ଧଳା ଜୋତା ପିନ୍ଧି ବ୍ୟାଟିଂ କରିବା କୋହଲିଙ୍କ ଅନ୍ଧବିଶ୍ବାସ

ଦୁବାଇ : କେତେକ କ୍ରୀଡ଼ାବିତ୍‌ ଅନ୍ଧବିଶ୍ବାସୀ ବୋଲି ଊଣା ଅଧିକେ ସମସ୍ତେ ଜାଣିଛନ୍ତି। ତେବେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଅନ୍ଧବିଶ୍ବାସୀ ବୋଲି ଜଣାପଡ଼ିଛି। ପ୍ରଖ୍ୟାତ ଫୁଟବଲ କ୍ଲବ ମାଞ୍ଚେଷ୍ଟର ସିଟିର ମ୍ୟାନେଜର୍‌ ପେପ୍‌ ଗୌଆଡିଲୋଙ୍କ ସହ ଇନ୍‌ଷ୍ଟାଗ୍ରାମ୍‌ରେ ଆଲୋଚନା ସମୟରେ ନିଜ ଅନ୍ଧବିଶ୍ବାସ ସଂପର୍କରେ ସୂଚନା ଦେଇଛନ୍ତି କୋହଲି।
ବ୍ୟାଟିଂ କଲା ବେଳେ ଧଳା ଜୋତା ପିନ୍ଧିଥିଲେ ସେ ଅଧିକ ସ୍କୋର କରିବେ ବୋଲି ବିଶ୍ବାସ ଥାଏ ବୋଲି କୋହଲି କହିଛନ୍ତି। ଧଳା ଜୋତା ପିନ୍ଧି ବ୍ୟାଟିଂ କରିବା ଦ୍ବାରା ତାଙ୍କ ଆତ୍ମବିଶ୍ବାସ ବେଶ୍‌ ବଢ଼ି ଯାଏ ବୋଲି କୋହଲି ଦର୍ଶାଇଛନ୍ତି। ଗୌଆଡିଲୋ କେଉଁ ଜୋତା ପିନ୍ଧି ଫୁଟବଲ ଖେଳିବାକୁ ଭଲ ପାଉଥିଲେ ବୋଲି କୋହଲିଙ୍କ ପ୍ରଶ୍ନର ଉତ୍ତରରେ ଗୌଆଡିଲୋ କହିଥିଲେ ସେ ଖେଳୁଥିବା ସମୟରେ ସବୁ ଜୋତା କଳା ରଙ୍ଗର ଥିଲା। ପରବର୍ତ୍ତୀ ସମୟରେ ସେ ନାଲି ରଙ୍ଗର ଜୋତା ପିନ୍ଧି ଖେଳିଥିଲେ। ତେବେ ତାଙ୍କ ପରାମର୍ଶଦାତା ତଥା ମ୍ୟାନେଜରଙ୍କ ପରାମର୍ଶକ୍ରମେ ପୁନର୍ବାର କଳା ଜୋତା ପିନ୍ଧି ପଡ଼ିଆକୁ ଓହ୍ଲାଇଲେ। କରୋନା ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଫାଙ୍କା ଷ୍ଟାଡ଼ିୟମରେ ମ୍ୟାଚ୍‌ ଖେଳାଯିବା ସଂପର୍କରେ ମତ ଦେଇ ଗୌଆଡିଲୋ କହିଥିଲେ ବିନା ଦର୍ଶକରେ ମ୍ୟାଚ୍‌ ଖେଳିବାକୁ କୌଣସି ଖେଳାଳି ବିଶେଷ ପସନ୍ଦ କରନ୍ତି ନାହିଁ। ବିନା ଦର୍ଶକ ମ୍ୟାଚ୍‌ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ପରି ଲାଗେ। କରୋନା ସଂକ୍ରମଣଜନିତ ପରିସ୍ଥିତିରେ ଉନ୍ନତି ଆସିବା ପରେ ଦର୍ଶକ ଷ୍ଟାଡ଼ିୟମକୁ ଫେରିଲେ ଏକ ଭିନ୍ନଧରଣ ବାତାବରଣ ସୃଷ୍ଟି ହେବ ବୋଲି ସେ ମତ ଦେଇଛନ୍ତି।

Comments are closed.