ଅଭାବନୀୟ : ଶିଶୁ କନ୍ୟାକୁ ମାରି ମା’ ର ଆତ୍ମହତ୍ୟା, ସ୍ବାମୀର ଶବ ଉଦ୍ଧାର

କୋଇଡ଼ା: କୋଇଡ଼ା ଥାନା ଅନ୍ତର୍ଗତ ମସଜିଦ ଗଳିରେ ରହୁଥିବା ଏକ ପରିବାରର ଜନୈକା ମହିଳା କୌଣସି କାରଣରୁ ତାଙ୍କ ଶିଶୁକନ୍ୟାକୁ ମାରି ନିଜେ ଆତ୍ମହତ୍ୟା କରିଥିବାବେଳେ ସ୍ବାମୀଙ୍କ ଝୁଲନ୍ତା ଶବ ଅନ୍ୟ ଏକ ସ୍ଥାନରୁ ମିଳିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନାଯୋଗ୍ୟ ଯେ ଜଗତସିଂହପୁର ଜିଲାର ଏକ ପରିବାର ସ୍ୱାମୀ ପ୍ରହଲ୍ଲାଦ ସାହାଣୀ,ସ୍ତ୍ରୀ ରଞ୍ଜିତା ସାହାଣୀ ଓ ତିନି ବର୍ଷର କୁନି ଝିଅ ଦୀର୍ଘ ତିନି ବର୍ଷ ହେବ ଉକ୍ତ ଗଳିରେ ଜଣକ ଘରେ ଭଡ଼ାରେ ରହି ଆସୁଥିଲେ। ମଙ୍ଗଳବାର ରାତିରେ କୌଣସି କାରଣକୁ ନେଇ ଉଭୟ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ‌ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଘର ମାଲିକ ପ୍ରହଲ୍ଲାଦଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ପରେ ପ୍ରହଲ୍ଲାଦ ବୁଧବାର ସକାଳୁ କେଉଁ ଆଡ଼େ ଚାଲିଯାଇଥିଲେ। ଗୁରୁବାର ସକାଳେ ଘର କବାଟ ନଖୋଲିବାରୁ ପଡ଼ୋଶୀ ସନ୍ଦେହ କରି ପ୍ରଥମେ ପୁଲିସକୁ ଖବର ଦେଇଥିଲେ ା ଘଟଣାସ୍ଥଳରେ ପୁଲିସ ଓ ସ୍ଥାନୀୟ ତହସିଲଦାର ପହଞ୍ଚି ମା ଏବଂ ଶିଶୁକନ୍ୟା ମରିପଡ଼ିଥିବା ଦେଖିଥିଲେ। ଶିଶୁକନ୍ୟାଟି ଖଟରେ ଶୋଇରହିଥିବାବେଳେ ରଞ୍ଜିତାଙ୍କୁ ଖଟ ଉପରେ ଝୁଲନ୍ତା ଅବସ୍ଥାରେ ଦେଖାଯାଇଥିଲା।

 

ପ୍ରଥମେ ତିନି ବର୍ଷର ଝିଅକୁ ମାରିବା ପରେ ନିଜେ ରଞ୍ଜିତା ଫ୍ୟାନରେ ଶାଢ଼ୀକୁ ଫାଶିକରି ଆତ୍ମହତ୍ୟା କରିଥିବା ଅନୁମାନ ହେଉଛି। ଶବଗୁଡ଼ିକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ଲହୁଣୀପଡ଼ା ପଠାଇବା ପରେ ପରିବାର ସଦସ୍ୟଙ୍କୁ ଖବର ଦିଆଯାଇଛି। ଅନ୍ୟପଟେ ନିଖୋଜ ସ୍ୱାମୀ ପ୍ରହଲ୍ଲାଦଙ୍କ ଝୁଲନ୍ତା ଶବ କେନ୍ଦୁଝର ଜିଲା ରୁଗୁଡ଼ିହି ଥାନା ନିକଟସ୍ଥ ଏକ ଜଙ୍ଗଲରୁ ମିଳିଛି। ରଞ୍ଜିତା ଏକ କାଗଜରେ ଓଡ଼ିଆ ଅକ୍ଷରରେ ଆତ୍ମହତ୍ୟାର କାରଣ ସମ୍ପର୍କରେ ଲେଖି ଛାଡ଼ି ଯାଇଥିବାବେଳେ ପୁଲିସ ତାହାକୁ ଜବତ କରି ଏକ ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ କରୁଛି।

Comments are closed.