କେରଳ ବନ୍ୟା ପୀଡ଼ିତଙ୍କୁ ବିଜୟ ଉତ୍ସର୍ଗ କଲେ କୋହଲି

0

ଟ୍ରେଣ୍ଟବ୍ରିଜ୍‍ : ଘରୋଇ ଇଂଲଣ୍ଡ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‍ର ୩ୟ ମ୍ୟାଚ୍‍ରେ ଭାରତୀୟ ଦଳ ବିପୁଳ ବିଜୟ ହାସଲ କରିଛି। ଏହି ବିଜୟକୁ କେରଳ ବନ୍ୟା ପୀଡ଼ିତଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି। ଏଥିସହ ଭାରତୀୟ କ୍ରିକେଟ୍‍ରଙ୍କ ଫିଟନେସ୍‍କୁ ମଧ୍ୟ ସେ ଉଚ୍ଚପ୍ରଶଂସା କରିଛନ୍ତି। କୋହଲି ଏହି ମ୍ୟାଚ୍‍ରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଦୁଇଟି ଇନିଂସରେ ଯଥାକ୍ରମେ ୯୭ ଓ ୧୦୩ ରନ୍‍ ସ୍କୋର କରିଥିଲେ।
ପୁରସ୍କାର ବିତରଣ ଉତ୍ସବରେ କୋହଲି କହିଥିଲେ ଦଳର ଏହି ବିଜୟକୁ କେରଳ ବନ୍ୟା ପୀଡ଼ିତଙ୍କ ନିମନ୍ତେ ଉତ୍ସର୍ଗ କରାଗଲା। କେରଳ ବନ୍ୟାରେ ବହୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଭାରତୀୟ କ୍ରିକେଟ୍‍ ଦଳର ସହାନୁଭୂତି ସେମାନଙ୍କ ପ୍ରତି ରହିଛି। ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ମ୍ୟାନ୍‍ ଅଫ ଦି ମ୍ୟାଚ୍‍ ଭାବେ ବିବେଚିତ ହୋଇଥିବା କୋହଲି ସାଥୀ ଖେଳାଳି ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂକୁ ଉଚ୍ଚପ୍ରଶଂସା କରିଥିଲେ। ଟେଷ୍ଟ ମ୍ୟାଚ୍‍ର ପ୍ରଥମ ଇନିଂସରେ ତାଙ୍କର ଓ ରାହାଣେଙ୍କ ମଧ୍ୟରେ ଯେଉଁ ପାର୍ଟନରସିପ୍‍ ହୋଇଥିଲା ତାହା ଦ୍ୱାରା ଭାରତ ଅଧିକ ରନ୍‍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ବୋଲି କୋହଲି କହିଛନ୍ତି। ରାହାଣେ ଏହି ମ୍ୟାଚ୍‍ରେ ଭଲ ପ୍ରଦର୍ଶନ କରିବାକୁ ଦୃଢ଼ ନିଶ୍ଚିତ ଥିଲେ ଏବଂ ଏଥିରେ ସଫଳ ହୋଇ ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି ବୋଲି କୋହଲି ମତ ଦେଇଥିଲେ। ସେହିପରି ଦ୍ୱିତୀୟ ଇନିଂସରେ ପୂଜାରା ତାଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଥିବା କୋହଲି କହିଥିଲେ।
ତୃତୀୟ ଟେଷ୍ଟ ମ୍ୟାଚ୍‍ରେ ନିଜ ପ୍ରଭାବୀ ପ୍ରଦର୍ଶନ ପାଇଁ ପତ୍ନୀ ଅନୁଷ୍କାଙ୍କୁ ଶ୍ରେୟ ଦେଇଛନ୍ତି କୋହଲି। ଭଲ ପ୍ରଦର୍ଶନ କରିବାକୁ ଅନୁଷ୍କା ସର୍ବଦା ତାଙ୍କୁ ପ୍ରେରଣା ଦେଇ ଆସୁଥିଲେ ବୋଲି କୋହଲି କହିଥିଲେ। ତୃତୀୟ ଟେଷ୍ଟ ମ୍ୟାଚ୍‍ରେ ଭାରତୀୟ ଦ୍ରୁତ ବୋଲରମାନେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ପ୍ରତିପକ୍ଷ ଦଳର ବ୍ୟାଟସମ୍ୟାନ୍‍ଙ୍କୁ ଅଡୁଆରେ ପକାଇଥିବାରୁ କୋହଲି ସନ୍ତୋଷବ୍ୟକ୍ତ କରିଛନ୍ତି। ଦ୍ରୁତ ବୋଲରମାନଙ୍କ ଫିଟନେସ୍‍ ସ୍ତର ବେଶ୍‍ ଭଲ ଥିବା ସେ କହିଥିଲେ। ଟେଷ୍ଟ ସିରିଜ୍‍ରେ ଇଂଲଣ୍ଡ ୨ଟି ମ୍ୟାଚ୍‍ ଜିତିଥିବା ବେଳେ ଭାରତ ଗୋଟିଏ ମ୍ୟାଚ୍‍ ଜିତିଛି। ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ବାକି ଦୁଇଟି ମ୍ୟାଚ୍‍ରେ ଭାରତୀୟ ଦଳ ବିଜୟୀ ହୋଇ ସିରିଜ୍‍ ହାତେଇ ପାରିବ ବୋଲି କୋହଲି ଆଶାବ୍ୟକ୍ତ କରିଛନ୍ତି। ପ୍ରଥମ ଦୁଇଟି ମ୍ୟାଚ୍‍ରେ ଭାରତୀୟ ଦଳ ପରାସ୍ତ ହେବା ପରେ ମଧ୍ୟ ଖେଳାଳିଙ୍କ ମନୋବଳ ଆଦୌ ଦୁର୍ବଳ ହୋଇନଥିଲା ବୋଲି କୋହଲି ସୂଚନା ଦେଇଥିଲେ।
ଏହି ମ୍ୟାଚ୍‍ରେ ଦଳର ବ୍ୟାଟସମ୍ୟାନ୍‍ମାନେ ଆବଶ୍ୟକ ସଂଖ୍ୟକ ରନ୍‍ ସଂଗ୍ରହ କରିବା ଫଳରେ ବୋଲରମାନଙ୍କୁ ସୁହାଇଥିଲା। ୨୦୧୪ ମସିହା ଟେଷ୍ଟ ସିରିଜ୍‍ ପରାଜୟ ସଂପର୍କରେ ସେ ଚିନ୍ତା କରୁଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ କୋହଲିି କହିଥିଲେ ଗତ ସିରିଜ୍‍ରେ କ’ଣ ହୋଇଥିଲା ସେ ସଂପର୍କରେ ସେ ଆଦୌ ଚିନ୍ତା କରୁନାହାନ୍ତି। ନିଜ ପ୍ରଦର୍ଶନ ବଳରେ ଦଳକୁ ବିଜୟୀ କରାଇବାରେ ସକ୍ଷମ ହୋଇଥିବାରୁ ସେ ବେଶ୍‍ ଖୁସି ଅଛନ୍ତି।

Leave A Reply