ଦିନିକିଆ ବ୍ୟାଟିଂ ମାନ୍ୟତା : ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

ଦୁବାଇ  : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ସୋମବାର ଜାରି ବ୍ୟାଟିଂ ମାନ୍ୟତାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନ ବଜାୟ ରଖିବାରେ ସକ୍ଷମ ​ହୋଇଛନ୍ତି । କୋହଲି ୮୮୭ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ​ବେଳେ ଉପଅଧିନାୟକ ରୋହିତ ଶର୍ମା ୮୭୩ ପଏଣ୍ଟ ସହ ୨ୟ ସ୍ଥାନରେ ଅଛନ୍ତି । ରୋହିତ ଶର୍ମା ୨୦୧୯ରେ ଚମତ୍କାର ଫର୍ମରେ ଥିଲେ। ସେ ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି୨୦ ଫର୍ମାଟ୍‌ରେ ମୋଟ୍ ୨୪୪୨ ରନ୍‌ କରିଥିଲେ। ଗୋଟିଏ ବର୍ଷରେ ଓପନର୍‌ ଭାବେ ସର୍ବାଧିକ ରନ୍ ସଂଗ୍ରହ କରିବା କ୍ଷେତ୍ରରେ ରୋହିତ ଶ୍ରୀଲଙ୍କାର ପୂର୍ବତନ ବ୍ୟାଟସମ୍ୟାନ୍‌ ସନତ ଜୟସୁରିଆଙ୍କ ୨୨ ବର୍ଷ ତଳର ବିଶ୍ବରେକର୍ଡ ଭାଙ୍ଗିଛନ୍ତି। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳା ଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ରୋହିତ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ହୋଇଥିଲେ। ବ୍ୟାଟିଂ ମାନ୍ୟତାରେ ପାକିସ୍ତାନର ବାବର ଆଜମ୍‌ ୮୩୪ ପଏଣ୍ଟ ସହ ୩ୟ, ଦକ୍ଷିଣ ଆଫ୍ରିକାର ଫାଫ୍‌ ଡୁ ପ୍ଲେସି ୮୨୦ ପଏଣ୍ଟ ସହ ୪ର୍ଥ ଓ ନ୍ୟୁଜିଲାଣ୍ଡର ରସ୍‌ ଟେଲର୍‌ ୮୧୭ ପଏଣ୍ଟ ସହ ୫ମ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିବା ସହ ୨୨୨ ରନ୍‌ କରିଥିବା ୱେଷ୍ଟଇଣ୍ଡିଜ୍‌ର ଓପନର୍‌ ସାଇ ହୋପ୍‌ ୫ଟି ସ୍ଥାନ ଉପରକୁ ଉଠି ୯ନଂରେ ରହିଛନ୍ତି। ଅନ୍ୟତମ ୱେଷ୍ଟଇଣ୍ଡିଜ ବ୍ୟାଟସମ୍ୟାନ୍‌ ସିମ୍ରନ୍‌ ହେତମେୟର୍‌ ୬ଟି ସ୍ଥାନ ଉପରକୁ ଉଠି ୧୯ନଂରେ ଥିବା ବେଳେ ନିକୋଲାସ୍ ପୁରନ୍‌ ୩୩ଟି ସ୍ଥାନ ଉପରକୁ ଉଠି ୩୦ନଂରେ ରହିଛନ୍ତି।

Comments are closed.