କୋହଲିଙ୍କ ନଂ୧ ପ୍ରଶଂସକ ଓଡ଼ିଶାର ପିଣ୍ଟୁ ବେହେରା

କଟକ : ବୁଧବାର ବିଶାଖାପାଟଣାରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚ୍ ପୂର୍ବରୁ ମଙ୍ଗଳବାର ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ସମ୍ମିଳନୀ ସାରି କୋହଲି ଫେରିବା ବେଳକୁ ଜଣେ ଯୁବକଙ୍କୁ ଦେଖି ଚକିତ ହୋଇ ଯାଇଥିଲେ କୋହଲି। ଉକ୍ତ ଯୁବକ ଖୋଲା ଶରୀରରେ ସମ୍ମିଳନୀ କକ୍ଷ ବାହାରେ କୋହଲିଙ୍କୁ ଅପେକ୍ଷା କରିଥିଲେ। ଉକ୍ତ ଯୁବକଙ୍କ ସମ୍ମୁଖ ଓ ପଶ୍ଚାତ୍‌ଭାଗ ଶରୀରରେ ଥିଲେ କେବଳ ବିରାଟ କୋହଲି। ତାଙ୍କୁ ଦେଖି କୋହଲି ଅଟକି ଯାଇଥିଲେ। ତାଙ୍କ ସହ କଥା ହୋଇ ଏହି ନିଆରା ପ୍ରଶଂସକଙ୍କୁ କୁଣ୍ଢାଇ ପକାଇଥିଲେ।
ଗଣମାଧ୍ୟମରେ କୋହଲି ତାଙ୍କର ଏହି ଯୁବ ପ୍ରଶଂସକଙ୍କୁ ଆଲିଙ୍ଗନ କରିବାର ଫଟୋ ଭାଇରାଲ ହୋଇଥିଲା। ଫଳତଃ ସମସ୍ତେ ଉକ୍ତ ଯୁବକଙ୍କ ପରିଚୟ ଜାଣିବାକୁ ଚାହିଁଥିଲେ। ଦିନକ ପରେ ଜଣା ପଡ଼ିଥିଲା ଯେ ଉକ୍ତ ଯୁବକ ହେଉଛନ୍ତି ଓଡ଼ିଶାର ପିଣ୍ଟୁ ବେହେରା। ତାଙ୍କ ଘର ହେଉଛି ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ୍‌ ମସିହାଖାଲି ପଞ୍ଚାୟତର ବଡ଼ସାହି ଗ୍ରାମରେ। ତାଙ୍କ ପିତା ହେଲେ ଦେବ ବେହେରା। ପିତାଙ୍କ ସହ ରାଜମିସ୍ତ୍ରୀ ଭାବେ ପିଣ୍ଟୁ କାମ କରିଥାଆନ୍ତି। କ୍ରିକେଟ ହେଉଛି ତାଙ୍କ ନିଶା। କ୍ରିକେଟ ମ୍ୟାଚ୍ ସେ ଦେଖିବାର ସୁଯୋଗ ଛାଡ଼ନ୍ତିନାହିଁ। ବିରାଟ କୋହଲି ଖେଳିଲା ବେଳେ ତ ଆଦୌ ନୁହେଁ। ଏକ ଦଶନ୍ଧି ହେଲା କୋହଲିଙ୍କର ପ୍ରବଳ ପ୍ରଶଂସକ ହୋଇ ରହିଛନ୍ତ ପିଣ୍ଟୁ। ଏହା ଜାହିର କରିବା ପାଇଁ ପିଣ୍ଟୁ ତାଙ୍କ ଶରୀରର ସମ୍ମୁଖ ଓ ପଛପଟେ ଟାଟୁ କରିଛନ୍ତି। ପିଣ୍ଟୁଙ୍କ ସମ୍ମୁଖଭାଗରେ କୋହଲିଙ୍କ ଫଟୋ ରହିଛି। ଏହାସହ ବିସିସିଆଇ ଲୋଗୋ, କୋହଲିଙ୍କ ଟେଷ୍ଟମ୍ୟାଚ୍ ନମ୍ବର ୨୬୯, କୋହଲି ଶତକ ହାସଲ କରିବା ପରେ ସଚିନ ତେନ୍ଦୁଲକରଙ୍କୁ ସମ୍ମାନ ଜଣାଇ ନତଃମସ୍ତକ ହେବା ଏବଂ କୋହଲିଙ୍କ ଅଟୋଗ୍ରାଫ୍ ରହିଛି। ପିଣ୍ଟୁଙ୍କ ପଛପଟେ କୋହଲିଙ୍କ ଦିନିିକିଆ ଜର୍ସି ପରି ‘ବିରାଟ’ ଲେଖାଯିବା ସହ ତାଙ୍କ ଜର୍ସିଂ ନମ୍ବର ୧୮ ରହିଛି। ପୁଣି ୨୦୦୮ରେ ୧୯ ବର୍ଷରୁ କମ୍ ବିଶ୍ବକପ୍‌ରେ ଭାରତ କୋହଲିଙ୍କ ନେତୃତ୍ବରେ ଚମ୍ପିଆନ୍ ହେବା ସହ ୨୦୧୩ରେ ଅର୍ଜୁନ ଓ ୨୦୧୭ରେ ପଦ୍ମଶ୍ରୀ ପୁରସ୍କାର ପାଇବା ଉଲ୍ଲେଖ ରହିଛି। ମୋଟଉପରେ ପିଣ୍ଟୁଙ୍କ ଶରୀରରେ କୋହଲିଙ୍କର ମୋଟ ୧୪ଟି ଟାଟୁ ରହିଛି। ପୂର୍ବରୁ ଏକାଧିକ ଥର ବିରାଟ କୋହଲିଙ୍କୁ ଭେଟିବା ଲକ୍ଷ୍ୟରେ ପିଣ୍ଟୁ ଯାଇଥିଲେ ହେଁ ନିରାଶ ହୋଇ ଫେରିଥିଲେ। ବିଶାଖାପାଟଣାରେ ଭାରତ ଖେଳିବ ବୋଲି ଜାଣିବା ପରଠାରୁ କୋହଲିଙ୍କୁ ଭେଟିବା ଲାଗି ପିଣ୍ଟୁ ଯୋଜନା କରିଥିଲେ। ଟ୍ରେନ୍‌ରେ ବିଶାଖାପାଟଣା ଯାଇ ସେଠାରେ ଅପେକ୍ଷା କରିଥିଲେ। ଶେଷରେ ତାଙ୍କ ସ୍ବପ୍ନ ପୂରଣ ହୋଇଛି।

Comments are closed.