ଦ୍ରୁତତମ ୧୧୦୦୦ ଦିନିକିଆ ରନ୍ ପାର କଲେ କୋହଲି

ମାଞ୍ଚେଷ୍ଟର: ଦିନିକିଆ କ୍ରିକେଟରେ ରନ୍‌ ମେସିନ୍ ବିରାଟ କୋହଲି କୀର୍ତ୍ତିମାନ ପରେ କୀର୍ତ୍ତିମାନ ସ୍ଥାପନ କରିବାରେ ଲାଗିଛନ୍ତି। ଭାରତୀୟ ଅଧିନାୟକ କୋହଲି ତାଙ୍କ କୃତିତ୍ୱମୟ ଗାଥାରେ ଆଉ ଏକ ପୃଷ୍ଠା ଯୋଗ କରିଛନ୍ତି। ସାରାବିଶ୍ୱରେ ଦ୍ରୁତତମ ବ୍ୟାଟ୍‌ସମ୍ୟାନ ଭାବେ କୋହଲି ଦିନିକିଆ କ୍ରିକେଟରେ ୧୧୦୦୦ ରନ୍‌କୁ ଅତିକ୍ରମ କରିଛନ୍ତି। ରବିବାର ଚଳିତ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କୋହଲି ଏହି କୃତିତ୍ୱ ହାସଲ କରିଛନ୍ତି। ୧୧ ହଜାର ଦିିନିକିଆ ରନ୍ ପୂରଣ କରିବା ପାଇଁ କୋହଲି ଆଉ ମାତ୍ର ୫୭ ରନ୍ ଆବଶ୍ୟକ କରୁଥିଲେ। ତାଙ୍କର ୬୫ ବଲ୍‌ରୁ ୭୭ ରନ୍‌ର ଇନିଂସ ମଝିରେ କୋହଲି ଏହି ମାଇଲଖୁଣ୍ଟ ପାର କରିଥିଲେ।

୨୩୦ତମ ଦିନିକିଆ ମ୍ୟାଚ୍ ଖେଳୁଥିବା ୩୦ ବର୍ଷ ବୟସ୍କ କୋହଲି ତାଙ୍କର ୨୨୨ତମ ଦିନିକିଆ ଇନିଂସରେ ୧୧ ହଜାର ରନ୍‌ ପାର କରିଛନ୍ତି; ଯାହା ବିଶ୍ୱରେ ଦ୍ରୁତତମ। କୋହଲିଙ୍କ ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ସଚିନ ୨୭୬ଟି ଦିନିିକିଆ ଇନିଂସ (୨୮୪ ମ୍ୟାଚ୍‌)ରେ ୧୧ ହଜାର ଦିନିକିଆ ରନ୍ ପୂରଣ କରିଥିଲେ। ଏହି ତାଲିକାରେ ୩ୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ୨୮୬ ଇନିଂସରେ ୧୧୦୦୦ ଦିନିକିଆ ରନ୍ ପୂରଣ କରିଥିଲେ। ତାଙ୍କ ପଛକୁ ଅଛନ୍ତି ଭାରତର ସୌରଭ ଗାଙ୍ଗୁଲି (୨୮୮ ଇନିଂସ) ଓ ଦକ୍ଷିଣ ଆଫ୍ରିକାର ଜ୍ୟାକ୍‌ସ କାଲିସ୍ (୨୯୩ ଇନିଂସ)। ଏହି ୨୨୨ ଦିନିକିଆ ଇନିଂସରେ କୋହଲି ୫୧ଟି ଅର୍ଦ୍ଧଶତକ ଓ ୪୧ଟି ଶତକ ସହ ୧୧୦୨୦ ରନ୍ ସ୍କୋର୍ କରିଛନ୍ତି।

Comments are closed.