ବିଶ୍ରାମ ନେବାକୁ କୋହଲିଙ୍କୁ ଶାସ୍ତ୍ରୀଙ୍କ ପରାମର୍ଶ

୧୦୦ ମ୍ୟାଚ୍‌ରେ ବିରାଟଙ୍କ ଶତକ ଶୂନ

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି କେବେ ଶତକ ଅର୍ଜନ କରିବେ ସେ ପ୍ରଶ୍ନ ଏବେ ପୁରୁଣା ହୋଇଯାଇଛି। ଏବେ ପ୍ରଶଂସକମାନେ ତାଙ୍କଠାରୁ ଭଲ ଇନିଂସ ଆଶା କରୁଛନ୍ତି। ଭାରତୀୟ ଦଳ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ପଦ ଛାଡ଼ିବା ପରେ ସେ ମଧ୍ୟ ବ୍ୟାଟ୍‌ସମ୍ୟାନ ଭାବେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଚଳିତ ଆଇପିଏଲରେ ବିନା ଅଧିନାୟକତ୍ବରେ ଖେଳୁଛନ୍ତି। ଅଧିନାୟକ ଚାପ ହଟିବା ପରେ ଭଲ ପ୍ରଦର୍ଶନ ନେଇ କ୍ରିକେଟ ପ୍ରେମୀମାନେ ଆଶା ରଖିଥିଲେ। କିନ୍ତୁ ବିରାଟ ଏପର୍ଯ୍ୟନ୍ତ ଖେଳାଯାଇଥିବ​‌ା ମ୍ୟାଚ ଗୁଡ଼ିକରେ ସେଭଳି ପ୍ରଦର୍ଶନ କରିପାରିନାହାନ୍ତି। ମଙ୍ଗଳବାର ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷ ମ୍ୟାଚରେ କୋହଲି ଶୂନରେ ଆଉଟ୍‌ ହୋଇଥିଲେ। ପ୍ରଥମ ବଲରେ ଖାତା ଖୋଲି ନପାରି ପ୍ୟାଭିଲିୟନକୁ ଫେରି ଯାଇଥିଲେ। ବିରାଟଙ୍କ ଏଭଳି ପ୍ରଦର୍ଶନକୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କୋହଲିଙ୍କୁ କ୍ରିକେଟରୁ ବିରତି ନେବାକୁ ପରାମର୍ଶ ଦେଇଛନ୍ତି। ଜୈବ ନିରାପତ୍ତା ବଳୟ ସହିତ ଜଡିତ ପ୍ରତିବନ୍ଧକ ମଧ୍ୟରେ ଆମେ ଖେଳାଳିମାନଙ୍କ ଯତ୍ନ ନେବା ଉଚିତ। କୋହଲିଙ୍କ ନିକଟରୁ ଆଉ ୬ରୁ ୭ ବର୍ଷ କ୍ରିକେଟ ବାକି ରହିଛି। ତେଣୁ ତାଙ୍କୁ ବିଶ୍ରାମ ଆବଶ୍ୟକ ବୋଲି ଶାସ୍ତ୍ରୀ କହିଛନ୍ତି। ୨୦୨୨ ଆଇପିଏଲ ପୂର୍ବରୁ ସେ ଅଧିନାୟକ ପଦ ଛାଡିଥିଲେ। ତା ପରେ ଜଣେ ବ୍ୟାଟ୍‌ସମ୍ୟାନ ଭାବେ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ଚଳିତ ଆଇପିଏଲରେ କୋହଲି ୭ଟି ମ୍ୟାଚରୁ ୧୯.୮୩ ପ୍ରତିଶତ ହାରରେ ୧୧୯ରନ କରିଛନ୍ତି। ସେଥିରେ ଦୁଇଥର ମାତ୍ର ୪୦ରୁ ଅଧିକ ସ୍କୋର ରହିଛି। ସେହିପରି ଶାସ୍ତ୍ରୀଙ୍କ ମତ ସହ ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ ସହମତି ପ୍ରକାଶ କରିଛନ୍ତି। କୋହଲିଙ୍କ ନିକଟରେ ଏବେ ବି ଅନେକ କ୍ରିକେଟ ବାକି ରହିଛି।
