ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା; କୋହଲି ଓ ଧାୱନ୍‌ ଉପରକୁ ଉଠିଲେ

ଦୁବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଓପ୍‌ନର ଶିଖର ଧାୱନ ଆଇସିସି ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ୍ ତାଲିକାରେ ଉନ୍ନତି କରିଛନ୍ତି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ବିପକ୍ଷରେ ଘରୋଇ ଟ୍ବେଣ୍ଟି୨୦ ସିରିଜ୍‌ରେ ଭଲ ପ୍ରଦର୍ଶନ କରିବା ଯୋଗୁଁ ସେମାନଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ବୁଧବାର ପ୍ରକାଶ ପାଇଥିବା ଆଇସିସି ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ୍ ମାନ୍ୟତାରେ ବିରାଟ କୋହଲି ଗୋଟିଏ ସ୍ଥାନର ଉନ୍ନତି ଘଟାଇ ୧୧ଶ ସ୍ଥାନରେ ପହଞ୍ଚିଛନ୍ତି। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ଯାଇଥିବା ବେଳେ ପରବର୍ତ୍ତୀ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ କୋହଲି ଅପରାଜିତ ୭୨ ଓ ୯ ରନ୍ କରିଥିଲେ।
ଅନ୍ୟପକ୍ଷରେ ଦିଲ୍ଲୀର ସାଥୀ ଖେଳାଳି ତଥା ବାମହାତି ଓପ୍‌ନର ଶିଖର ଧାୱନ୍ ମଧ୍ୟ ଏହି ସିରିଜ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ଧାୱନ୍ ଉଭୟ ମ୍ୟାଚ୍‌ରେ ୪୦ ଓ ୩୬ ରନ୍ କରିଛନ୍ତି। ଫଳରେ ସେ ୩ଟି ସ୍ଥାନର ଉନ୍ନତି ଘଟାଇ ୧୩ଶ ସ୍ଥାନରେ ପହଞ୍ଚିଛନ୍ତି। ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି୨୦ ସିରିଜ୍ ଏବଂ ବାଂଲାଦେଶରେ ଖେଳା ଯାଇଥିବା ଟ୍ବେଣ୍ଟି୨୦ ସିରିଜ୍ ପରେ ଏହି ମାନ୍ୟତା ପ୍ରକାଶ ପାଇଛି। ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ୍ ତାଲିକାରେ ପାକିସ୍ତାନର ବାବର ଆଜମ୍ ଶୀର୍ଷରେ ରହିଛନ୍ତି। ଆଜମ୍ ସର୍ବାଧିକ ୮୯୬ ପଏଣ୍ଟ ପାଇଥିବା ବେଳେ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ ୨ୟ, ନ୍ୟୁଜିଲାଣ୍ଡର କଲିନ୍ ମନ୍‌ରୋ ୩ୟ ଓ ଅ‌େ‌ଷ୍ଟ୍ରଲିଆର ଆରୋନ୍ ଫିଞ୍ଚ୍ ୪ର୍ଥ ସ୍ଥାନରେ ରହିଛି। ସବୁଠାରୁ ଚକିତକର କଥା ହେଉଛି, ଆଫ୍‌ଗାନିସ୍ତାନର ହଜ୍ରତୁଲ୍ଲା ଜାଜାଇ ଟି୨୦ ବ୍ୟାଟ୍‌ସମ୍ୟାନ୍ ତାଲିକାରେ ୫ମ ସ୍ଥାନରେ ଅଛନ୍ତି। ଆଫ୍‌ଗାନିସ୍ତାନ କ୍ରିକେଟ ଇତିହାସରେ ଏହା ସର୍ବୋଚ୍ଚ ମାନ୍ୟତା। ତାଙ୍କ ତଳକୁ ଅଛନ୍ତି ଅଷ୍ଟ୍ରେଲିଆର ଡି’ଆର୍ସି ସର୍ଟ, ପାକିସ୍ତାନର ଫଖର ଜମାନ୍​ ଓ ଇଂଲଣ୍ଡର ଆଲେକ୍ସ ହେଲ୍‌ସ। ମାତ୍ର ୨ ଜଣ ଭାରତୀୟ ଆଇସିସି ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ୍ ତାଲିକାରେ ରହିଛନ୍ତି। ସେମାନେ ହେଲେ ଦୁଇ ଓପ୍‌ନର ରୋହିତ ଶର୍ମା (୯ମ) ଓ କେ. ଲୋକେଶ ରାହୁଲ (୧୦ମ)। ଭାରତ ବିପକ୍ଷ ସିରିଜ୍‌ରୁ ସର୍ବାଧିକ ଲାଭବାନ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି୨୦ ଦଳର ଅଧିନାୟକ କ୍ବିଣ୍ଟନ୍ ଡି କକ୍। ଏହି ବାମହାତି ଭାରତ ବିପକ୍ଷରେ ୨ଟିଯାକ ଟ୍ବେଣ୍ଟି୨୦ରେ ଅର୍ଦ୍ଧଶତକ ମାରିଥିଲେ। ଫଳରେ ସେ ୧୯ଟି ସ୍ଥାନର ଉନ୍ନତି ଘଟାଇ ୩୦ତମ ସ୍ଥାନରେ ପହଞ୍ଚିଛନ୍ତି। ଜିମ୍ବାୱେ ଅଧିନାୟକ ହାମିଲ୍‌ଟନ ମାସାକାଡ୍‌ଜା ୨୨ତମ ସ୍ଥାନରେ ରହି ଅବସର ନେଇଛନ୍ତି। ଟ୍ବେଣ୍ଟି୨୦ ବୋଲର ମାନ୍ୟତାରେ ତାଲିକାରେ ଦକ୍ଷିଣ ଆଫ୍ରିକାର ଆନ୍ଦିଲେ ଫେଲୁକ୍ବାୟୋ ୭ମ ସ୍ଥାନରେ ଥିବା ବେଳେ ଏହି ଦଳର ବାମହାତି ସ୍ପିନର ତାବ୍ରେଜ୍ ସାମ୍‌ସି ୨୦ଶ ସ୍ଥାନରେ ପହଞ୍ଚିଛନ୍ତି। ବୋଲିଂ ମାନ୍ୟତାର ଶୀର୍ଷ-୧୦ରେ କୌଣସି ଭାରତୀୟ ବୋଲର ନାହାନ୍ତି। ଆଫ୍‌ଗାନିସ୍ତାନର ଲେଗ୍‌ସ୍ପିନର ରସିଦ୍ ଖାଁ ଶୀର୍ଷରେ ଥିବା ବେଳେ ଦୁଇ ପାକିସ୍ତାନୀ ସ୍ପିନର ଇମାଦ୍ ୱାସିମ୍ ଓ ସଦ୍ଦାବ ଖାଁ ପରବର୍ତ୍ତୀ ୨ଟି ସ୍ଥାନରେ ରହିଛନ୍ତି। ବୋଲିଂ ମାନ୍ୟତାର ପ୍ରଥମ ୬ଟି ସ୍ଥାନରେ ସ୍ପିନର ହିଁ ରହିଛନ୍ତି। ଇଂଲଣ୍ଡର ଆଦିଲ ରସିଦ୍ ୪ର୍ଥ, ନ୍ୟୁଜିଲାଣ୍ଡର ମିଚେଲ ସାଣ୍ଟନର ୫ମ ଓ ଅଷ୍ଟ୍ରେଲିଆର ଆଡାମ୍ ଜାମ୍ପା ୬ଷ୍ଠ ସ୍ଥାନରେ ରହିଛନ୍ତି। ପୁଣି ଆଫ୍‌ଗାନିସ୍ତାନର ଅଫ୍‌ସ୍ପିନର ମୁଜିବୁର୍ ରେହ୍‌ମାନ ଶୀର୍ଷ-୧୦ରେ ପହଞ୍ଚିଛନ୍ତି।

Comments are closed.