କୋହଲି ଗତ ଦଶନ୍ଧିର ସର୍ବଶ୍ରେଷ୍ଠ ଦିନିକିଆ କ୍ରିକେଟର

ଦିନିକିଆ କ୍ରିକେଟ୍‌ର ୫୦ ବର୍ଷ ପୂର୍ତ୍ତି ଅବସରରେ ୱିଜ୍‌ଡେନ୍‌ର ଘୋଷଣା

କପିଳ, ସଚିନ୍ ୮୦ ଓ ୯୦ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ କ୍ରିକେଟର, -ଷ୍ଟୋକ୍‌ସ ବର୍ଷର ଶ୍ରେଷ୍ଠ କ୍ରିକେଟର

ଲଣ୍ଡନ : କ୍ରିକେଟ୍‌ର ବାଇବେଲ୍‌ ଭାବେ ପରିଚିତ ୱିଜ୍‌ଡେନ୍ ଦିନିକିଆ କ୍ରିକେଟ୍‌ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ କିଛି ଖେଳାଳିଙ୍କୁ ଦିନିକିଆ କ୍ରିକେଟ୍‌କୁ ଋଦ୍ଧିମନ୍ତ ଓ ଲୋକପ୍ରିୟ କରିବା ଲାଗି ୨୦୨୧ର ତା’ର ବାର୍ଷିକ ସଂଖ୍ୟାରେ ସମ୍ମାନିତ କରିଛି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ୱିଜ୍‌ଡେନ୍ ଦ୍ବାରା ଗତ ଦଶନ୍ଧି (୨୦୧୦ରୁ ୨୦୧୯)ର ସର୍ବଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ୱିଜ୍‌ଡେନ୍ ଦ୍ବାରା ମନୋନୀତ ହୋଇଛନ୍ତି। ବିଭିନ୍ନ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ କ୍ରିକେଟର ତାଲିକାରେ ମହାନ୍ ଅଲ୍‌ରାଉଣ୍ଡର କପିଳ ଦେବ ଓ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ମଧ୍ୟ ରହିଛନ୍ତି।

୨୦୦୮ ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆ ପଦାର୍ପଣ କରିଥିବା ବିରାଟ ଅଦ୍ୟାବଧି ୨୫୪ଟି  ଦିନିକିଆ ମ୍ୟାଚରୁ ୧୨,୧୬୯ ରନ  କରିଛନ୍ତି। ଏଥିରେ ୪୩ଟି ଶତକ ରହିଛି। ଟେଷ୍ଟ କ୍ରିକେଟ୍‌ରେ ମଧ୍ୟ କୋହଲି ୨୭ଟି ଶତକ ହାସଲ କରିଛନ୍ତି। ୨୦୧୦ରୁ ୨୦୧୯ ମଧ୍ୟରେ କୋହଲି ଦିନିକିଆ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ବିଶ୍ବକପ୍‌ ଚମ୍ପିଆନ୍ ଭାରତୀୟ ଦଳର ସଦସ୍ୟ ଥିଲେ। ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବାର ୫୦ ବର୍ଷ ପୂର୍ତ୍ତି ଅବସରରେ ୧୯୭୧ରୁ ୨୦୨୧ ମଧ୍ୟରେ ପ୍ରତ୍ୟେକ ଦଶନ୍ଧିରୁ ୫ ଜଣ ଶ୍ରେଷ୍ଠ ଦିନିକିଆ କ୍ରିକେଟରଙ୍କୁ ମନୋନୟନ କରାଯାଇଛି ବୋଲି ୱିଜ୍‌ଡେନ କହିଛି। ୧୯୭୧ରୁ ୨୦୨୧ ମଧ୍ୟରେ ପ୍ରତ୍ୟେକ ଦଶନ୍ଧି ପାଇଁ ଜଣେ ଶ୍ରେଷ୍ଠ କ୍ରିକେଟର ମନୋନୟନ କରାଯାଇଛି। ବିରାଟ ୨୦୧୦ ବର୍ଷ ପାଇଁ ମନୋନୀତ ହୋଇଛନ୍ତି। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ୧୯୯୦ ଦଶକର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ମନୋନୀତ କରାଯାଇଛି। ସଚିନ ୧୯୯୮ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୯ଟି ଶତକ ଅର୍ଜନ କରିଥିଲେ; ଯାହାକି ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ଗୋଟିଏ ବର୍ଷରେ ଏଭଳି କୃତିତ୍ବ ହାସଲ କରି ପାରିନଥିଲେ।  ୧୯୮୩ କ୍ରିକେଟ ବିଶ୍ବକପ ଚମ୍ପିଆନ ଭାରତୀୟ ଦଳର ଅଧିନାୟକ କପିଳ ​‌େଦବଙ୍କୁ  ୧୯୮୦ ଦଶକର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ମନୋନୀତ କରାଯାଇଛି। ଏହି ଦଶନ୍ଧିରେ ବିଶ୍ବର ଅନ୍ୟ କୌଣସି ବୋଲରଙ୍କଠାରୁ ଦିନିକିଆ କ୍ରିକେଟ୍‌ରେ କପିଳ ସର୍ବାଧିକ ୱିକେଟ ନେଇଥିଲେ। ପୁଣି ସେ ୧୦୦ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ରେ ୧୦୦୦ରନ ପୁରଣ କରିଥିଲେ; ଯାହା ବିଶ୍ବର ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ୍ କରି ପାରିନଥିଲେ। ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍‌ସ କ୍ରମାଗତ ୨ୟ ବର୍ଷ ଲାଗି ବର୍ଷର ଶ୍ରେଷ୍ଠ କ୍ରିକେଟର ଭାବେ ମନୋନୀତ ହୋଇଛନ୍ତି। ଷ୍ଟୋକ୍‌ସ ୨୦୨୦ରେ ୫୮ ରନ୍ ହାରରେ ୬୪୧ ରନ କରିଛନ୍ତି। ଏହାଛଡ଼ା ୧୯ଟି ୱିକେଟ ମଧ୍ୟ ନେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଇଂଲଣ୍ଡର ଡମ୍‌ ସିବ୍‌ଲି ଓ ଜ୍ୟାକ୍‌ କ୍ରଲି, ୱେଷ୍ଟଇଣ୍ଡିଜ୍‌ର  ଜେସନ ହୋଲଡର, ପାକିସ୍ତାନର ମହମ୍ମଦ ରିଜ୍‌ୱାନ, ଡ୍ୟାରେନ ଷ୍ଟିଭେନ୍ ୨୦୨୧ ସଂସ୍କରଣ ଲାଗି କ୍ରିକେଟର ଅଫ ଦି ଇୟର ପୁରସ୍କାର ପାଇଁ ନାମ ସୁପାରିସ କରାଯାଇଛି। ଅଷ୍ଟ୍ରେଲିଆର ବେଥ୍ ମୁନି ଶ୍ରେଷ୍ଠ ମହିଳା କ୍ରିକେଟର ଓ ୱେଷ୍ଟଇଣ୍ଡିଜ୍‌ର କୈରନ ପୋଲାର୍ଡଙ୍କ ନାମ ଶ୍ରେଷ୍ଠ ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ ହେବା ଦୌଡ଼ରେ ରହିଛନ୍ତି।

Comments are closed.