର୍ବାଚନ ପର୍ବ ଯେପରି ଶାନ୍ତିଶୃଙ୍ଖଳା ମଧ୍ୟ​ରେ ସମ୍ପନ୍ନ ହୁଏ ସେଥିପାଇଁ ନିର୍ବାଚନ କମିସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେଣୁ ପୂର୍ବ ଘୋଷଣା ମୁତାବକ ଆଜି ସକାଳେ ପ୍ରଥମ ପର୍ଯ୍ୟାୟରେ ୧୦ କମ୍ପାନୀ କେନ୍ଦ୍ରୀୟ ବାହିନୀ ରାଜ୍ୟକୁ ପହଞ୍ଚିଛି। ଗତ ସୋମବାର ମନୋନୟନ ପତ୍ର ପ୍ରତ୍ୟାହାର ଶେଷ ଦିନ ଥିଲା।
ତେବେ ଭୋଟପର୍ବ ଯେପରି ନିର୍ବଘ୍ନରେ ସମ୍ପନ୍ନ ହୁଏ ସେଥିପ୍ରତି ଗୁରୁତ୍ବ ଦେଇ ନିର୍ବାଚନ କମିସନ ପକ୍ଷରୁ ଏଭଳି ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ କମ୍ପାନୀ କେନ୍ଦ୍ରୀୟ ବାହିନୀ ରାଜ୍ୟରେ ପହଞ୍ଚିଥିବାବେଳେ ତିନି କେନ୍ଦ୍ରରେ ଉପନିର୍ବାଚନ ନିମନ୍ତେ କମିସନଦ୍ବାରା ନିଯୁକ୍ତ ୯ଜଣ ପର୍ଯ୍ୟବେକ୍ଷକ ମଧ୍ୟ ରାଜ୍ୟକୁ ପହଞ୍ଚି ସାରିଛନ୍ତି ବୋଲି ରାଜ୍ୟ ନିର୍ବାଚନ ଦପ୍ତର ସୂତ୍ରରୁ ଜଣାପଡ଼ିଛି। ରାଜ୍ୟ ମୁଖ୍ୟ ନିର୍ବାଚନୀ ଅଧିକାରୀଙ୍କ ଦପ୍ତର ସୂତ୍ରରୁ ଆହୁରି ଜଣାପଡ଼ିଛି ଯେ ବୁଧବାର ସନ୍ଧ୍ୟାରୁ ତିନି ବିଧାନସଭା କେନ୍ଦ୍ରରେ ଉପ

ନିର୍ବାଚନ ନିମନ୍ତେ କେନ୍ଦ୍ରୀୟ ବାହିନୀ ଟହଲ ଦେବା ଆରମ୍ଭ କରିଛନ୍ତି। ଏହି କ୍ଷେତ୍ରରେ ଜିଲା ପ୍ରଶାସନଙ୍କୁ ସମସ୍ତ ବିଷୟରେ ନଜର ରଖିବାକୁ ନିର୍ଦେଶ ହୋଇଛି। ଯେହେତୁ ଉପନିର୍ବାଚନ ହେବାକୁ ଥିବା ତିନି ବିଧାନସଭା କେନ୍ଦ୍ର ସ୍ପର୍ଶକାତର ରହିଛି, ସେ ଦୃଷ୍ଟିରୁ କେନ୍ଦ୍ରୀୟ ବାହିନୀର ସହାୟତା ଲୋଡ଼ାଯାଇଛି। କାରଣ ଖଡ଼ଗପୁର ସଦର କେନ୍ଦ୍ରଟି ବିଜେପିର, କରିମ୍‌ପୁର ତୃଣମୂଳ କଂଗ୍ରେସର ଓ କାଳିଆଗଞ୍ଜ ଆସନଟି କଂଗ୍ରେସ ଦଖଲରେ ଥିଲା, ସେ ଦୃଷ୍ଟିରୁ ଏହି ତିନିଟି ଆସନରେ ହେବାକୁ ଥିବା ଭୋଟ ଯେପରି ଶାନ୍ତିପୂର୍ଣ୍ଣ ହୁଏ ସେଥିପ୍ରତି କମିସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ତିନି କେନ୍ଦ୍ରର ବୁଥ୍‌ ସଂଖ୍ୟା ୮୦୧। ଏହା ମଧ୍ୟରେ କାଳିଆଗଞ୍ଜ ଓ ଖଡ଼ଗପୁର ସଦର କେନ୍ଦ୍ରରେ ୨୭୦ଟି ଲେଖାଁ ବୁଥ୍‌ ରହିଛି। ସେହିପରି କରିମ୍‌ପୁରର ବୁଥ୍‌ ସଂଖ୍ୟା ୨୬୧ଟି। ଯେହେତୁ ଏହି ତିନି କେନ୍ଦ୍ରକୁ ସ୍ପର୍ଶକାତର ଭାବେ କମିସନ ମନେ କରୁଛି ସେ ଦୃଷ୍ଟିରୁ କେନ୍ଦ୍ରୀୟ ବାହିନୀର ସହାୟତାରେ କରାଯିବା ଆବଶ୍ୟକ ହୋଇଛି। ପ୍ରତିଟି ଭୋଟ ବୁଥ୍‌ରେ ଚାରିଜଣ ଲେଖାଁ କେନ୍ଦ୍ରୀୟ ବାହିନୀ ମୁତୟନ ରହିବ ବୋଲି କୁହାଯାଇଛି।

Comments are closed.