କୋହଲି ହେଉଛନ୍ତି କ୍ରିକେଟ୍‍ର ଫେଡେରର : ଡି’ଭିଲିଅର୍ସ

ଚେନ୍ନଇ : ବିରାଟ କୋହଲି ଓ ଏବି ଡି’ଭିଲିଅର୍ସ କ୍ରିକେଟ୍‍ ଦୁନିଆର ଦୁଇ ସମ୍ମାନଜନକ ନାମ। କୋହଲି ଏବେ ୩ଟିଯାକ ଫର୍ମାଟ୍‍ରେ ଭାରତୀୟ କ୍ରିକେଟ୍‍ ଦଳର ନେତୃତ୍ୱ ନେଉଥିବା ବେଳେ ଡି’ଭିଲିଅର୍ସ ଆନ୍ତର୍ଜାତିକ କ୍ରିକେଟ୍‍ରୁ ଅବସର ନେଇ ସାରିଛନ୍ତି। ତେବେ ଉଭୟ ବ୍ୟାଟିଂ ମହାରଥୀ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି) ପାଇଁ ଖେଳନ୍ତି। କ୍ରିସ୍‍ ଗେଲ୍‍ଙ୍କ ସହ ମିଶି କୋହଲି ଓ ଡି’ଭିଲିଅର୍ସ ଆଇପିଏଲ୍‍ରେ ବହୁତ ଥର ବୋଲରଙ୍କ ଧୁଲାଇ କରିଛନ୍ତି। ଏହାସହ କୋହଲି ଓ ଡି’ଭିଲିଅର୍ସ କ୍ରିକେଟର ଭାବେ ପରସ୍ପରଙ୍କୁ ବହୁତ ସମ୍ମାନ କରିଥାଆନ୍ତି। ଡି’ଭିଲିଅର୍ସ କହିଛନ୍ତି ଯେ କୋହଲିଙ୍କଠାରେ ବଲ୍‍କୁ ପ୍ରହାର କରିବାର ପ୍ରାକୃତିକ ସ୍ୱଭାବ ରହିଛି। ଠିକ୍‍ ଯେମିତି ଟେନିସ୍‍ରେ ରଜର ଫେଡେରରଙ୍କଠାରେ ବଲ୍‍କୁ ମାରିବାର ସ୍ୱଭାବ ରହିଥାଏ। ତେଣୁ କୋହଲି ହେଉଛନ୍ତି କ୍ରିକେଟ୍‍ର ଫେଡେରର ବୋଲି ଡି’ଭିଲିଅର୍ସ କହିଛନ୍ତି।
ଇନ୍‍ଷ୍ଟାଗ୍ରାମ୍‍ରେ ଏକ ବାର୍ତ୍ତାଳାପରେ ଏବି ଡି’ଭିଲିଅର୍ସଙ୍କୁ ଆଇସିସି ଟେଷ୍ଟ ବ୍ୟାଟ୍‍ସମ୍ୟାନ୍‍ ତାଲିକାର ୧ନଂ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ଷ୍ଟିଭେନ୍‍ ସ୍ମିଥ୍‍ଙ୍କ ସହ କୋହଲିଙ୍କୁ ତୁଳନା କରିବା ପାଇଁ କହିବାରୁ ସେ ଫେଡେରରଙ୍କ କଥା ଉଲ୍ଲେଖ କରିଥିଲେ। ଡି’ଭିଲିଅର୍ସ ବୁଝାଇଥିଲେ ଯେ ସ୍ୱିଜରଲାଣ୍ଡର ଟେନିସ୍‍ କିମ୍ବଦନ୍ତୀ ରଜର ଫେଡେରରଙ୍କ ସହ କ୍ରିକେଟ୍‍ ଖେଳାଳି ବିରାଟ କୋହଲିଙ୍କୁ ସେ କାହିଁକି ତୁଳନା କରିଛନ୍ତି। ଡି’ଭିଲିଅର୍ସଙ୍କ ଭାଷାରେ, ବଲ୍‍କୁ ମାରିବାର ପ୍ରାକୃତିକ ଗୁଣ କୋହଲିଙ୍କଠାରେ ରହିଛି। ତେଣୁ ସେ ଟେନିସ୍‍ର ରଜର ଫେଡେରରଙ୍କ ପରି। ହେଲେ ଷ୍ଟିଭେନ୍‍ ସ୍ମିଥ୍‍ ସ୍ପେନ୍‍ର ଟେନିସ୍‍ କିମ୍ବଦନ୍ତୀ ରାଫେଲ ନାଦାଲଙ୍କ ପରି। ସ୍ମିଥ୍‍ ମାନସିକ ଭାବେ ବହୁତ ଶକ୍ତିଶାଳୀ। ସହଜରେ ହାର ମାନନ୍ତି ନାହିଁ। ସେ ନିଜ ଶୈଳୀରେ ରନ୍‍ ସ୍କୋର୍‍ କରିଥାଆନ୍ତ୍‍ି। ସ୍ମିଥ୍‍ଙ୍କ ବ୍ୟାଟିଂ ଶୈଳୀ ପ୍ରାକୃତିକ ହୋଇନଥିଲେ ହେଁ ସେ ରନ୍‍ ସ୍କୋର୍‍ କରିଥାଆନ୍ତି ଏବଂ ରେକର୍ଡ ମଧ୍ୟ ଭଙ୍ଗ କରିଥାଆନ୍ତି। କୋହଲି ମଧ୍ୟ ସାରାବିଶ୍ୱରେ ରନ୍‍ ସ୍କୋର୍‍ କରିଛନ୍ତି। ତେବେ ମୋତେ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ କହିଲେ ମୁଁ କୋହଲିଙ୍କୁ ହିଁ ବାଛିବି। କୋହଲି ଯେପରି ଗତିରେ ଉଭୟ ଦିନିକିଆ ଓ ଟେଷ୍ଟମ୍ୟାଚ୍‍ରେ ରନ୍‍ ସ୍କୋର୍‍ କରୁଛନ୍ତି; କ୍ରିକେଟ୍‍ ବିଶେଷଜ୍ଞ ଏବେଠାରୁ କହିବା ଆରମ୍ଭ କରିଦେଲେଣି ଯେ ଟେଷ୍ଟମ୍ୟାଚ୍‍ ନ ହେଲେ ବି ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକରଙ୍କ ଦିନିକିଆ ରେକର୍ଡକୁ କୋହଲି ନିଶ୍ଚୟ ଭାଙ୍ଗିଦେବେ। ସମସ୍ତ ପରିସ୍ଥିତିରେ ଚମତ୍କାର ବ୍ୟାଟିଂ କରିଥିଲେ ତେନ୍ଦୁଲକର, ତେବେ ରନ୍‍ର ପିଛାକରିବା ବେଳେ କୋହଲି ଅନ୍ୟ ସ୍ତରର ବ୍ୟାଟ୍‍ସମ୍ୟାନ୍‍ ଭାବେ ନଜର ଆସିଥାଆନ୍ତି। କୋହଲି ବ୍ୟାଟିଂ କରୁଥିବା ବେଳେ କୌଣସି ବିଜୟଲକ୍ଷ୍ୟ ନିରାପଦ ନୁହେଁ।

Comments are closed.