ରୋହିତଙ୍କୁ ଟପି କୋହଲି ହେଲେ ସର୍ବାଧିକ ଟ୍ବେଣ୍ଟି-୨୦ ସ୍କୋରର୍

ତିରୁଅନନ୍ତପୁରମ୍ : ବିରାଟ କୋହଲି ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ରନ୍ ସ୍କୋରର ହୋଇ ପାରିଛନ୍ତି। ରବିବାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ୧୯ ରନ୍‌ ସ୍କୋର୍‌କରି ବିରାଟ ଏହି କୃତିତ୍ବ ହାସଲ କରିଛନ୍ତି। କୋହଲି ଏହିକ୍ରମରେ ସାଥୀ ଖେଳାଳି ରୋହିତ ଶର୍ମାଙ୍କୁ ଅତିକ୍ରମ କରିଛନ୍ତି। ରୋହିତ ଏହି ମ୍ୟାଚ୍‌ ପୂର୍ବରୁ କୋହଲିଙ୍କଠାରୁ ୩ ରନ୍ ଆଗରେ ଥିଲେ। ତେବେ ରୋହିତ ୧୫ ରନ୍‌କରି ବିଦାୟ ନେବା ପରେ କୋହଲି ୧୯ ରନ୍‌ କରିବାରୁ ରୋହିତଙ୍କଠାରୁ ୧ ରନ୍ ଆଗରେ ଏବେ ଅଛନ୍ତି କୋହଲି। ଏବେ କୋହଲିଙ୍କ ଟ୍ବେଣ୍ଟି-୨୦ ସ୍କୋର୍ ୨୫୬୩ ଥିବା ବେଳେ ରୋହିତ ୨୫୬୨ ରନ୍ କରିଛନ୍ତି। ବାଂଲାଦେଶ ବିପକ୍ଷରେ ଗତ ଘରୋଇ ଟ୍ବେଣ୍ଟି୨୦ ସିରିଜ୍‌ରୁ କୋହଲି ବିଶ୍ରାମ ନେଇଥିବା ବେ​​ଳେ ‌‌ କୋହଲିଙ୍କୁ ଅତିକ୍ରମ କରି ରୋହିତ ଶର୍ମା ସର୍ବାଧିକ ଟ୍ବେଣ୍ଟି-୨୦ ସ୍କୋରର ହୋଇ ପାରିଥିଲେ। ଉଭୟ ବିରାଟ କୋହଲି ଓ ରୋହିତ ଶର୍ମା ଟ୍ବେଣ୍ଟି-୨୦ କ୍ରିକେଟରେ ଏବେ ଚମତ୍କାର ଫର୍ମରେ ଅଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ବିରାଟ କୋହଲି ଅପରାଜିତ ୯୪ ରନ୍‌କରି ଦଳକୁ ଜିତାଇବା ସହ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଏହା କୋହଲିଙ୍କ ଜୀବନର ସର୍ବାଧିକ ଟ୍ବେଣ୍ଟି-୨୦ ସ୍କୋର୍। ଆଉ ୨୫ ରନ୍ ସ୍କୋର୍ କରିପାରିଲେ କୋହଲି ଘରୋଇ ମାଟିରେ ୧୦୦୦ ଟ୍ବେଣ୍ଟି-୨୦ ରନ୍ ପୂରଣ କରିପାରିବେ।

Comments are closed.