ଅଷ୍ଟ୍ରେଲିଆ ଗସ୍ତରେ ନମ୍ରତାପୂର୍ଣ୍ଣ ବ୍ୟବହାର କର

0

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ କ୍ରିକେଟ୍‍ ପ୍ରଶାସକ କମିଟି (ସିଓଏ) ପରାମର୍ଶ ଦେଇ କହିଛି ଏହି ଗସ୍ତ ସମୟରେ ନମ୍ରତାପୂର୍ଣ୍ଣ ବ୍ୟବହାର କର। ପଡ଼ିଆ ଭିତରେ ଓ ବାହାରେ ନିଜ ଆକ୍ରମଣାତ୍ମକ ମନୋଭାବ ପାଇଁ ବେଶ୍‍ ପରିଚିତ କୋହଲି ଅନେକ ସମୟରେ ବିବାଦୀୟ ହୋଇପଡ଼ିଥାନ୍ତି।
ଭାରତୀୟ ଦଳ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା ଆରମ୍ଭ କରିବାର କିଛିସମୟ ପୂର୍ବରୁ ସିଓଏ ତରଫରୁ ତାଙ୍କ ୱାଟ୍‍ସଅପ୍‍କୁ ଏକ ମେସେଜ୍‍ ପଠାଇଯାଇଥିଲା। ଯେଉଁଥିରେ ପଡ଼ିଆରେ ଖେଳୁଥିବାବେଳେ ଏବଂ ପଡ଼ିଆ ବାହାରେ ସେଠାକାର ସାମ୍ବାଦିକଙ୍କ ସହ ଆଲୋଚନା କରିବା ସମୟରେ ନମ୍ରତାପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସିଓଏର ଜନୈକ ଅଧିକାରୀ କହିଛନ୍ତି କୋହଲି ଜଣେ ଅହଂକାରୀ କ୍ରିକେଟର୍‍ ଭାବେ ଜଣାଶୁଣା। ଏହାକୁ ନେଇ ପୂର୍ବରୁ ସେ ନାନା ବିବାଦରେ ଫସିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଗସ୍ତ ସମୟରେ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ କୋହଲିଙ୍କୁ ସିଓଏ ପରାମର୍ଶ ଦେଇଛି।
ସିଓଏର ପରାମର୍ଶ ସଂପର୍କରେ କୋହଲିଙ୍କ ପ୍ରତିକ୍ରିୟା ମିଳିପାରି ନ ଥିବା ବେଳେ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଯେପରି ନମ୍ରତାପୂର୍ଣ୍ଣ ବ୍ୟବହାର କଲେ ତାହାକୁ ଦେଖି ସେ ସିଓଏ ପରାମର୍ଶକୁ ଗୁରୁତ୍ୱର ସହ ଗ୍ରହଣ କରିଥିବା ଆଲୋଚନା ହେଉଛି। ସୂଚନାଥାଉକି କିଛିଦିନ ତଳେ ଜଣେ ପ୍ରଶଂସକଙ୍କୁ ଭାରତ ଛାଡ଼ି ଚାଲିବାକୁ ମତ ଦେଇ ବିବାଦରେ ଫସିଥିଲେ କୋହଲି। ସଂପୃକ୍ତ ପ୍ରଶଂସକ ଜଣକ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍‍ଙ୍କ ଶୈଳୀ କୋହଲିଙ୍କ ଠାରୁ ଭଲ ବୋଲି ମତ ଦେଇଥିଲେ। ଏହାକୁ ନେଇ କୋହଲି ବେଶ୍‍ ସମାଲୋଚନାର ଶରବ୍ୟ ହୋଇଥିଲେ। ସେହିପରି କିଛିମାସ ତଳେ ଲଣ୍ଡନରେ କୋହଲି ଓ ଜଣେ ସାମ୍ବାଦିକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପୂର୍ବରୁ ଖେଳାଯାଇଥିବା ଅନେକ ସିରିଜ୍‍ରେ ଖେଳାଳିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବାର ନଜିର ରହିଛି। ୨୦୦୮ରେ ଭାରତୀୟ ସ୍ପିନର ହରଭଜନ ସିଂହ ଓ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଆଣ୍ଡ୍ରୁ ସାଇମଣ୍ଡ୍‍ସଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ହରଭଜନ ତାଙ୍କୁ ମାଙ୍କଡ଼ ବୋଲି ଡାକୁଥିବା ସାଇମଣ୍ଡ୍‍ସ ଅଭିଯୋଗ କରିଥିଲେ। ହରଭଜନଙ୍କୁ ୩ଟି ମ୍ୟାଚ୍‍ରୁ ବାସନ୍ଦ କରାଯାଇଥିଲା। ତେବେ ଏହାକୁ ବିସିସିଆଇ ବିରୋଧ କରିବା ପରେ ହରଭଜନଙ୍କ ଉପରୁ ବାସନ୍ଦାଦେଶ ଉଠାଇ ନିଆଯାଇଥିଲା। ଚଳିତ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍‍ ସିରିଜ୍‍ ସମୟରେ ଏପରି ପରିସ୍ଥିତି ଯେପରି ନ ଉପୁଜେ ସେଥିପ୍ରତି ସିଓଏ ବେଶ୍‍ ସତର୍କ ରହିଛି।

Leave A Reply