କୋହଲି ରନ କରିବାକୁ ସଂଘର୍ଷ କରୁଥିବାବେଳେ ଅନେକ ସମାଲୋଚନାର ମଧ୍ୟ ଶିକାର ହେଉଛନ୍ତି। ଏଭଳି ସ୍ଥଳେ ବିରାଟ ବିନା ଶତକରେ ୧୦୦ତମ ମ୍ୟାଚ ଶେଷ କରିଛନ୍ତି। ମଙ୍ଗଳବାର ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ବିପକ୍ଷ ଆଇପିଏଲ ମ୍ୟାଚରେ ସେ ଶୂନରେ ଆଉଟ୍‌ ହୋଇଥିଲେ। ବିନା ଶତକରେ ଏହା ଥିଲା କୋହଲିଙ୍କ ୧୦୦ତମ ପ୍ରତିଯୋଗିତାମୂଳକ କ୍ରିକେଟ ମ୍ୟାଚ। ଲକ୍ଷ୍ନୌ ବିପକ୍ଷରେ ଅନୁଜ ରାୱତ ୪ରନ କରି ଆଉଟ୍‌ ହେବା ପରେ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ। କୋହଲି ପ୍ରଥମ ବଲରେ ଦୁଷ୍ମନ୍ତ ଚାମରାଙ୍କ ବଲରେ କ୍ୟାଚ୍ ଆଉଟ୍‌ ହୋଇଥି​‌େ​‌ଲ।କୋହଲି ୧୭ଟି ଟେଷ୍ଟ, ୨୦ଟି ଦିନିକିଆ, ୨୫ଟି ଟ୍ବେଣ୍ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ସହ ୩୭ଟି ଆଇପିଏଲ ମ୍ୟାଚ ମଧ୍ୟରେ ଗୋଟିଏ ହେଲେ ଶତକ ଅର୍ଜନ କରିପାରିନାହାନ୍ତି। ଶେଷ ଥର ପାଇଁ କୋହଲି ୨୦୧୯ କଲକାତାର ଇଡେନ ଗାର୍ଡେନସରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଶତକ ଅର୍ଜନ କରିଥିଲେ। ଏହା ପରେ କୋହଲି ୧୭ଟି ଟେଷ୍ଟ ମ୍ୟାଚ ଖେଳିବା ସହିତ ୮୪୧ରନ କରିଥିଲେ ମଧ୍ୟ ତିନି ଅଙ୍କ ଛୁଇଁ ପାରିନାହାନ୍ତି। ସେହିପରି ୨୦୧୯ ଅଗଷ୍ଟରେ ପୋର୍ଟ ଅଫ ସ୍ପେନରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ମ୍ୟାଚରେ ଶେଷ ଶତକ ଅର୍ଜନ କରିଥିଲେ କୋହଲି। ଏହା ପରେ ୨୧ଟି ଦିନିକିଆ ମ୍ୟାଚ ଖେଳି ୭୯୧ରନ କରିଛନ୍ତି। ଯେଉଁଥିରେ ୧୦ଟି ଅର୍ଦ୍ଧଶତକ ରହିଥିଲେ ମଧ୍ୟ ଗୋଟିଏ ହେଲେ ଶତକ ନାହିଁ। ସମସ୍ତ ଫମାର୍ଟରେ କୋହଲି ୭୩ଟି ଇନିଂସ ଖେଳି ୨୪ଟି ଅର୍ଦ୍ଧଶତକ ସହ ୨୪୭୮ରନ କରିଥିଲେ ମଧ୍ୟ ଶତକ ଛୁଇଁ ପାରିନାହାନ୍ତି। ଭାରତୀୟ ଦଳ ଓ ଆଇପିଏଲରେ ଅଧିନାୟକ ପଦ ଛାଡ଼ିବାପରେ ବ୍ୟାଟିଂରେ ଭଲ ପ୍ରଦର୍ଶନ ନେଇ ଯେଉଁ ଆଶା କରାଯାଉଥିଲା ତାହା ଏପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି। ୨୦୨୦ ଆଇପିଏଲରେ କୋହଲି ୧୫ଟି ମ୍ୟାଚରୁ ୪୬୬ ଓ ୨୦୨୧ ଆଇପିଏଲରେ ୪୦୫ରନ କରିଥିଲେ।

Comments are closed.