ଆଇପିଏଲ କ୍ରିକେଟ : ମ୍ୟାଚ ହାରିବାରେ କୋହଲିଙ୍କ ରେକର୍ଡ

ବେଙ୍ଗାଲୁରୁ : ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଅନେକ ଅନ୍ତର୍ଜାତୀୟ ରେକର୍ଡର ଅଧିକାରୀ ହୋଇଥିଲେ ମଧ୍ୟ ଆଇପିଏଲରେ ନିଜର ବିଫଳତା ପାଇଁ ସମାଲୋଚିତ ହୋଇଛନ୍ତି । ତାଙ୍କ ନାମରେ ଆଉ ଏକ ବିଫଳତାର ରେକର୍ଡ ପ୍ରତିଷ୍ଠା ହୋଇଛି।

ଆଇପିଏଲରେ କୋହଲି, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ନେତୃତ୍ବ ନେଉଥିବା ବେଳେ, ଆଇପିଏଲ ଇତିହାସରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । ସର୍ବାଧିକ ମ୍ୟାଚ ହାରିବାର ରେକର୍ଡ ବର୍ତ୍ତମାନ କୋହଲିଙ୍କ ନାମରେ ରହିଛି । ଆଇପିଏଲ-୨୦୧୯ରେ ରବିବାର ସୁଦ୍ଧା କୋହଲିଙ୍କ ନେତୃତ୍ବାଧୀନ ଆରସିବି ଲଗାତର ୬ଟି ମ୍ୟାଚରେ ପରାସ୍ତ ହୋଇଛି । ୨୦୦୮ରେ ଆଇପିଏଲ ଆରମ୍ଭ ହୋଇଥିବାବେଳେ କୋହଲି ଏପର୍ଯ୍ୟନ୍ତ ଆରସିବିକୁ ପ୍ରତିନିଧିତ୍ବ କରିଆସୁଛନ୍ତି । କୋହଲିଙ୍କ ଦଳ ଇତିମଧ୍ୟରେ ୮୭ଟି ମ୍ୟାଚରେ ପରାଜିତ ହୋଇଛି ।

ଶୁକ୍ରବାର କଲକାତା ନାଇଟ ରାଇଡର୍ସ ନିକଟରୁ ଆରସିବି ପରାସ୍ତ ହେବାପରେ କୋହଲି ୮୬ଟି ମ୍ୟାଚରେ ପରାସ୍ତ ହୋଇ ଏହି ରେକର୍ଡ କରିଥିଲେ। ରବିବାର ଏହି ସଂଖ୍ୟା ୮୭କୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ରେକର୍ଡ ରବିନ ଉଥପ୍ପାଙ୍କ ନାମରେ ରହିଥିଲା। ପ୍ରଥମେ ଆରସିବି ଓ ପରବର୍ତ୍ତୀ ସମୟରେ ପୁଣେ ୱାରିୟର୍ସ, ମୁମ୍ବଇ ଇଣ୍ଡିଆନ୍ସ ଓ କଲକାତା ନାଇଟ ରାଇଡର୍ସକୁ ପ୍ରତିନିଧିତ୍ବ କରିଥିବା ଉଥପ୍ପା ୮୫ଟି ମ୍ୟାଚରେ ପରାଜୟର ସ୍ବାଦ ଚାଖିଛନ୍ତି । ତାଙ୍କ ପଛକୁ ମୁମ୍ବଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା (୮୧) ପରାଜୟ ସହିତ ତୃତୀୟ ସ୍ଥାନରେ ଅଛନ୍ତି।

Comments are closed.