କୋକସରାରେ ବିଶାଳ ଚାଷୀ ସମାବେଶ

0

କୋକସରା : କୋକସରା ବ୍ଳକକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବା ଦାବୀ ନେଇ କୋକସରା କୃଷକ ସଚେତନ ମଞ୍ଚ ତରଫରୁ କୋକସରା ତହସିଲ ଅଫିସ ନିକଟରେ ଏକ ବିଶାଳ ଚାଷୀ ସମାବେଶ ଆୟୋଜିତ ହୋଇଥିଲା। ବ୍ଳକର ୨୨ଟି ପଞ୍ଚାୟତର ପ୍ରାୟ ୧୦ହଜାର ଚାଷୀ ଏହି ସମାବେଶରେ ଯୋଗ ଦେଇଥିଲେ। ବିଭିନ୍ନ ପଞ୍ଚାୟତରୁ ଆସିଥିବା ଚାଷୀ କୋକସରା ଜଗନ୍ନାଥ ମନ୍ଦିର ନିକଟରେ ଏକାଠି ହେବା ପରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ତହସିଲ ଅଫିସ ଆଗରେ ସମାବେଶ କରିଥିଲେ। କୃଷକ ସଚେତନ ମଞ୍ଚର ସଭାପତି ଶିବପ୍ରସାଦ ପ୍ରଧାନିଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାବେଶରେ ଅବସରପ୍ରାପ୍ତ ଶିକ୍ଷକ ମିନକେତନ ପ୍ରଧାନି ସଭାପତିତ୍ୱ କରିଥିଲେ। ସମାବେଶରେ ଯୋଗ ଦେଇ ଅନେକ ଚାଷୀ ଇନ୍ଦ୍ରାବତି ଉଠା ଜଳସେଚନ କାମ ବିଳମ୍ବ ହେଉଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଇନ୍ଦ୍ରଙ୍କ ଭରସାରେ ଚାଷୀ ଚାଷ କରୁଛି। ତେଣୁ ଏହି ପ୍ରକଳ୍ପ କାମ ତୁରନ୍ତ ସାରି କାର୍ଯ୍ୟକ୍ଷମ କରିବାକୁ ସେମାନେ ଦାବୀ କରିଥିଲେ।

ଏହି ବ୍ଳକରେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ଅନେକ ପ୍ରକଳ୍ପ କାମ ହାତକୁ ନିଆଯାଇଛି। କିନ୍ତୁ ଏହି ବିଭାଗ ଚାଷୀଙ୍କ ସ୍ୱାର୍ଥ ପାଇଁ କାମ ନକରି କେବଳ ଠିକାଦାର ପୋଷା ନୀତି ଆପଣାଇଛି ବୋଲି ଅନେକ ଚାଷୀ ପ୍ରକାଶ କରିଥିଲେ। ପରେ କୋକସରା ତହସିଲଦାରଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୧୭ ଦଫା ଦାବୀପତ୍ର ପ୍ରଦାନ କରିଥିଲେ। ଦାବୀ ଗୁଡିକ ହେଉଛି କୋକସରା ବ୍ଳକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବା,୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରିବା, ଏକକ କୃଷି ବର୍ଷକୁ ଭିତ୍ତି କରି ବୀମା ପ୍ରଦାନ କରିବା, ଯୁଦ୍ଧକାଳୀନ ଭିତ୍ତିରେ ଇନ୍ଦ୍ରାବତୀ ଉଠା ଜଳସେଚନ କାମକୁ ଶେଷ କରି କାର୍ଯ୍ୟକ୍ଷମ କରିବା, ଏହି ପ୍ରକଳ୍ପରେ ବାଦ ପଡିଥିବା ଗ୍ରାମ ମାନଙ୍କୁ ମାଗଣା ଲିଫ୍ଟ ପଏଣ୍ଟ ଯେଗାଇଦେବା, କୋକସରାରେ ବାୟୋଇତାନଲ ପ୍ଳାଣ୍ଟ ସ୍ଥାପନ, ସମସ୍ତ ଚାଷୀଙ୍କୁ ମାଗଣାରେ ବୋରୱେଲ, ଧାନର ସର୍ବନିମ୍ନ ମୂଲ୍ୟ ୩୦୦୦ଟଙ୍କାକୁ ବୃଦ୍ଧି, ଋଣୀ ଅଣଋଣୀ ସମସ୍ତ ଚାଷୀଙ୍କୁ ଶସ୍ୟ ବୀମା ପ୍ରଦାନ କରିବା, ଶସ୍ୟ ବୀମା ପ୍ରିମିୟମ ଜୁଲାଇ ୩୧ ବଦଳରେ ସେପ୍ଟେମ୍ବର ୩୦କୁ ବୃଦ୍ଧିକରିବା, ସିଉନି , ବେହେରା ଡ୍ୟାମର ଉଚ୍ଚତା ବୃଦ୍ଧି, ମାଗଣା ଔଷଧ ପ୍ରଦାନ ଆଦି ରହିଛି। ଆଗାମି ଦିନରେ ଦାବୀ ପୂରଣ ନହେଲେ ଏକ ଭୟଙ୍କର ଆନ୍ଦୋଳନ ହେବ ବୋଲି ମଞ୍ଚ ପ୍ରକାଶ କରିଛି। ଏହି ସମାବେଶରେ ମଞ୍ଚର ସଂପାଦକ ମନୋଜ ନାଏକ ସମେତ ଲକ୍ଷ୍ମିକାନ୍ତ ଖମାରୀ, ଅତ୍ୟୁଲ ପ୍ରଧାନି, ଋତୁରାମ ମାଝି ପ୍ରମୂଖ ଉପସ୍ଥିତ ଥିଲେ।

Leave A Reply